ଭୁବନେଶ୍ବର: ଆଜି ରାଜଧାନୀରେ ହେବାକୁ ଯାଉଥିବା ଏକ ବାଲ୍ୟ ବିବାହକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ପାଣ୍ଡରା ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଏହି ବାଲ୍ୟ ବିବାହକୁ ହାତଗଣ୍ଠି ପଡ଼ିବା ପୂର୍ବରୁ ରୋକି ଦିଆଯାଇଛି। ଏନେଇ ମଞ୍ଚେଶ୍ବର ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ନାବାଳିକାଙ୍କୁ ଚାଇଲ୍‌ଡ ଲାଇନ୍‌ ରୁଚିକା ସମାଜ ମଙ୍ଗଳ ବୋର୍ଡ ସହଯୋଗରେ ରଖି କାଉନ୍‌ସେଲିଂ କରାଯାଉଛି। ମା’ ଛେଉଣ୍ଡ ନାବାଳିକାକୁ ଶୀଘ୍ର ବାହା କରାଇ ବୋଝରୁ ମୁକୁଳିବାକୁ ଦିନ ମଜୁରିଆ ବାପାଟି ଏଭଳି ନିଷ୍ପତ୍ତି ନେଇଥିବା ପ୍ରାଥମିକ ପଚରାଉଚରାରୁ ଜଣାପଡ଼ିଛି। ରାଜଧାନୀରେ ଆଜି ବି ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବାରୁ ଘଟଣାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି।

Advertisment

ମ‌ଞ୍ଚେଶ୍ବର ଥାନା ଅଞ୍ଚଳସ୍ଥ ଏକ ବସ୍ତିରେ ରହୁଥିବା ଆନ୍ଧ୍ରପ୍ରଦେଶର ଏହି ବ୍ୟକ୍ତି ତାଙ୍କ ୧୫ ବର୍ଷ ବୟସର ନାବାଳିକା ଝିଅକୁ ଆନ୍ଧ୍ରପ୍ରଦେଶର ଜଣେ ୩୦ ବର୍ଷ ବୟସର ଯୁବକ ହାତରେ ଟେକି ଦେଉଥିଲେ। ମା’ ଛେଉଣ୍ଡ ନାବାଳିକାର ବୋଝ କାନ୍ଧରୁ ଓହ୍ଲାଇବାକୁ ଗରିବ ବାପାଟି ଏଭଳି ନିଷ୍ପତ୍ତି ନେଇଥିଲା। ଦିନ ମଜୁରିଆ ଭାବେ କାମ କରୁଥିବା ବାପା ତା’ର ସମ୍ପର୍କୀୟମାନଙ୍କ ସହଯୋଗରେ ଏହି ବିବାହ ପ୍ରସ୍ତାବ ଯୋଗାଡ଼ କରିଥିଲେ। ଉଭୟ ପକ୍ଷ ରାଜି ହେବା ପରେ ଆଜି ପାଣ୍ଡରା ଜଗନ୍ନାଥ ମନ୍ଦିରରେ ବୈଦିକ ରୀତିରେ ଏହି ବିବାହ ପର୍ବ ଅନୁଷ୍ଠିତ ହେଉଥିଲା। କିନ୍ତୁ କୌଣସି ସୂତ୍ରରୁ ଏହି ଖବର ଚାଇଲ୍‌ଡ ଲାଇନ୍‌ରେ ପହଞ୍ଚିଥିଲା। ରୁଚିକା ସମାଜମଙ୍ଗଳ ବୋର୍ଡ, ବିଏମ୍‌ସିର ବାଲ୍ୟ ବିବାହ ନିରୋଧ ଟିମ୍‌ ଓ ମଞ୍ଚେଶ୍ବର ଥାନା ପୁଲିସ ମିଳିତ ଭାବେ ପାଣ୍ଡରାରେ ଚଢ଼ଉ କରିଥିଲେ। ଠିକ୍ ହାତଗଣ୍ଠି ପଡ଼ିବା ପୂର୍ବରୁ ଏହି ଚଢ଼ଉ ହୋଇଥିଲା। ନାବାଳିକାର ବୟସ ଯାଞ୍ଚ ବେଳେ ତାଙ୍କୁ ମାତ୍ର ୧୫ ବର୍ଷ ବୋଲି ଜଣାପଡ଼ିଥିଲା। ତେଣୁ ଏହି ବିବାହ ବେଆଇନ ବୋଲି ବୁଝାସୁଝା କରିବା ପରେ ଉଭୟ ପକ୍ଷ ବାହାଘର କାମରୁ ଓହରିଯାଇଥିଲେ। ନାବାଳିକାଟି ମଧ୍ୟ ଏହି ବିବାହରେ ରାଜି ନଥିବା ଜଣାପଡ଼ିଥିଲା। କିନ୍ତୁ ପରିସ୍ଥିତିର ଚାପରେ ସେ ବାଧ୍ୟ ହେଉଥିଲା ବୋଲି ଜଣାଇଥିଲା। କାଉନ୍‌ସିଲିଂ ପରେ ନାବାଳିକାକୁ ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯିବ ବୋଲି ରୁଚିକା ଅଧିକାରୀ ବେଣୁଧର ସେନାପତି କହିଛନ୍ତି।