‌‌ଟ୍ରେନ୍‌ରୁ ଖସି ନାବାଳକ ଗୁରୁତର

ବାରଙ୍ଗ : ଭୁବନେଶ୍ୱର-ବାରଙ୍ଗ ରେଳଷ୍ଟେସନ୍‌ ମଝି ପଦାସାହି ଫାଟକ ନିକଟରେ ଆଜି ଜଣେ ନାବାଳକ ଚଳନ୍ତା ଟ୍ରେନ୍‌ରୁ ଖସି ଗୁରୁତର ଆହତ ହୋଇଛି। ସେ ହେଲା, ରନୋଜ ତାଉଦ(୧୫)। ଘର ଆସାମର ଚାପୋରି ଗୋଲାଘାଟ, ଡେରାଗାଁ ଅଞ୍ଚଳରେ। ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ଜଣାଯାଇଛି। ରେଳବାଇ ପୁଲିସ ତାକୁ ଚିକିତ୍ସା ଲାଗି ମଞ୍ଚେଶ୍ୱର ରେଳବାଇ ହସ୍ପିଟାଲରେ ଭର୍ତ୍ତି କରାଇବା ସହ ପରିବାର ଲୋକଙ୍କୁ ଖବର ଦେବା ପାଇଁ ଉଦ୍ୟମ ଚଳାଇଛି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ସାତଟା ବେଳେ ବାଙ୍ଗାଲୋର-ଗୌହାଟୀ ଏକ୍ସପ୍ରେସ୍‌ ବାରଙ୍ଗ ଷ୍ଟେସନ ଆଡ଼କୁ ଯାଉଥିବା ବେଳେ ପଦାସାହି ରେଳ ଫାଟକ ନିକଟରେ ରନୋଜ ଟ୍ରେନ୍‌ରୁ ଖସି ପଡ଼ିଥିଲା। ସେହି ସମୟରେ ପାଖ ରାସ୍ତା‌‌‌‌ରେ ଛିଡ଼ା ହୋଇ ଗପସପ କରୁଥିବା କିଛି ଯୁବକ ଦୌଡ଼ି ଆସି ତାକୁ ଉଦ୍ଧାର କରିଥିଲେ। ତାକୁ ପଚରାଉଚରା କରିବାରୁ ସେ କିଛି କହି ପାରିନଥିଲା। ତା’ ପାଖରେ ଥିବା ରେଳ ଟିକେଟ ଓ ଆଧାର କାର୍ଡରୁ ପରିଚୟ ପାଇବା ପରେ ତାକୁ ଜିଆରପି ପୁଲିସକୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର