ବାହାବେଦିରୁ ଆଶ୍ରୟକେନ୍ଦ୍ର ଗଲେ ନାବାଳିକା

ମେଣ୍ଢାଶାଳ : ବୁଧବାର ଦିନ ଖୋଦ୍‌ ରାଜଧାନୀରେ ହେଉଥିବା ଏକ ନାବାଳିକା ବିବାହ କାର୍ଯ୍ୟକ୍ରମ ଅଧାରୁ ବନ୍ଦ ହୋଇଯାଇଛି। ଠିକଣା ସମୟରେ ଖୋର୍ଦ୍ଧା ଜିଲ୍ଲା ଶିଶୁ କଲ୍ୟାଣ କମିଟି ଓ ଚନ୍ଦକା ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରିବାରୁ ଏହି ବେଆଇନ ବିବାହ ବନ୍ଦ ହୋଇପାରିଛି। ସ୍କୁଲ୍‌ରେ ପଢ଼ୁଥିବା ବିଚାରି ୧୬ ବର୍ଷୀୟା ନାବାଳିକାକୁ ଉଦ୍ଧାର କରାଯିବା ପରେ ଏକ ଆଶ୍ରୟକେନ୍ଦ୍ରରେ ରଖି କାଉନ୍‌ସେଲିଂ କରାଯାଉଛି। ଏଣେ ଉଭୟ ବରପକ୍ଷ ଓ ନାବାଳିକାଙ୍କ ପରିବାର ବିରୋଧରେ ପୁଲିସ ଦୁଇଟି ମାମଲା ରୁଜୁ କରିଥିଲେ ବି କାହାକୁ ଗିରଫ କରାଯାଇନାହିଁ।

ସୂଚନାନୁସାରେ ଚନ୍ଦକା ସୁନ୍ଦରପୁରରେ ଏହି ନାବାଳିକା ବିବାହର ଆୟୋଜନ ହୋଇଥିଲା। ଉଭୟ କନ୍ୟାପକ୍ଷ ଓ ବରପକ୍ଷର ସହମତିରେ ଏହି ବିବାହ ଆୟୋଜନ କରାଯାଇଥିଲା। ଆଉ କିଛି ସମୟ ପରେ ହାତଗଣ୍ଠି ପଡ଼ିଥାଆନ୍ତା। କିନ୍ତୁ ଠିକ୍‌ ତା’ପୂର୍ବରୁ ଶିଶୁ କଲ୍ୟାଣ କମିଟି ଚନ୍ଦକା ଥାନା ପୁଲିସ ସହ ସେଠାରେ ପହଞ୍ଚିଥିଲା। ଶିଶୁ କଲ୍ୟାଣ ସମିତିର ଇତିଶ୍ରୀ ଦାସ, ବିଜୟ ମାଲିଆ, ଚନ୍ଦକା ଡିସିପିଓ କବିତା ମହାପାତ୍ର ଓ ଏସ୍‌ଆଇ ସ୍ମୃତି ରଞ୍ଜନ ପାଲଟାସିଂହ ଚଢ଼ଉ କରିଥିଲେ। ବର ଶିଶୁପାଳ ହୋଇ ଫେରିଥିବା ବେଳେ ନାବାଳିକାକୁ କଳିଙ୍ଗନଗର ବିଶ୍ୱଜୀବନ ସେବା ସଂଘକୁ ପଠାଇଦିଆଯାଇଛି।

ସମ୍ବନ୍ଧିତ ଖବର