ଭୁବନେଶ୍ବର: ରାଜଧାନୀର ମସ୍‌ଜିଦ୍‌ କଲୋନିରେ ନାଳରେ ଭାସିଯାଇ ଜଣେ ଶିଶୁର ମୃତ୍ୟ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଏମ୍‌ସି ଏହି ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ଆଜି ବିଏମ୍‍ସି ଡ୍ରେନେଜ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତକାଲି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିବା ସହ ସନ୍ଧ୍ୟା ସୁଦ୍ଧା ବିଏମ୍‌ସିରୁ ରିପୋର୍ଟ ତଲବ କରିଥିଲେ। ରିପୋର୍ଟ ହସ୍ତଗତ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଏମ୍‌ସିର ରିପୋର୍ଟ ମୁତାବକ, ଯେଉଁ ସ୍ଥାନରେ ଶିଶୁଟି ନାଳରେ ପଡ଼ି ଭାସି ଯାଇଥିଲା ସେହି ସ୍ଥାନରେ ବାଡ ଲଗାଯାଇନଥିଲା।

Advertisment

ସୁରକ୍ଷା ପାଇଁ ବାଡ଼ ଲାଗିଥିଲେ ଏହି ଅଘଟଣ ଘଟିନଥାନ୍ତା। ଦୁଇ ବର୍ଷ ତଳୁ ନିଜ ନିଜ ଅଞ୍ଚଳର ଏଭଳି ସମ୍ବେଦନଶୀଳ ଜାଗା ଖୋଜି ସୁରକ୍ଷା ବାଡ଼ ଲଗାଇବାକୁ ସମ୍ପୃକ୍ତ ଅଞ୍ଚଳ ଦାୟିତ୍ବରେ ଥିବା ଯନ୍ତ୍ରୀ, ସହକାରୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନେକ ଜାଗାରେ ବାଉଁଶ ଓ ଲୁହା ବାଡ଼ ଦିଆଯାଇଥିଲା। କିନ୍ତୁ ଏହି ୫ ନମ୍ବର ଡ୍ରେନ୍‌ରେ ଏହି ସମ୍ବେଦନଶୀଳ ସ୍ଥାନରେ ବାଡ ଲଗାଯାଇନଥିଲା। ଏହି ଅଞ୍ଚଳ ଦାୟିତ୍ବରେ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ରହିଥିବାରୁ ତାଙ୍କୁ ଏହି ଅଘଟଣ ପାଇଁ ଦାୟୀ କରାଯାଇଥିଲା। ରିପୋର୍ଟ ଆଦାରରେ ରାଜ୍ୟ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଗତ ୧୮ତାରିଖ ଦିନ ଏହି ଅଘଟଣ ଘଟିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତ ବାଳକର ପରିବାର ପାଇଁ ୪ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଥିଲେ।