ରେଳ ଷ୍ଟେସନ୍‌ରୁ ଶିଶୁ ଶ୍ରମିକ ଉଦ୍ଧାର ମାମଲା : ସମ୍ପୃକ୍ତ ର‍୍ୟାକେଟ୍‌ ଠାବ ହେବ ତ?

ଖଣ୍ଡଗିରି : ଗତକାଲି ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର ହୋଇଥିବା ୧୯ଜଣ ଶିଶୁ ଶ୍ରମିକଙ୍କୁ ଏକ ନିର୍ଦିଷ୍ଟ ର‍୍ୟାକେଟ୍‌ ରାଜ୍ୟ ବାହାରକୁ ଚାଲାଣ କରୁଥିଲା। ଏହା ଏକ ଅନ୍ତଃରାଜ୍ୟ ଶିଶୁ ଚାଲାଣ ର‍୍ୟାକେଟ୍‌ ବୋଲି ଅନୁମାନ କରାଯାଉଛି। ଉଦ୍ଧାର ଶିଶୁମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ବାଧ୍ୟବାଧକତାରେ ଶ୍ରମିକ ଭାବେ କାମ କରିବାକୁ ରାଜ୍ୟ ବାହାରକୁ ଏହି ର‍୍ୟାକେଟ୍‌ ପଠାଉଥିଲା। ଆଜି ସେମାନଙ୍କୁ କାଉନ୍‌ସେଲିଂ କରିବା ପରେ ଏଭଳି ସଂଗିନ୍‌ ତଥ୍ୟ ସାମନାକୁ ଆସିଛି। ତେଣୁ ସେହି ର‍୍ୟାକେଟ୍‌କୁ ଠାବ କରିବା ପାଇଁ ଶିଶୁ କଲ୍ୟାଣ କମିଟି ଉଦ୍ଧାର ପିଲାମାନଙ୍କ ଜିଲ୍ଲା ପୁଲିସକୁ ଚିଠି ଲେଖି ଅନୁରୋଧ କରିଛି। କିନ୍ତୁ ଏହା କେତେ ଦୂର କାର୍ଯ୍ୟକାରୀ ହେବ ଓ ସେହି ଶିଶୁ ଚାଲାଣକାରୀ ର‍୍ୟାକେଟ୍‌ ପ୍ରକୃତରେ ଠାବ ହେବ କି ନା, ତାହା ଏକ ବିରାଟ ପ୍ରଶ୍ନବାଚୀ ବୋଲି ଶିଶୁ କଲ୍ୟାଣ କମିଟିର ଅଧିକାରୀମାନେ ସନ୍ଦେହ ପ୍ରକଟ କରିଛନ୍ତି।

ଖୋର୍ଧା ଜିଲ୍ଲା ଶିଶୁ କଲ୍ୟାଣ କମିଟି ଅଧିକାରୀ ବେଣୁଧର ସେନାପତିଙ୍କ ସୂଚନାନୁସାରେ ଆଜି କେନ୍ଦୁଝରର ୨, ଅନୁଗୁଳର ୨, ଯାଜପୁର ରାଇସୁଅାଁର ୨ ଏମିତି ମୋଟ୍‌ ୬ ଜଣ ପିଲାଙ୍କୁ କାଉନ୍‌ସେଲିଂ କରାଯାଇଥିଲା। ସେମାନଙ୍କଠାରୁ ଠିକଣା ପାଇବା ପରେ ସମ୍ପୃକ୍ତ ଥାନାମାନଙ୍କୁ ଏ ସଂପର୍କରେ ଖବର ପଠାଇ ଦିଆଯାଇଛି। ବେଆଇନ ଶିଶୁ ଚାଲାଣ ଅଭିଯୋଗରେ ମାମଲା ରୁଜୁ କରିବା ପାଇଁ ଅନୁରୋଧ କରାଯାଇଛି। ସମ୍ପୃକ୍ତ ଜିଲ୍ଲାର ଶିଶୁ କଲ୍ୟାଣ କମିଟି ଏହି ମାମଲାର ତଦାରଖ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ପରେ ଅନ୍ୟ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ସେନାପତି କହିଛନ୍ତି। ଆଜି କିଛି ପିଲାଙ୍କ ଅଭିଭାବକମାନଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଇଛି। ସେମାନଙ୍କ ପିଲାଙ୍କୁ ଶ୍ରମିକ ଭାବେ ବାହାର ରାଜ୍ୟକୁ ନିଆଯାଉଛି ବୋଲି ଜାଣିନଥିବା ସେମାନେ ଜଣାଇଛନ୍ତି। ତେଣୁ ସେମାନଙ୍କୁ କ’ଣ କୁହାଯାଇ ସେମାନଙ୍କ ପିଲାଙ୍କୁ ବାହାରକୁ ନିଆଯାଉଥିଲା, ତାହା ସେମାନେ ପରେ ଖୋର୍ଧା ଶିଶୁ କଲ୍ୟାଣ କମିଟିରେ ପିଲା ନେବା ପାଇଁ ହାଜିରା ହେବା ପରେ ସ୍ପଷ୍ଟ ହୋଇଯିବ, କିମ୍ବା ସେମାନଙ୍କ ଜିଲ୍ଲା ଶିଶୁ କଲ୍ୟାଣ କମିଟି ନିକଟରେ ସେମାନେ ସମସ୍ତ ତଥ୍ୟ ପ୍ରଦାନ କରିବେ ବୋଲି ଶ୍ରୀ ସେନାପତି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚାଇଲ୍ଡ ଲାଇନ୍‌ ହେଉ କି ହମାରା ବଚପନ୍‌ ଓ ସୋଚ୍‌ ଭଳି ସ୍ୱେଚ୍ଛାସେବୀ ସଂଗଠନମାନେ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରୁଛନ୍ତି। କିନ୍ତୁ ସେମାନଙ୍କ ଅଭିଯୋଗ ଯେ ଆଇନର ଫାଙ୍କ ଦେଇ ଅଭିଯୁକ୍ତମାନେ ବିନା ଦଣ୍ଡରେ ଖସି ଯାଉଛନ୍ତି। ଜୁନ୍‌ ୧୮ ତାରିଖର ଉଦାହରଣ ଦେଇ ଜଣେ ସ୍ୱେଚ୍ଛାସେବୀ କହିଛନ୍ତି ଯେ ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଜଣେ ଶିଶୁ ସୁରକ୍ଷା ଅଧିକାରୀ (ପ୍ରୋଟେକ୍‌ସନ୍‌ ଅଫିସର୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ କେୟାର)ଙ୍କ ନିକଟରୁ ଜଣେ ନାବାଳିକାକୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର