ରାଜୀବନଗରେ ଶିଶୁପୁତ୍ର ହତ୍ୟା ମାମଲା: ଝିଅ ବଖାଣିଲା ମା’ର କାରନାମା

ଘଟଣା ପୂର୍ବରୁ ଘରକୁ ଆସିଥିଲେ ତନୁଶ୍ରୀଙ୍କ ସ୍ବାମୀ, ଝିଅକୁ ମ୍ୟାଗି କରି ଖାଇବାକୁ ଦେଇଥିଲେ

ଭୁବନେଶ୍ବର: ଖଣ୍ଡଗିରି ରାଜୀବନଗରରେ ୫ ବର୍ଷର ଶିଶୁପୁତ୍ର ସାଇରାମକୁ ହତ୍ୟା ଘଟଣାର ୫ ଦିନ ପରେ ବି ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। କାହିଁକି, କେଉଁ ପରିସ୍ଥିତିରେ ସାଇରାମକୁ ପଡ଼ୋଶୀ ମହିଳା ତନୁଶ୍ରୀ ପରମାଣିକ ହତ୍ୟା କଲେ ତାର ପର୍ଦ୍ଦାଫାସ୍ ହୋଇ ପାରି ନାହିଁ। ଏମିତି କଣ ଘଟିଥିଲା ଯାହା ଫଳରେ ତନୁଶ୍ରୀ ଏଭଳି ଲୋମଟାଙ୍କୁରା ଘଟଣା ଘଟାଇଲେ ତାକୁ ନେଇ ସାଇରାମ ପରିବାର ଲୋକଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ମନକୁ ଆନ୍ଦୋଳିତ କରୁଛି। ହତ୍ୟା ପଛର ରହସ୍ୟ କେବଳ ଅଭିଯୁକ୍ତ ମହିଳା ତନୁଶ୍ରୀ ହିଁ ଫିଟାଇ ପାରିବେ ବୋଲି ଆଶା ରଖିଛି ପୁଲିସ। କିନ୍ତୁ ତନୁଶ୍ରୀ ଚିକିତ୍ସାଧୀନ ଥିବାରୁ ପୁଲିସ ଆଶା ବାନ୍ଧି ଅପେକ୍ଷା କରିଛି।

ଅଭିଯୁକ୍ତ ମା ତନୁଶ୍ରୀର କାରନାମାର ଖୁଲାସା କରିଛି ଝିଅ। ମା କେମିତି ସାଇରାମକୁ ହତ୍ୟା କଲା ସେ କଥା ପୁଲିସ ଆଗରେ ବଖାଣିଛି ତନୁଶ୍ରୀଙ୍କ ୪ ବର୍ଷର ଝିଅ। ତନୁଶ୍ରୀଙ୍କ ଝିଅ କହିଛି ମୁଁ ମୋବାଇଲ ଫୋନରେ ଖେଳୁଥିଲି। ମୋତେ ସାଇରାମ ମୋବାଇଲ ମାଗୁଥିଲା। ସେତିକି ବେଳେ ମା ରାଗିଯାଇ ତାକୁ ମାଡ଼ ମାରିଲା। ଏକ ଓଢଣୀ ଧରି ସାଇରାମର ତଣ୍ଟିରେ ଗୁଡ଼ାଇ ଚିପି ଦେଲା। ତା ପରେ ନିଜେ ନିଜ ତଣ୍ଟିକୁ ନିଜେ ଚିପି ବେହୋସ ହୋଇ ପଡ଼ିଗଲା। ମାତ୍ର ୪ ବର୍ଷର ନାବାଳିକା ବୟାନ ଆଇନଗତ ଦୃଷ୍ଟିରୁ କୋର୍ଟରେ ଗ୍ରହଣୀୟ ନ ହେଲେ ମଧ୍ୟ ତଦନ୍ତରେ ପୁଲିସକୁ ବେଶ୍ ସହାୟକ ହେବ। ଏହା ଏକ ସଡନ୍ ପ୍ରୋଭକେସନ୍(ହଠାତ୍ ଉତକ୍ଷିପ୍ତ ହୋଇ)ରୁ ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି। କିନ୍ତୁ ପୁଲିସ ତଦନ୍ତ ଜାରି ରଖିଛି। ତନୁଶ୍ରୀ ଆଇସିୟୁରୁ ବାହାରି ଵାର୍ଡକୁ ଆସିବା ପରେ ତଦନ୍ତକାରୀ ଟିମ୍ ବୟାନ ରେକର୍ଡ କରିବ ବୋଲି ଜଣାପଡ଼ିଛି। ଧିରେ ଧିରେ ସୁସ୍ଥ ହେଉଥିବାରୁ ଦିନେ ଦୁଇ ଦିନ ମଧ୍ୟରେ ଵାର୍ଡକୁ ଆସି ଡିସଚାର୍ଜ ହେବେ ବୋଲି ଅନୁମାନ କରାଯାଉଛି। ତନୁଶ୍ରୀଙ୍କୁ ଜେରା ପରେ ପୂରା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇପାରିବ ବୋଲି ପୁଲିସ କହିଛି। ଉଲ୍ଲେଖଯୋଗ୍ୟ, ଗତ ୩ ତାରିଖରେ ହତ୍ୟାକାଣ୍ଡ ଘଟିଥିଲା।

ଘଟଣା ପୂର୍ବରୁ ଘରକୁ ଆସିଥିଲେ ତନୁଶ୍ରୀଙ୍କ ସ୍ବାମୀ
ଝିଅକୁ ମ୍ୟାଗି କରି ଖାଇବାକୁ ଦେଇଥିଲେ
ହତ୍ୟାକାଣ୍ଡର ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ତନୁଶ୍ରୀଙ୍କ ସ୍ବାମୀ ସୁବାସ ପରମାଣିକ ଘରକୁ ଆସିଥିଲେ। ଏମ୍ସ ହସ୍ପିଟାଲରେ ଚାକିରି କରୁଥିବା ସୁବାସଙ୍କୁ ଝିଅ ଫୋନ୍ କରି ଡାକିଥିଲା। ସୁବାସ ଘରେ ପହଞ୍ଚିବା ପରେ ସାଇରାମ ତାଙ୍କ ଘରେ ଖେଳୁଥିଲା। ସାଇରାମକୁ ଘରକୁ ଯିବା ଲାଗି କହିଥିଲେ ସୁବାସ। ସାଇରାମ ପଳାଇବା ପରେ ମ୍ୟାଗି ତିଆରି କରି ଝିଅକୁ ଖାଇବାକୁ ଦେଇଥିଲେ ସୁବାସ। କିଛି ସମୟ ପରେ ପୁଣି ଥରେ କାମକୁ ଫେରି ଯାଇଥିଲେ। ସେ ଯିବାର ପ୍ରାୟ ଦେଢ ଘଣ୍ଟା ପରେ ସାଇରାମ ପୁଣି ଥରେ ସୁବାସଙ୍କ ଘରକୁ ଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରୁ ସାଢେ ୧୧ଟା ଭିତରେ ସାଇରାମଙ୍କୁ ହତ୍ୟା କରା ଯାଇଥିବା ପୁଲିସ ଜାଣିବାକୁ ପାଇଛି। ହତ୍ୟାକାଣ୍ଡ ଖବର ପାଇ ପୁଲିସ ପହଞ୍ଚିବା ପରେ ସୁବାସଙ୍କ ଘରେ ଛାନଭିନ୍ କରିଥିଲା। ସୁବାସଙ୍କ ଘରେ ଗ୍ୟାସ ଚୁଲା ଜଳୁଥିବା ଦେଖିବାକୁ ପାଇଥିଲା ପୁଲିସ। ସୁବାସ ଝିଅକୁ ମ୍ୟାଗି ତିଆରି କରି ଦେବା ପରେ ଗ୍ୟାସ ଚୁଲା ଲିଭାଇବାକୁ ଭୁଲି ଯାଇଥିଲେ ନା ତନୁଶ୍ରୀ ରୋଷେଇ କରୁଥିବା ବେଳେ ଏହି ହତ୍ୟାକାଣ୍ଡ ଘଟାଇଥିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ। ଅନ୍ୟପକ୍ଷରେ ସାଇରାମଙ୍କ ବାପାଙ୍କୁ ପୁଲିସ ଆଜି ଥାନାକୁ ଡକାଇଥିଲା। ପୁଲିସ ତାଙ୍କୁ କିଛି ପଚରାଉଚରା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର