ବାଲିପାଟଣାର ନାବାଳିକାକୁ ନିଜ ଘରେ ଯୌନଶୋଷଣ, ସମ୍ପର୍କୀୟ ମାମୁ ନାଁରେ ସଂଗିନ ଅଭିଯୋଗ

କଟକ: ମଙ୍ଗଳବାର କଟକ ଅରୁଣୋଦୟନଗରରୁ ଉଦ୍ଧାର ହୋଇଥିବା ବାଲିଅନ୍ତାର ଜଣେ ୧୭ ବର୍ଷୀୟା ନାବାଳିକା ଯୌନଶୋଷଣର ଶିକାର ହୋଇଥିବା ଜଣାପଡ଼ିଛି। ଘର ଭିତରେ ସମ୍ପର୍କୀୟ ମାମୁ ନାବାଳିକା ସହ ୫ ବର୍ଷ ହେବ ଶାରୀରିକ ସମ୍ପର୍କ ରଖିଆସିଥିଲା। ବିଳମ୍ବିତ ରାତିରେ ଅଶ୍ଳୀଳ ଭିଡିଓ ଦେଖାଇ ଯୌନଶୋଷଣ କରିଆସୁଥିଲା। ଅନେକ ଥର ନାବାଳିକାଙ୍କୁ ବଳପୂର୍ବକ ଔଷଧ ଖୁଆଇ ଗର୍ଭପାତ ବି କରାଯାଇଛି। ନାବାଳିକା ଜଣକ ଆଜି ଏଭଳି ଚାଞ୍ଚଲ୍ୟକର ବୟାନ ଚାଇଲ୍ଡ୍‌ଲାଇନ୍‌ରେ ରଖିଛନ୍ତି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଚାଇଲ୍ଡ୍‌ଲାଇନ୍‌ ପକ୍ଷରୁ ବିଡ଼‌ା‌ନାସୀ ଥାନାରେ ଅଭିଯୋଗ କରାଯାଇଛି। ତେବେ ପୀଡ଼ିତା ଜଣକ ଭୁବନେଶ୍ବର ବାଲିଅନ୍ତା ନୂଆପାଟଣା ଅଞ୍ଚଳର ହୋଇଥିବାରୁ ସ୍ଥାନୀୟ ଥାନାରେ ଚାଇଲ୍ଡ୍‌ଲାଇନ୍‌ ପକ୍ଷରୁ ଆଉ ଏକ ଅଭିଯୋଗ କରାଯାଇଛି।

ସୂଚନା ଅନୁଯାୟୀ, ବାଲିଅନ୍ତାର ଏହି ନାବାଳିକାଙ୍କ ମା’ଙ୍କର ମୃତ୍ୟୁ ହୋଇଯିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ବାପା ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବାରୁ ରାତିରେ ଡ୍ୟୁଟିକୁ ଯାଉଥିଲେ। ବଡ଼ବାପା ଓ ବଡ଼ବୋଉଙ୍କ ନିକଟରେ ସେ ରହୁଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ପାହାଳ ଛକରେ ବଡ଼ବାପାଙ୍କ ଶଳା ଏକ ଷ୍ଟେସନାରି ଦୋକାନ ଦେଇଥିବାବେଳେ ତାଙ୍କ ଘରକୁ ବିଭିନ୍ନ ସମୟରେ ନିଶାସକ୍ତ ଅବସ୍ଥାରେ ଆସୁଥିଲା। ରାତିରେ ତାଙ୍କ ସହିତ ଗଲା ୫ ବର୍ଷ ହେବ ବିଭିନ୍ନ ପ୍ରକାର ଔଷଧ ଖୁଆଇ ଶାରୀରିକ ସମ୍ପର୍କ ରଖିଆସୁଥିଲା। ନାବାଳିକା ଜଣକ ଏ ନେଇ ମୁହଁ ଖୋଲିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଭୟଭୀତ କରି ରଖାଯାଇଥିଲା। ଘଟଣା ସମ୍ପର୍କରେ ବାହାରେ ପ୍ରଘଟ କଲେ ପରିଣାମ ଭୟଙ୍କର ହେବ ବୋଲି ଚେତାଇ ଦେଇଥିଲା ସମ୍ପର୍କୀୟ ମାମୁ। ବଡ଼ବାପା ଓ ବଡ଼ବୋଉଙ୍କ ବ୍ୟବହାର ବି ଠିକ୍‌ ନ ଥିଲା। ଯୌନଶୋଷଣ ସମ୍ପର୍କରେ ପୀଡ଼ିତା ଯଦିଓ ପରିବାର ଲୋକ ଓ ସମ୍ପର୍କୀୟଙ୍କୁ ଅବଗତ କରିଥିଲେ, କିନ୍ତୁ ସମସ୍ତେ ଘଟଣା ସମ୍ପର୍କରେ ଶୁଣିବା ପରେ ମଧ୍ୟ ନିରବ ରହିଥିଲେ। ଏଭଳି ପରିସ୍ଥିତିରେ ଅତିଷ୍ଠ ହୋଇ ପଡ଼ିଥିବା ନାବାଳିକା ରାଗ ଓ ହତାଶାରେ ୪ ଦିନ ପୂର୍ବରୁ କଟକ ଚାଲିଆସିଥିଲେ। ବାଦାମବାଡ଼ି ଅଞ୍ଚଳରେ ଜଣେ ସାଙ୍ଗ ନିକଟରେ ଆଶ୍ରୟ ନେଇଥିଲେ। ସହରରେ ବୁଲିବୁଲି କାମ ଖୋଜିଥିଲେ।

ମଙ୍ଗଳବାର ଏହି ନ‌ାବାଳିକା ଅରୁଣୋଦୟନଗର ଅଞ୍ଚଳରେ ଜଣେ ଆଇନଜୀବୀଙ୍କ ଘରକୁ କାମ ଆଶାରେ ଯାଇଥିଲେ। ତାଙ୍କୁ ସେହିଠାରୁ ହିଁ ଚାଇଲ୍ଡ୍‌ଲାଇନ୍‌ ଓ ଓଲସା ଖବର ପାଇ ଉଦ୍ଧାର କରି ‘ବସୁନ୍ଧରା’ରେ ଥଇଥାନ କରିଥିଲେ। ସମ୍ପୃକ୍ତ ନାବାଳିକାଙ୍କୁ ଚାଇଲ୍ଡ୍‌ଲାଇନ୍‌ ଘର ଛାଡ଼ିବା ସମ୍ପର୍କରେ ପଚରାଉଚରା କରିବା ପରେ ସେ ଯୌନଶୋଷଣ ସମ୍ପର୍କରେ ମୁହଁ ଖୋଲିଥିଲେ। ଆଜି ନାବାଳିକାଙ୍କ ପରିବାର ଲୋକ ଓ ଅଭିଯୁକ୍ତ କୁହାଯାଉଥିବା ସମ୍ପର୍କୀୟ ମାମୁକୁ କଟକ ଡକାଯାଇଥିଲା। ପଚରାଉଚରା ପରେ ଅଭିଯୋଗର ସତ୍ୟତା ଥିବା ଜଣାପଡ଼ିଥିଲା।
ସିଡବ୍ଲୁସି ଅଧ୍ୟକ୍ଷା ମନ୍ଦାକିନୀ ଜେମାଙ୍କ କହିବା ଅନୁଯାୟୀ, ଚାଇଲ୍ଡ୍‌ଲାଇନ୍‌ ପକ୍ଷରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେ ଯୌନଶୋଷଣର ଶିକାର ହୋଇଥିବା ଜଣାପଡ଼ିଛି। ତେବେ ଆସନ୍ତାକାଲି ସମ୍ପୃକ୍ତ ପୀଡ଼ିତାଙ୍କୁ ସିଡବ୍ଲୁସିରେ ହାଜର କରାଯିବାକୁ ଯୋଜନା କରାଯାଉଛି। ଅନ୍ୟପଟେ ଚାଇଲ୍ଡ୍‌ଲାଇନ୍‌ର ସ˚ଯୋଜକ ନାରାୟଣ ଶୁକ୍ଳାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ଏହି ନାବାଳିକାଙ୍କ ଶାରୀରିକ ସମ୍ପର୍କର ସତ୍ୟତା ଯାଞ୍ଚ ପାଇଁ ପରିବାର ଲୋକଙ୍କୁ ଡକାଯାଇଥିଲା। ସେମାନଙ୍କୁ ପଚରାଉଚରା ପରେ ନାବାଳିକା କରିଥିବା ଅଭିଯୋଗ ସତ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ବିଡ଼ାନାସୀ ଥାନାକୁ ଅବଗତ କରାଯାଇଥିବା ଶ୍ରୀ ଶୁକ୍ଳା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର