ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ରୁଚିକା ସମାଜ ମଙ୍ଗଳ ସଂଗଠନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ ଆରମ୍ଭ ହୋଇଛି। ନିକଟରେ ଭାରତ ସରକାରଙ୍କ ପରିବାର ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ସର୍ଭେ ଅନୁସାରେ ଭାରତରେ ୨୩ଭାଗ ଶିଶୁ ନିର୍ଦ୍ଧାରିତ ବୟସ ପୂର୍ବରୁ ବିବାହ କରିଥାନ୍ତି। ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ଶତକଡା ୨୦ଭାଗରୁ ଅଧିକ। ବାଲ୍ୟବିବାହ ଅର୍ଥ ପିଲାମାନଙ୍କ ସହ ଦୁଷ୍କର୍ମ। ତେଣୁ ବାଲ୍ୟବିବାହକୁ ଭାରତରେ ୨୦୩୦ ମସିହା ମଧ୍ୟରେ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ସରକାର ସ୍ଥିର କରିଛନ୍ତି। ଏଥିନିମନ୍ତେ ଭାରତ ସରକାରଙ୍କ ତରଫରୁ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ ଆରମ୍ଭ କରାଯାଇଛି ଓ ଏଥିରେ ସମସ୍ତ ସରକାରୀ ପଦାଧିକାରୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମପଞ୍ଚାୟତ ଓ ସାଧାରଣ ଲୋକ ସାମିଲ ହେବା ପାଇଁ ସରକାର ଆହ୍ୱାନ ଦେଇଛନ୍ତି।
ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନକୁ ଶୁଭାରମ୍ଭ କରି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର କହିଲେ, ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ଯେକୌଣସି ପରିସ୍ଥିତିରେ ଓଡ଼ିଶାକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଶିଶୁ ସୁରକ୍ଷା ଆୟୋଗ ପ୍ରଚେଷ୍ଟା ଜାରି ରଖିଛି। ରୁଚିକା ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବେଣୁଧର ସେନାପତି କହିଲେ, ବାଲ୍ୟବିବାହ ଭଳି ଏକ ଘୃଣ୍ୟ ସାମାଜିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ବିଲୋପ କରି ସବୁ ପିଲାଙ୍କ ପାଇଁ ଏକ ସୁରକ୍ଷିତ ଶୈଶବ ସୁନିଶ୍ଚିତ କରିବା ନିମନ୍ତେ ରୁଚିକା ସଂଗଠନ ସଂକଳ୍ପବଦ୍ଧ। ଏଥିନିମନ୍ତେ ଖୋର୍ଦ୍ଧା, ପୁରୀ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ସହିତ ମିଶି ରୁଚିକା କାର୍ଯ୍ୟ କରୁଛି। ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା, ଅତିରିକ୍ତ ଶିଶୁ କଲ୍ୟାଣ ସମିତିର ସଦସ୍ୟା, ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ପ୍ରତିନିଧିମାନେ ଯୋଗ ଦେଇଥିଲେ। ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ମହିଳା ଏକତ୍ରିତ ହୋଇ ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ଶପଥ ପାଠ କରି ଏକ ବିଶାଳ ମହମବତି ଶୋଭାଯାତ୍ରାରେ ରାମମନ୍ଦିର ଛକଠାରୁ ବାହାରି ସହର ପରିକ୍ରମା କରିଥିଲେ। ଏହି ଅବସରରେ ବାଲ୍ୟବିବାହକୁ ରୋକିଥିବା ଝିଅମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରର ସୌମେନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆକ୍ସନ ଏଡ୍ର ପ୍ରୋଗ୍ରାମ ମାନେଜର, ଶିଶୁ କଲ୍ୟାଣ ସମିତି ସଦସ୍ୟା ସୁମିତା ଘୋଷ ଓ ବାଲ୍ୟ ବିବାହ ନିରୋଧ ଅଧିକାରୀ ସଂଗୀତା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ରୁଚିକାର ଉପସଭାପତି ଗୌରାଙ୍ଗ ଚରଣ ତ୍ରିପାଠୀ, ହେମନ୍ତ କୁମାର ସାହୁ, ଶିବାନୀ ନାୟକ, ମନୋରଞ୍ଜନ ସାହୁ, ଠାକୁରାମ ବେହେରା, କେଶବଚନ୍ଦ୍ର ସେନାପତି, ଜୟୀରାମ ନାୟକ, ବିନତି ମହାନ୍ତି, ଉର୍ମି ସଲମା ପରିଚାଳନା କରିଥିଲେ।