‘ବାଲ୍ୟ ବିବାହ’ ପ୍ରଜନନ ସ୍ବାସ୍ଥ୍ୟର ପରିପନ୍ଥୀ, ମହିଳା ଓ ଶିଶୁଙ୍କ ମାନବାଧିକାରକୁ ମଧ୍ୟ କ୍ଷୁଣ୍ଣ କରୁଛି

ଖଣ୍ଡଗିରି: ଆଜି ବି ସମାଜ‌ରେ ବିଭିନ୍ନ କାରଣ ପାଇଁ ବାଲ୍ୟ ବିବାହ ପ୍ରଥା ରହିଛି। ଏହା ଦ୍ବାରା ପ୍ରଜନନ ସ୍ବାସ୍ଥ୍ୟ ବିପର୍ଯ୍ୟସ୍ତ ହେଉଛି। ଏହା ମହିଳା ଓ ଶିଶୁମାନଙ୍କ ମାନବାଧିକାରକୁ ମଧ୍ୟ କ୍ଷୁଣ୍ଣ କରୁଛି। ତେଣୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ କଠୋର ଆଇନର ଆବଶ୍ୟକତା ରହିଛି। ଆଇନସେବା ସଂସ୍ଥା ‘କ୍ଲାପ’ ପକ୍ଷରୁ ଆୟୋଜିତ ବାଲ୍ୟ ବିବାହ ସମ୍ପର୍କିତ ଏକ ଆଲୋଚନାଚକ୍ରରେ ଅତିଥିମାନେ ଏଭଳି ମତ ରଖିଛନ୍ତି। ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଯୌନ ନିର୍ଯାତନାରୁ ଶିଶୁ ସୁରକ୍ଷା ଆକ୍ଟ(ପୋକ୍‌ସ) ଭଳି କଠୋର ଆଇନ ଜରୁରି। ଏହାର ସଫଳ କାର୍ଯ୍ୟକାରିତା ପାଇଁ ବିଶେଷକରି ବ୍ଲକ ସ୍ତରରେ ଶିଶୁ ସୁରକ୍ଷା ଅଧିକାରୀ (ସିଡିପିଓ)ମାନଙ୍କୁ ଉତ୍ତରଦାୟୀ କରାଇବାକୁ ପଡ଼ିବ ବୋଲି ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଥିଲା।

କ୍ଲାପର ସଭାପତି ବିକାଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିଭାଗ ଉପଦେଷ୍ଟା ସୁଲତା ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳାମାନଙ୍କ ପ୍ରଜନନ ସ୍ବାସ୍ଥ୍ୟ ଅଧିକାର ଉପରେ ଗୁରୁତ୍ବାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ଦାକିନୀ ଜେମା, ଶୁଭଶ୍ରୀ ଦାସ, ପ୍ରଗତି ମହାନ୍ତି, ବେଣୁଧର ସେନାପତି, ବିକାଶ ମହାପାତ୍ର ପ୍ରମୁଖ ମତ ରଖିଥିଲେ।

ସମ୍ବନ୍ଧିତ ଖବର