ତିନି ଦିନର ଯନ୍ତ୍ରଣା: ଶିଶୁର ଖାଦ୍ୟନଳୀରୁ ବାହାରିଲା ଦୁଇ ଟଙ୍କିଆ କଏନ

ଚିକିତ୍ସା ପାଇଁ ଆସିଥିଲେ ଢେଙ୍କାନାଳରୁ ଏସ୍‌ସିବି

କଟକ: କୋଭିଡ ସମୟରେ ଚିକିତ୍ସା ବ୍ୟବସ୍ଥାକୁ ନେଇ ଆସୁଛି ଅନେକ ଅଭିଯୋଗ। ଏପରିକି ଚିକିତ୍ସା ଅବହେଳାରୁ ଅକାରଣରେ ଅନେକ ଜୀବନ ଯାଉଥିବା ଅଭିଯୋଗ ହେଉଛି। ହେଲେ ଆଜି କଟକ ବଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏକ ଉଦାହରଣ ସୃଷ୍ଟି କରିବା ଭଳି ଘଟଣା। ୫ ବର୍ଷର ଶିଶୁକନ୍ୟାର  ଖାଦ୍ୟନଳୀରୁ ତିନି ଦିନ ହେଲା ପଶି ରହିଥିବା ଦୁଇଟଙ୍କିଆ କଏନ୍‌କୁ ସଫଳତାରେ ସହ କଢ଼ାଯାଇଛି। ଶିଶୁ ଏବେ ସୁସ୍ଥ ଥିବା ବେଳେ କୋଭିଡ୍‌ ଚିକିତ୍ସା ପାଇଁ ତାକୁ ଏସସିବି ଆଇସୋଲେସନ୍‌ ୱାର୍ଡରେ ରଖାଯାଇଛି।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲାର ଜଣେ ୫ ବର୍ଷର ଶିଶୁ କନ୍ୟା ସୋମବାର ଦିନ ଖେଳୁଥିବା ବେଳେ ଗୋଟିଏ ଦୁଇ ଟଙ୍କିଆ କଏନ ଗିଳି ଦେଇଥିଲା। ପରିବାର ଲୋକ ତୁରନ୍ତ ତାକୁ ଚିକିତ୍ସା ପାଇଁ ନିକଟ ମେଡିକାଲକୁ ନେଇଥିଲେ। ହେଲେ ତାକୁ ଚିକିତ୍ସା ମିଳିଲାନି। କଏନ ଅଟକି ଥିବାରୁ ଶିଶୁ କନ୍ୟାଟି ଖାଇ ବି ପାରୁ ନଥିଲା। ପରିବାରଲୋକେ ତାକୁ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଆସିଥିଲେ। ଏସ୍‌ସିବିରେ ଗତକାଲି ଅର୍ଥାତ ମଙ୍ଗଳବାର ଅପରାହ୍‌ଣରେ ସେମାନେ ପହଞ୍ଚିଥିଲେ। ୱାର୍ଡରେ ଭର୍ତ୍ତି ପୂର୍ବରୁ ହୋଇଥିବା ଆଣ୍ଟିଜେନ୍‌ ପରୀକ୍ଷାରେ ଶିଶୁକନ୍ୟାର କରୋନା ରିପୋର୍ଟ ପିଜିଟିଭ ଆସିଲା। ଫଳରେ ଚିନ୍ତାରେ ପଡିଥିଲେ ପରିବାରବର୍ଗ। କିନ୍ତୁ ଏସ୍‌ସିବି ଇଏନଟି ବିଭାଗର ଅସୋସିଏଟ ପ୍ରଫେସର ଡାକ୍ତର ସ୍ମୃତି ସ୍ବାଇଁଙ୍କ ନେତୃତ୍ୱରେ ଡାକ୍ତର ସବ୍ୟସାଚୀ ପତି, ଡାକ୍ତର ଆଶୁତୋଷ ଦାସ, ନିଶ୍ଚେତକ ଡାକ୍ତର ଦେବାଶିଷ ସାହୁ ପ୍ରମୁଖ ଆଜି ଶିଶୁ କନ୍ୟାର ଚିକିତ୍ସା କରି ୩ ଦିନ ହେଲା ଖାଦ୍ୟ ନଳୀରେ ଅଟକି ରହିଥିବା ଦୁଇ ଟଙ୍କିଆ କଏନକୁ ବାହାର କରିଥିଲେ। ଶିଶୁକନ୍ୟା ଏବେ ବିପଦ ମୁକ୍ତ ଥିବା ଓ କୋଭିଡ ଚିକିତ୍ସା ପାଇଁ ଆଇସୋଲେସନ ୱାର୍ଡକୁ ପଠାଇ ଦିଆଯାଇଥିବା ଡାକ୍ତର ସ୍ବାଇଁ  କହିଛନ୍ତି।

ସମ୍ବନ୍ଧିତ ଖବର