ଆଜି ଶ୍ରମିକ ଦିବସ: ରାଜଧାନୀ ରାଜରାସ୍ତାରେ ମାଳମାଳ ଶିଶୁ ଶ୍ରମିକ

ଭୁବନେଶ୍ବର: ଶିଶୁ ଶ୍ରମିକ ପ୍ରଥା ବି‌ଲୋପ ପାଇଁ ସରକାରଙ୍କ କଠୋର ନିୟମ ସତ୍ତ୍ବେ ଏହା କମିବା ନାଁ ଧରୁନାହିଁ। ବିଭିନ୍ନ କାରଣରୁ ଆଜି ବି ସମାଜରେ ଶିଶୁ ଶ୍ରମିକ ପ୍ରଥା ତିଷ୍ଠି ରହିଛି। ବଡ଼ ପରିତାପର କଥା ଖୋଦ୍ ରାଜଧାନୀର ରାଜରାସ୍ତାରେ ମାଳମାଳ ଶିଶୁ ଶ୍ରମିକ ଦେଖାଯାଉଛନ୍ତି। ପ୍ରଶାସନର ନଜରରେ ବି ବଞ୍ଚିଛି ଏହି ପ୍ରଥା। ଖୋଦ୍ ରାଜଧାନୀର ଏହି ଦୃଶ୍ୟ ସରକାରୀ ନିୟମକୁ ଉପହାସ କରୁଛି ବୋଲି ଚର୍ଚ୍ଚା ହେଉଥିଲେ ବି ଏହାର ବିଲୋପ ଦିଗରେ ସମସ୍ତେ ଉଦାସୀନ। ସରକାରଙ୍କ ‘ସଭିଏ ପଢନ୍ତୁ, ସଭିଏଁ ବଢନ୍ତୁ’ ସ୍ଲୋଗାନ କେତେ ମୂଲ୍ୟହୀନ, ରାଜଧାନୀର ଚିତ୍ରରୁ ଜଳଜଳ ହୋଇ ଦେଖାଯାଉଛି।

ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ରାସ୍ତା କଡ଼ରେ ସବୁଦିନ ଏହି ଚିତ୍ର ଦେଖିବାକୁ ମିଳୁଛି। କିଏ ଜରି ଗୋଟାଉଛି ତ, କିଏ ବାଉଁଶ ପାତରେ ବିଭିନ୍ନ ସା‌ମଗ୍ରୀ ପ୍ରସ୍ତୁତ କରୁଛି। ସେହିଭଳି ମାର୍କେଟ୍‌ ବିଲ୍‌ଡିଂରେ ଥିବା ବିଭିନ୍ନ ‌ଫାଷ୍ଟ୍‌ ଫୁଡ୍‌ ଦୋକାନରେ ମଧ୍ୟ ଅନେକ ଛୋଟ ଛୋଟ ପିଲା କାମ କରୁଛନ୍ତି। ସହିଦନଗର ଭଳି ପ୍ରମୁଖ ଅଞ୍ଚଳରେ ମଧ୍ୟ ଏହି ଦୃଶ୍ୟ ଦେଖିବାକୁ ମିଳେ। ବମିଖାଲ ଓଭରବ୍ରିଜ୍‌ ତଳେ ବହୁ ଛୋଟଛୋଟ ପିଲା ବସି ପରିବା ବିକ୍ରି କରୁଛନ୍ତି। ଏହି ଅଞ୍ଚଳର ବହୁ ତେଜରାତି ଦୋକାନରେ ମଧ୍ୟ ଛୋଟ ପିଲା କାମ କରୁଛନ୍ତି। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଝୁମ୍ପୁଡ଼ି ହୋଟେଲଗୁଡ଼ିକରେ ବହୁ ଛୋଟ ପିଲା ନିୟୋଜିତ ଅଛନ୍ତି। ସେମାନେ ଦୈନିକ ୮ ରୁ ୧୦ ଘଣ୍ଟା କାମ କରୁଛନ୍ତି। ସେହିଭଳି ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ପାଉଁରୁଟି ଫ୍ୟାକ୍ଟ୍ରି, ମିକ୍‌ଶ୍ଚର ଫ୍ୟାକ୍ଟ୍ରି ଆଦି ଖାଦ୍ୟ ପ୍ରସ୍ତୁତ କାରଖାନା ଗୁଡ଼ିକରେ ମଧ୍ୟ ବହୁତ ସଂଖ୍ୟାରେ ଛୋଟ ପିଲା କାମ କରୁଛନ୍ତି। ଖୋଦ୍‌ ରାଜଧାନୀରେ ଏହି କୁତ୍ସିତ ପ୍ରଥା ଜାରି ରହିଥିଲେ ବି ପ୍ରଶାସନ ହାତବାନ୍ଧି ବସିଛି। ଯଦି ଏହା ଉପରେ ସର୍ଭେ କରାଯାଏ, ‌ତେବେ ରାଜଧାନୀରେ ପ୍ରାୟ ୧୦ହଜାର ଶିଶୁ ଶ୍ରମିକ ଚିହ୍ନଟ ହୋଇପାରନ୍ତି ବୋଲି ଚାଇଲ୍‌ଡ ଲାଇନ୍‌ର ନିର୍ଦ୍ଦେଶକ ବେଶୁଧର ସେନାପତି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୦୫ ମସିହା ପରଠାରୁ ସରକାର କିମ୍ବା କୌଣସି ସାମାଜିକ ସଂଗଠନ ପକ୍ଷରୁ ଶିଶୁ ଶ୍ରମିକମାନଙ୍କ ଉପ‌ରେ ସର୍ଭେ କରାଯାଇନାହିଁ।

ସମ୍ପ୍ରତି ବଡ଼ ସମସ୍ୟା ହେଉଛି କରୋନା ମହାମାରୀ। ଏଥିଯୋଗୁଁ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗିଯାଇଛି। ସେଥିପାଇଁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ଏଭଳି ଜାଗାରେ ନିୟୋଜିତ କରି ପରିବାର ଚଳାଉଛନ୍ତି। ଏହା ସହ ସ୍କୁଲ୍‌ଗୁଡ଼ିକ ବନ୍ଦ ଥିବାରୁ ଶିଶୁ ଶ୍ରମିକ ସଂଖ୍ୟା ମଧ୍ୟ ବଢ଼ୁଥିବା କୁହାଯାଉଛି। ୨୦୨୦ ମସିହାରେ ବହୁତ ମାତ୍ରାରେ ଶିଶୁମାନେ ବିଭିନ୍ନ କାମରେ ନିୟୋଜିତ ହୋଇଥିବା ଏକ ଆକଳନରୁ ଜଣାପଡ଼ିଛି। ଗତ ୨୬ ତାରିଖ ଦିନ ଚାଇଲ୍‌ଡ ଲାଇନ୍‌ ପକ୍ଷରୁ ସ୍କୁଲ୍‌ ଅନ୍‌ ହ୍ବିଲ୍‌ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଦ୍ବାରା ଶିଶୁ ଶ୍ରମିକ ତଥା ଅ‌ବହେଳିତ ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଉତ୍ତମ ‌ ଶିକ୍ଷା ଦେବା ସହ ସଚେତନତା କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଯଦି ଏହି ଯୋଜନା ସଠିକ୍‌ ଭାବରେ କରେ, ତେବେ ରାଜଧାନୀରେ ଶିଶୁ ଶ୍ରମିକ ହାର କମ୍‌ ‌ହୋଇପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର