ପୁରୁଣା ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ଥମିବା ନାଁ ଧରୁ ନଥିବା ବେଳେ ଶିଶୁ ଶ୍ରମିକ ସମସ୍ୟା ଏହାସହ ତାଳ ଦେଇ ବୃଦ୍ଧି ପାଇବାରେ ଲାଗିଛି। ରୋଜଗାର ହରାଇ ହନ୍ତସନ୍ତ ହେଉଥିବା ଗରିବ ପରିବାରର ପିଲାମାନେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି। ଗତ ୩ ମାସରେ ରାଜଧାନୀରୁ ୮୦ ଶିଶୁ ଶ୍ରମିକ ଉଦ୍ଧାର ହେବା ଘଟଣା, ଏହି ସମସ୍ୟା ବୃଦ୍ଧିର ଜ୍ବଳନ୍ତ ନମୁନା ଭାବେ ଗ୍ରହଣ କରାଯାଇପାରେ। ଶ୍ରମ ଆଇନରେ ରହିଥିବା ଦୁର୍ବଳତା ପାଇଁ ଏହି ସମସ୍ୟା ଦିନକୁ ଦିନ ଉତ୍କଟ ହେଉଛି ବୋଲି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ପକ୍ଷରୁ ଅଭିଯୋଗ ହୋଇଆସୁଛି।
ଗତ ୩ ମାସ ମଧ୍ୟରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ପାଖାପାଖି ୮୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ବୋଲି ଚାଇଲ୍ଡ ଲାଇନ୍ ପକ୍ଷରୁ ସୂଚନା ମିଳିଛି। ମେ’ ୧୨ ତାରିଖରେ କ୍ୟାପିଟାଲ ଥାନା ନିକଟରୁ ଏକ ୧୦ ବର୍ଷର ନାବାଳକ ଉଦ୍ଧାର ହୋଇଥିଲା। ଜୁନ୍ ୧୮ତାରିଖରେ ନୟାପଲ୍ଲୀ ଦୁର୍ଗାମଣ୍ଡପ ନିକଟରୁ ଜନୈକ ବ୍ୟକ୍ତିଙ୍କ ଘରେ କାମ କରୁଥିବା ଜଣେ ନାବାଳକ ଉଦ୍ଧାର ହୋଇଥିଲା। ସେହିପରି ଜୁଲାଇ ୪ରେ ବରମୁଣ୍ଡାରୁ ଓ ଜୁଲାଇ ୧୭ରେ ଧଉଳି ରାସ୍ତାରୁ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା। ଜୁଲାଇ ୧୨ତାରିଖରେ ଗଙ୍ଗୁଆ ଅଞ୍ଚଳରେ ଜଣେ ବ୍ୟକ୍ତି ଏକ ନାବାଳିକାକୁ ମିଛରେ ଝିଅ ବୋଲି କହି ଘରେ କାମ କରାଉଥିଲେ ଓ ପରେ ଘଟଣା ଜଣାପଡ଼ିବାରୁ ତାକୁ ଚାଇଲ୍ଡ ଲାଇନ୍ ପକ୍ଷରୁ ଉଦ୍ଧାର କରାଯାଇଥିଲା। ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକ ବେଣୁଧର ସେନାପତିଙ୍କ କହିବା କଥା କରୋନା କଟକଣା ଯୋଗୁଁ ବିଦ୍ୟାଳୟ ବନ୍ଦ ରହିଛି ଓ ଅନ୍ଲାଇନ୍ରେ ପାଠ ପଢ଼ା ଚାଲିଛି। କିନ୍ତୁ ଶହ ଶହ ଗରିବ ପିଲା ମୋବାଇଲ୍ ଫୋନ୍, ଡାଟା ଓ ନେଟ୍ ସମସ୍ୟା ପାଇଁ ଏଥିରୁ ବଞ୍ଚିତ ହେଉଛନ୍ତି। ଫଳରେ ସେମାନେ ପାଠ ପଢ଼ା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।
ପାଠପଢ଼ା ବନ୍ଦ ଥିବାରୁ ଗରିବ ପରିବାରର ଏହି ପିଲାମାନେ ବାପା ମା’ଙ୍କ କଥାରେ କିଛି ରୋଜଗାର କରିବା ପାଇଁ ପରଘରେ କାମ ପାଇଟି କରିବାକୁ ବାଧ୍ୟ ହେଉଛନ୍ତି। ମହାମାରୀ କରୋନା ପାଇଁ ଶିଶୁ ଶ୍ରମିକ ସମସ୍ୟା ବୃଦ୍ଧି ଉଦ୍ବେଗଜନକ ସ୍ଥିତିକୁ ଆସିଯିବ ବୋଲି ନୋବେଲ ପୁରସ୍କାର ବିଜୟୀ କୈଳାସ ସତ୍ୟାର୍ଥୀଙ୍କ ଚିଲଡ୍ରେନ୍ସ ଫାଉଣ୍ଡେସନ (କେଏସ୍ସିଏଫ) ଭବିଷ୍ୟବାଣୀ କରିଛି। ତାଙ୍କ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଦର୍ଶାଯାଇଛି ଯେ କରୋନାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ଥିବା ଶ୍ରମ ଆଇନର ଦୁର୍ବଳତାକୁ ସମୀକ୍ଷା କରାଯାଇ ତୁରନ୍ତ ରଦ୍ଦ କରାଯିବା ଉଚିତ। ନଚେତ ଦୁର୍ବଳ ଶ୍ରମ ଆଇନ ଶିଶୁ ଶ୍ରମିକ ବୃଦ୍ଧି ଘଟାଇବ। ଏଥିସହ ରିପୋର୍ଟରେ ଦର୍ଶାଯାଇଛି ଯେ କରୋନା ମହାମାରୀ ହେତୁ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଙ୍କଟ କାରଣରୁ ୨୧ ପ୍ରତିଶତ ପରିବାର ଆର୍ଥିକ ଅନଟନରେ କାଳ କାଟୁଛନ୍ତି। ତେଣୁ ସେମାନେ ନିଜ ପିଲାମାନଙ୍କୁ ଶ୍ରମିକଭାବେ ଖଟାଇ କିଛି ରୋଜଗାର ଆଶା କରୁଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗ ପ୍ରତି ଅଧିକ ସତର୍କ ରହିବା ଜରୁରୀ ହୋଇପଡ଼ିଛି ବୋଲି କେଏସ୍ସିଏଫ୍ ପକ୍ଷରୁ କୁହାଯାଇଛି।