ଭୁବନେଶ୍ୱର: ଇନ୍ଫୋସିଟି ଥାନା ଅଧୀନ ଚିର୍ଗାଲଟଲା ବସ୍ତିରୁ ଶେଷ ରଜ ଦିନଠାରୁ ଦୁଇ ଜଣ ପିଲା ନିଖୋଜ ହୋଇ ଯିବା ପରେ ଏବେ ରାଜଧାନୀରେ ପିଲା ଚୋରିକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଚିର୍ଗାଲଟଲା ବସ୍ତି ସମେତ ରାଜଧାନୀର ଏକାଧିକ ବସ୍ତିରେ ଏବେ ଏହାକୁ ନେଇ ଚର୍ଚା ଆରମ୍ଭ ହୋଇ ଯାଇଛି। କିଛି ଦିନ ତଳେ ସାରା ରାଜ୍ୟରେ ପିଲା ଚୋରିକୁ ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଥିଲା ବୋଲି କୁହାଯାଉଥିଲା ତାହା ସତ ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଫଳରେ ଗତ ଦୁଇ ଦିନ ହେବ ବସ୍ତି ଲୋକ ରାତି ଅନିଦ୍ରା ହୋଇ ଜଗି ରହୁଛନ୍ତି। ବଡ଼ କଥା ହେଉଛି ରାଜଧାନୀରୁ କେତେ ଶିଶୁ ନିଖୋଜ ହୋଇଛନ୍ତି, ଏ ନେଇ ତଥ୍ୟ ଦେବାକୁ କମିସନରେଟ୍ ପୁଲିସ ସିଧା ସଳଖ ମନା କରି ଦେଇଛି। ବିଶେଷସୂତ୍ରରୁ ଯାହା ସୂଚନା ମିଳିଛି, ଭୁବନେଶ୍ୱର ରେଳଷ୍ଟେସନ୍, ବରମୁଣ୍ଡା ବସ୍ଷ୍ଟାଣ୍ଡ ଓ ରାଜଧାନୀର କେତେକ ବସ୍ତିରୁ ବିଭିନ୍ନ ସମୟରେ ଛୋଟ ଛୁଆମାନେ ନିଖୋଜ ହୋଇ ଯାଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ରାଜଧାନୀରୁ ୬୮୯ ଜଣ ଶିଶୁ ନିଖୋଜ ହୋଇଛନ୍ତି। ବଡ଼ କଥା ହେଉଛି ଏନେଇ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ମିସିଂ କେସ୍ କରି ବସି ପଡ଼ୁଥିଲା। କିନ୍ତୁ ଏବେ ଅପହରଣ ମାମଲା ରୁଜୁ କରିବାକୁ କୁହାଯିବା ପରେ ରାଜଧାନୀରେ ଶିଶୁ ଚୋରି ର୍ୟାକେଟ୍ ଚାଲୁଥିବା ଘଟଣା ପଦାକୁ ଆସିଛି। ଗତ କିଛି ବର୍ଷ ମଧ୍ୟରେ ରାଜଧାନୀରେ ଘଟିଥିବା କେତେକ ଶିଶୁ ନିଖୋଜ ଘଟଣାର ତଦନ୍ତ କରି କମିସନରେଟ୍ ପୁଲିସ ମଧ୍ୟ ଏଭଳି ତଥ୍ୟ ପାଇଛି। ଯାହା ସୂଚନା ମିଳିଛି ଏହି ଗ୍ୟାଙ୍ଗ୍ ଭୁବନେଶ୍ୱର ରେଳଷ୍ଟେସନ୍, ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ଓ ବସ୍ତିରେ ବୁଲାବୁଲି କରି ନାବାଳକ ଓ ନାବାଳିକାମାନଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭନ ଦେଖାଇ ଅପହରଣ କରିଥାନ୍ତି। ଅପହରଣ ପରେ ସେମାନଙ୍କୁ କୋଲକାତା, ଝାନ୍ସୀ, ଚେନ୍ନାଇ, ମୁମ୍ବାଇ, ପୁନେ ଆଦି ସହରକୁ ଚାଲାଣ କରାଯାଉଛି। ଅପହୃତ ନାବାଳକ ଓ ନାବାଳିକାମାନଙ୍କୁ ଘରୋଇ ଚାକର, ଶିଶୁ ଶ୍ରମିକ, ବେଶ୍ୟାବୃତ୍ତି, ଭିକ୍ଷାବୃତ୍ତି ଆଦିରେ ନିୟୋଜିତ କରାଯାଉଛି। ଯେଉଁମାନେ ଭିକ୍ଷାବୃତ୍ତି କିମ୍ବା ବେଶ୍ୟାବୃତ୍ତି ପାଇଁ ରାଜି ନ ହୁଅନ୍ତି ସେମାନଙ୍କୁ ଅକଥନୀୟ ନିର୍ଯାତନାର ସହିବାକୁ ପଡ଼ିଥାଏ। ଅନେକଙ୍କ ହାତ ଓ ଗୋଡ଼ କାଟି ପଙ୍ଗୁ କରି ଦିଆଯାଇଥାଏ। ବଡ଼ କଥା ହେଉଛି ଅପହୃତ ହୋଇଥିବା ଶିଶୁମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ବିକ୍ରି ହୋଇଥିବା ନଜିର ରହିଛି। ଅନେକ ଅପହୃତ ଶିଶୁ ବଡ଼ ହେବା ପରେ ମାନସିକ ଭାରସାମ୍ୟ ହରାଇ ଅପରାଧୀ ହୋଇଯାଉଛନ୍ତି। ଏନେଇ ଥାନାରେ ମାମଲା ରୁଜୁ ହେବା ପରେ କମିସନରେଟ୍ ପୁଲିସ ଓ ଚାଇଲ୍ଡ ଲାଇନ କର୍ତୃପକ୍ଷ କିଛି ନିଖୋଜ ଶିଶୁଙ୍କୁ ଉଦ୍ଧାର କରିଛନ୍ତି। କିନ୍ତୁ ଏବେ ବି ଅନେକ ଅପହୃତ ଶିଶୁ ପରିବାର ଓ ପୁଲିସ ପାଇଁ ଅପହଞ୍ଚ। କୁଆଡ଼େ ଗଲେ ସେମାନେ, କେଉଁଠି ଅଛନ୍ତି, କିପରି ଅଛନ୍ତି ଥରୁଟିଏ ଚିନ୍ତା କଲେ ଦେହ ଶିହରି ଉଠେ। ଅପହୃତ ହୋଇଥିବା ଶିଶୁର ମା’ ଓ ବାପାମାନେ ସବୁ ଦିନ ତାଙ୍କ ସନ୍ତାନର ଫେରିଲା ବାଟକୁ ଚାହିଁ ଦିନ ଗଡ଼ାଇ ଥାନ୍ତି। ଏଠାରେ ପ୍ରକାଶଥାଉକି, ଚିର୍ଗାଲଟୋଲା ବସ୍ତିରୁ ଶେଷ ରଜ ଦିନଠାରୁ ରାଜା ସୋରେନ୍(୧୦) ଓ ଦେବଜାନୀ ହେମ୍ବ୍ରମ(୫) ନାମକ ଦୁଇ ଜଣ ପିଲା ନିଖୋଜ ଅଛନ୍ତି। ଏ ନେଇ ଇନ୍ଫୋସିଟି ଥାନା ପୁଲିସ ଏକ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ରାଜଧାନୀରେ ପିଲା ଚୋରି ଆତଙ୍କ!
ପରିସଂଖ୍ୟାନ ଦେବାକୁ ରାଜି ହେଉନି ପୁଲିସ
/sambad/media/post_attachments/wp-content/uploads/2018/06/child-thieft.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)