କରୋନା ମହାମାରୀରେ ବଢ଼ିଛି ବାଲ୍ୟ ବିବାହ: ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ବନ୍ଦ ପାଇଁ ଜନ ପ୍ରତିନିଧି ଦାୟିତ୍ବ ନିଅନ୍ତୁ

ବିଧାନସଭା ଓ ସଂସଦରେ ସ୍ବତନ୍ତ୍ର ଆଲୋଚନା ହେଉ, ଗାଁ ଗାଁରେ କମିଟି ଗଠନ କରାଯାଉ

ଭୁବନେଶ୍ବର: କରୋନା ମହାମାରୀ ସମୟରେ ଦେଶ ଓ ରାଜ୍ୟରେ ବାଲ୍ୟ ବିବାହ ବୃଦ୍ଧିପାଇଛି। ଜାତୀୟସ୍ତରରେ ବାଲ୍ୟ ବିବାହ ହାର ୨୭.୩ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୨୧.୩ ପ୍ରତିଶତ ରହିଛି। ବିଶେଷ କରି ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି ଜିଲ୍ଲାରେ ବାଲ୍ୟ ବିବାହ ସଂଖ୍ୟା ବଢ଼ିଛି। ପ୍ରତିବର୍ଷ ଦେଶରେ ୧୫ଲକ୍ଷ ବାଲ୍ୟ ବିବାହ ହେଉଛି। ଏହାକୁ ବିଶ୍ୱ ସହ ତୁଳନା କଲେ ବିଶ୍ବରେ ଘଟୁଥିବା ପ୍ରତ୍ୟେକ ୩ଟି ବାଲ୍ୟ ବିବାହ ମଧ୍ୟରୁ ଭାରତରେ ଗୋଟିଏ ବାଲ୍ୟ ବିବାହ ହେଉଛି ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ତେବେ ବାଲ୍ୟ ବିବାହ ମୁଖ୍ୟତଃ ଗରିବ ବା ଦୁର୍ବଳ ଶ୍ରେଣୀର ଲୋକଙ୍କ କ୍ଷେତ୍ରରେ ଘଟୁଛି। ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଏଡୁକୋ ଏବଂ ପ୍ରେମ୍‌ର ମିଳିତ ସହଯୋଗରେ ଶିଶୁ ଶ୍ରମିକ ଏବଂ ବାଲ୍ୟ ବିବାହ ରୋକିବା ପାଇଁ ହୋଟେଲ୍‌ ଏଚ୍‌ଏଚ୍‌ଆଇ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମିଳନୀରେ ଏଭଳି ତଥ୍ୟ ପ୍ରକାଶ ପାଇଛି।

ସେହିପରି ରାଜ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ଗଞ୍ଜାମ ଭଳି ଜିଲ୍ଲାରୁ ଅଧିକ ସଂଖ୍ୟାରେ ଶିଶୁ ଶ୍ରମିକ ବାହାର ରାଜ୍ୟକୁ ଯାଉଛନ୍ତି। ଏହାର ମୁଖ୍ୟ କାରଣ ଆର୍ଥିକ ଅଭାବ। କାରଣ କୌଣସି ଧନି ଶ୍ରେଣୀର ପିଲା କିମ୍ବା ମଧ୍ୟବିତ୍ତ ଶ୍ରେଣୀର ପିଲାଙ୍କୁ ଶିଶୁ ଶ୍ରମିକ ଭାବେ ଦେଖିବାକୁ ମିଳେନାହିଁ। ଅର୍ଥ ଅଭାବ ଏବଂ ବାପା କିମ୍ବା ମା’ଙ୍କ ମୃତ୍ୟୁ ପରେ ଛୋଟ ବେଳରୁ ପରିବାରର ବୋଝ ପିଲାଙ୍କ ଉପରେ ଲଦିଦିଆଯାଏ। ତେଣୁ ସେମାନେ ନିଜ ପେଟ ପୋଷିବା ପାଇଁ ଶ୍ରମକୁ କର୍ମକ୍ଷେତ୍ର କରିନିଅନ୍ତି। ଆଉ ଛୋଟବଡ଼ ଦୋକାନ, ହୋଟେଲ୍‌ କାମ କରି ଚଳନ୍ତି କିମ୍ବା ସ୍ଥାନୀୟ ଅଞ୍ଚଳରେ କାମ ନମିଲେ ଦାଦନ ଖଟିବାକୁ ବାହାରକୁ ଚାଲିଯାଆନ୍ତି। ଯଦିଓ ୬ବର୍ଷରୁ ୧୪ ବର୍ଷ ପିଲାଙ୍କୁ ସ୍କୁଲ ଶିକ୍ଷା ଦିଆଯିବା ପାଇଁ ସରାକାର ବାଧ୍ୟତାମୂଳକ କରିଛନ୍ତି। ଫଳରେ ପିଲାଟେ ପଢ଼ା ସହ ସମ୍ପୃକ୍ତି ହୋଇ ଶ୍ରମରୁ ନିବୃତ୍ତ ରହିବ। ହେଲେ ତାହା ହେଉ ନାହିଁ। ପାଠପଢ଼ା ଛାଡ଼ି ପିଲାଙ୍କୁ ଶ୍ରମକୁ ଆଦରି ନେଉଛନ୍ତି।

ଏଥିରୁ ଅଙ୍କୁଶ ଲଗାଇବା ପାଇଁ ଆମ ସମସ୍ତଙ୍କର କଠୋର ଆଭିମୁଖ୍ୟ ଏବଂ ଆଚରଣଗତ ପରିବର୍ତ୍ତନର ଆବଶ୍ୟକ। କାହିଁକି ପିଲାଟିଏ ବାଲ୍ୟ ବିବାହ କରୁଛି? କେଉଁ ପରିସ୍ଥିତିରେ ବିବାହ କରୁଛି? କେଉଁ ପରିସ୍ଥିତିରେ ପିଲାମାନେ ଶିଶୁ ଶ୍ରମିକ ହେଉଛନ୍ତି? ତାଙ୍କର ପାରିବାରିକ ସମସ୍ୟା କ’ଣ ରହିଛି? ସେହିପରି ଯେଉଁମାନଙ୍କୁ ଏସବୁ କ୍ଷେତ୍ରରୁ ଉଦ୍ଧାର କରାଯାଉଛି ସେମାନଙ୍କୁ କିଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ। ସେଥିପାଇଁ ସଠିକ୍‌ ପଦକ୍ଷେପ ନିଆଯାଇଛି କି ନାହିଁ? ତୃଣମୂଳସ୍ତରରେ ଏହାର ତର୍ଜମା ହେବା ଦରକାର ବୋଲି ଆଲୋଚନାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଆହୁରି ମଧ୍ୟ କୁହାଯାଇଥିଲା‌ ଯେ, ଶିଶୁମାନଙ୍କ ସୁରକ୍ଷା ପାଇଁ ଜନ ପ୍ରତିନିଧିମାନେ ଗୁରୁତ୍ବ ଦେବା ଆବଶ୍ୟକ। ଗାଁ ଗାଁରେ କମିଟି ଗଠନ କରାଯାଇ ପଞ୍ଚାୟତସ୍ତରରେ ଅନ୍ତତଃପକ୍ଷେ ପ୍ରତି ୬ମାସରେ ଶିଶୁଙ୍କ ସମସ୍ୟା ନେଇ ବୈଠକ ଓ ଆଲୋଚନା ହେବା ଦରକାର। ସେହିପରି ବିଧାୟକ ଓ ସାଂସଦମାନେ ମଧ୍ୟ ବର୍ଷରେ ଅତିକମ୍‌ରେ ଥରେ ବିଧାନସଭା ଓ ସଂସଦରେ ଶିଶୁଙ୍କ ସୁରକ୍ଷା ଏବଂ ସମସ୍ୟା ନେଇ ଆଲୋଚନା କରନ୍ତୁ। ତାହାହେଲେ ନିଶ୍ଚିତ ଏହାର ପ୍ରଭାବ ପଡ଼ିବ। ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଉପରେ ଅଂକୁଶ ଲଗାଯାଇପାରିବ। ହେଲେ ଦୁଃଖର ବିଷୟ ଶିଶୁଙ୍କ ସୁରକ୍ଷା ଓ ଅଧିକାର ପାଇଁ ମଞ୍ଜୁର ହେଉଥିବା ସରକାରୀ ଅନୁଦାନ କ୍ରମଶଃ କମୁଛି।

ଅନ୍ୟପଟେ ରାଜ୍ୟରେ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ବନ୍ଦ ପାଇଁ ଏକ ଡିଜିଟାଲ୍‌ ଅଭିଯାନ ‘ଶିଶୁଙ୍କ ଶ୍ରମକୁ କୁହନ୍ତୁ ନାହିଁ’ ଆରମ୍ଭ କରାଯାଇଛି। ଏହି ଅଭିଯାନ ନଭେମ୍ବର ୧ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୪୦ଦିନ ଧରି ଚାଲିବ। ଦୁଇଟି ଭ୍ୟାନ୍‌ ସାରା ରାଜ୍ୟ ବୁଲି ଲୋକଙ୍କୁ ସଚେତନ କରାଇବ। www.saynotochildlabour.org ଲିଙ୍କରେ ଲୋକମାନେ ପଞ୍ଜୀକରଣ କରି ଅଭିଯାନ୍‌ରେ ସାମିଲ୍‌ ହୋଇପାରିବେ। ତେବେ ଆଜିର ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଅଧିବେଶନରେ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟଅତିଥି ଭାବ‌େ ରାଜ୍ୟସଭା ସାଂସଦ ସୁଜିତ୍‌ କୁମାର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଡକୁକୋର କଣ୍ଟ୍ରି ଡାଇରେକ୍ଟର ଗୁରୁପ୍ରସାଦ ଏବଂ ପ୍ରେମ୍‌ର ସଭାପତି ଜାକୋବ ଥୁଣ୍ଡିଲ ଯୋଗଦେଇ ମତ ରଖିଥିଲେ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟ ବକ୍ତା ଭାବେ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ବନ୍ଦ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ପରିଚାଳନା କରିଥିବା ବେଳେ ସଦସ୍ୟ ଦିବ୍ୟା ଶାଶ୍ବତୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର