ଡାକ୍ତର ତଣ୍ଡ ଗଣିଲେ ୧.୧୫ ଲକ୍ଷ ଟଙ୍କା

ଡାକ୍ତରଙ୍କ ଘରୁ ନାବାଳିକା ଶ୍ରମିକ ଉଦ୍ଧାର ମାମଲା

ଖଣ୍ଡଗିରି : ସ୍ଥାନୀୟ ଜଗମୋହନନଗରରେ ରହୁଥିବା ଜଣେ ଡାକ୍ତରଙ୍କ ଘରୁ ଉଦ୍ଧାର ହୋଇଥିବା ଝାଡ଼ଖଣ୍ଡର ନାବାଳିକା ଶ୍ରମିକଟି ତା’ର ବାପା ମା’ଙ୍କ ସହ ନିଜ ଘରକୁ ଫେରିଯାଇଛି। ଡାକ୍ତରଜଣଙ୍କ ନାବାଳିକାର ଭବିଷ୍ୟତ ପାଇଁ ତା’ ନାମରେ ୧ ଲକ୍ଷ ୧୫ ହଜାର ଟଙ୍କା ଫିକ୍‌ସ ଜମା କରିବା ଓ ନାବାଳିକାର ବାପା ମା’ ତାକୁ ପଢ଼ାଇବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ମାମଲାର ସମାଧାନ ହୋଇଥିବା ସୂଚନା ମିଳିଛି।

ଗତ ୨ ତାରିଖରେ ଖୋର୍ଧା ଜିଲ୍ଲା ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ନିର୍ଦେଶକ୍ରମେ ଭୁବନେଶ୍ୱର ଚାଇଲ୍ଡ ଲାଇନ୍‌ ଓ ଖଣ୍ଡଗିରି ଥାନା ପୁଲିସ ଜଗମୋହନ ନଗରରେ ଚଢ଼ଉ କରି ଜଣେ ଶଲ୍ୟ ବିଶେଷଜ୍ଞଙ୍କ ଘରୁ ଏହି ନାବାଳିକାକୁ ଉଦ୍ଧାର କରିଥିଲା। ନାବାଳିକାଟି ପ୍ରାୟ ୩ବର୍ଷ ଧରି ଡାକ୍ତରଙ୍କ ଘରେ କାମ କରୁଥିଲା। ଡାକ୍ତରଙ୍କ ଝିଅର ଦୁଇ ଯାଅାଁଳା ସନ୍ତାନଙ୍କ ଯତ୍ନ ନେବାରେ ନାବାଳିକାଟି ନିୟୋଜିତ ହୋଇଥିଲା। କୌଣସି ସୂତ୍ରରୁ ଖବର ପାଇ ଖୋର୍ଧା ସିଡବ୍ଲ୍ୟୁସି ତୁରନ୍ତ ନାବାଳିକାକୁ ଉଦ୍ଧାର କରି ବିଶ୍ୱଜୀବନ ସେବା ସଂଘ ଆଶ୍ରମରେ ରଖିଥିଲା। ତାକୁ କାଉନ୍‌ସେଲିଂ କରାଯାଉଥିଲା। ଖବର ପାଇ ନାବାଳିକାର ବାପା ମା’ ଭୁବନେଶ୍ୱରରେ ପହଞ୍ଚିଥିଲେ। ନାବାଳିକାର ବାପା ମା’ ଓ ଡାକ୍ତରଙ୍କୁ ସିଡବ୍ଲ୍ୟୁସି ପକ୍ଷରୁ ଡକାଯାଇ ପଚରାଉଚରା କରାଯାଇଥିଲା। ଡାକ୍ତରଙ୍କୁ ବଞ୍ଚାଇ ଦେଇଥିଲେ ନାବାଳିକାର ବାପା ମା’। ନାବାଳିକାର ମା’ ସବୁ ଦୋଷ ନିଜ ମୁଣ୍ଡକୁ ନେଇଯାଇଥିଲେ। ଗରିବୀ ସାଙ୍ଗକୁ ଶିଶୁ ଶ୍ରମିକ ଆଇନ ବାବଦରେ ଜାଣି ନଥିବାରୁ ସେ ଜୋର୍‌ କରି ନିଜ ଝିଅକୁ ଡାକ୍ତରବାବୁଙ୍କ ଘରେ ଛାଡ଼ିଥିଲେ ବୋଲି କହିଥିଲେ। ମାମଲାର ଆଶୁ ଫଇସଲା ପାଇଁ ବି ଡାକ୍ତର ନିଜ ଆଡ଼ୁ ସହଯୋଗର ହାତ ବଢ଼ାଇଥିଲେ। ନାବାଳିକାର ନିରାପଦ ଭବିଷ୍ୟତ ଓ ପାଠପଢ଼ା ପାଇଁ ନାବାଳିକା ନାଁରେ ଏକ ବ୍ୟାଙ୍କରେ ୧.୧୫ ଲକ୍ଷ ଟଙ୍କା ଫିକ୍‌ସ ଜମା କରିଥିଲେ। ସେହିଭଳି ଝାଡ଼ଖଣ୍ଡରେ ନାବାଳିକା ରହୁଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ଏ ବାବଦରେ ଜଣାଇ ଦିଆଗଲା। ପିଲାଟିକୁ ଯେମିତି ବାପା ମା’ ସ୍କୁଲ ପଠାଇବେ, ସେ ଦିଗରେ ନଜର ରଖିବେ ବୋଲି ସମ୍ପୃକ୍ତ ଜିଲ୍ଲା ଅଧିକାରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର