ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ‘ଶିଶୁ ପାର୍କ’ ଉଦ୍‌ଘାଟିତ

ପ୍ଲାନେଟାରିୟମ୍‌ରେ ଭିଡ଼

ଭୁବନେଶ୍ବର : ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ଆଜି ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ‘ଶିଶୁ ପାର୍କ’ ଉଦ୍‌ଘାଟିତ ହୋଇଛି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ବିଜ୍ଞାନ ସମ୍ବନ୍ଧରେ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ଦିଗରେ ଏହା ସହାୟକ ହୋଇପାରିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ। ଶିଶୁ ପାର୍କରେ ଖେଳିବା ସହିତ ବିଜ୍ଞାନ ସମ୍ବନ୍ଧରେ ଜ୍ଞାନ ଆହରଣ କରିପାରିବେ। ଏଥିରେ ସେଣ୍ଟ୍ରିଫ୍ୟୁଗାଲ ଫୋର୍ସ, ଫ୍ରିକ୍‌ସନ, ଗ୍ରାଭିଟି, ଲିଭର, ସାଉଣ୍ଡ ଓ ପେଣ୍ଡୁଲମ୍‌ ଭଳି ବିଜ୍ଞାନଭିତ୍ତିକ ଜିନିଷ ରହିଛି। ବିଜ୍ଞାନ କେନ୍ଦ୍ରର ମୁଖ୍ୟ ହରପ୍ରସାଦ ମିଶ୍ର ନିକଟରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ଦେଇଥିଲେ। ଶିକ୍ଷା ଅଧିକାରୀ ଏଚ୍‌. ଶତପଥୀ ଧନ୍ୟବାଦ ଦେଇଥିଲେ।

ପ୍ଲାନେଟାରିୟମ୍‌ରେ ଭିଡ଼
ବଡ଼ଦିନ ପାଇଁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଓ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ଛୁଟିଦିନ ଥିବାରୁ ଲୋକମାନେ ନିଜ ପରିବାର ସହ ଦୁଇ ସ୍ଥାନ ପରିଦର୍ଶନ କରିଥିଲେ। ପ୍ଲାନେଟାରିୟମ୍‌ରେ ବଡ଼ଦିନ ଓ ନୂଆବର୍ଷ ଉପଲକ୍ଷେ ସ୍ବତନ୍ତ୍ର ଭାବେ ସୋ’ଅନୁଷ୍ଠିତ ହେଉଛି। ଓଡ଼ିଆ ଓ ହିନ୍ଦୀ ଭାଷାରେ ଏହି ସୋ’ ଚାଲୁଛି। ଆଜି ପ୍ଲାନେଟାରିୟମ୍‌ରେ ୧୫ଟି ସୋ’ ଚାଲିଥିବା ବେଳେ ୨୦୧୦ଜଣ ଦର୍ଶକ ଏହି ସୋ’ ଦେଖିଥିବା ସୂଚନା ମିଳିଛି। ସେହିପରି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ମଧ୍ୟ ଦିନ ସାରା ଲୋକଙ୍କ ଭିଡ଼ ଲାଗି ରହିଥିଲା। ଆଜି ୧୧୩୭ଜଣ ଲୋକ ପରିଦର୍ଶନ କରିଥିବା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଗକୁ ନୂଆବର୍ଷ ଥିବାରୁ ସେଦିନଏହି ଭିଡ଼ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର