ବିଶ୍ବ ଶିଶୁ ଶ୍ରମିକ ନିରୋଧ ଦିବସରେ ଶିଶୁ ସୁରକ୍ଷା ଆୟୋଗର ଉଦ୍‌ବେଗ, ଶିଶୁ ଶ୍ରମିକ ଗଣତି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ

୨୪ବର୍ଷ ହେଲା ହୋଇନି ସର୍ଭେ କରୋନାରେ ସ୍ଥିତି ଆହୁରି ଗମ୍ଭୀର

ଭୁବନେଶ୍ବର: ୨୪ ବର୍ଷ ହେଲା ରାଜ୍ୟରେ ହୋଇନି ଶିଶୁ ଶ୍ରମିକ ଗଣତି। ଶେଷଥର ହୋଇଥିବା ୧୯୯୭ ମସିହାର ସର୍ଭେରେ ୨.୫ ଲକ୍ଷ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିଲେ। କରୋନା ପ୍ରଭ‌ାବ ଏବଂ ଲକ୍‌ଡାଉନ୍‌ ପରିପ୍ରେକ୍ଷୀରେ ଏହି ସଂଖ୍ୟା ଏବେ କାହିଁରେ କେତେ ବୃଦ୍ଧି ପାଇଛି। ଏମାନଙ୍କ ସ୍ଥିତି ଆହୁରି ଗମ୍ଭୀର ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବରେ ଶିଶୁ ଶ୍ରମିକ ସଂଖ୍ୟା ଗଣନା ପାଇଁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ। ବିଶ୍ବ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ଆକ୍ସନ-ଏଡ୍‌, ୟୁନିସେଫ, ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଛି।

କରୋନାର ଦ୍ବିତୀୟ ଲହରରେ ଉଦ୍‌ବେଗଜନକ ଭ‌ାବେ ବଢ଼ି ଚାଲିଛି ଅନାଥ ଏବଂ ବାପା କିମ୍ବା ମା’ ଛେଉଣ୍ଡ ଶିଶୁଙ୍କ ସଂଖ୍ୟା। ଏଭଳି ଶିଶୁମାନଙ୍କୁ ଶିଶୁ କଲ୍ୟାଣ ସମିତିରେ ହାଜର ପାଇଁ ନିର୍ଦେଶ ଦିଆଯାଉଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଏଥିରେ ଅବହେଳା ହେଉଛି। ସେଥିରେ ପୁଣି ଅଧିକାଂଶଙ୍କୁ ବାଳାଶ୍ରମରେ ରଖା ଯାଉନାହିଁ। ସମ୍ପର୍କୀୟଙ୍କ ପାଖରେ ରହୁଛନ୍ତି। ଆର୍ଥିକ ଅନଗ୍ରସର ପରିବାରରେ ଶିଶୁମାନେ ସମ୍ପର୍କୀୟଙ୍କୁ ସହାୟତା ପାଇଁ ବିପଦପୂର୍ଣ୍ଣ ଏବଂ ଅଣବିପଦପୂର୍ଣ୍ଣ କ୍ଷେତ୍ରରେ ରୋଜଗାର କରିବା ଆରମ୍ଭ କଲେଣି। କରୋନା ଯୋଗୁଁ ବର୍ଷେରୁ ଊର୍ଧ୍ବ ହେଲା ସ୍କୁଲ ବନ୍ଦ ହେଲାଣି। ଏଥିଯୋଗୁଁ ଅନେକ ବିଦ୍ୟାର୍ଥୀ ରୋଜଗାରମୁହାଁ ହେଉଛନ୍ତି। ଏଥିସହ ଅଧିକାଂଶ ପରିବାରର ଆର୍ଥିକ ମାନଦଣ୍ଡ ଗୁରୁତର ବାଧାପ୍ରାପ୍ତ ହେଉଛି। ପରିବାରକୁ ସହାୟତା ପାଇଁ ପିଲା ବିଭିନ୍ନ ହୋଟେଲ, ଦୋକାନ, କାରଖାନାରେ କାମ କରୁଛନ୍ତି। ଶିଶୁ ଚାଲାଣ ବଢ଼ିବାରେ ଲାଗିଛି। ଏଥିରେ ଉଭୟ ବାଳିକା ଏବଂ ବାଳକ ଅଛନ୍ତି।

ଶିଶୁ କମିସନ କହିଛନ୍ତି, ଗତବର୍ଷ ଲକଡାଉନ ପରେ ରାଜଧାନୀ ନିକଟସ୍ଥ ହୋଟେଲମାନଙ୍କରେ କିଛି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ସେମାନେ କମ ମଜୁରି ନେଉଥିବାରୁ ଦଲାଲମାନେ ସେମାନଙ୍କୁ ବିଭିନ୍ନ ଭାବରେ ପ୍ରଲୋଭିତ କରି ଚାଲାଣ କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁ ଶ୍ରମିକ ସଂଖ୍ୟା ସର୍ଭେ ବେଳେ ବିପଦପୂର୍ଣ୍ଣ, ଅଣବିପଦପୂର୍ଣ୍ଣ, କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସଂଖ୍ୟା ସ୍ବତନ୍ତ୍ର ଭାବରେ ସ୍ଥାନିତ ପାଇଁ ପ୍ରସ୍ତାବ ଦିଆଯିବ। ଆହୁରି ମଧ୍ୟ ବୈଠକରେ ଅଭିଯୋଗ ହୋଇଛି ଯେ ପ୍ରତ୍ୟେକ ଜିଲ୍ଲାରେ ଶିଶୁ ଶ୍ରମିକ ଟାସ୍କଫୋର୍ସ ରହିଥିଲେ ମଧ୍ୟ ଏହା କୋମାରେ ପଡ଼ିଛି। ଏପରିକି ଏହାର ବୈଠକ ମଧ୍ୟ ନିୟମିତ ହେଉ ନାହିଁ। ବର୍ତ୍ତମାନର ମହାମାରୀ ସ୍ଥିତିରେ ଏହାର ମୁକାବିଲା ପାଇଁ ପଞ୍ଚାୟତସ୍ତରରେ ଗଠିତ ଶିଶୁ ସୁରକ୍ଷା କମିଟିଗୁଡ଼ିକୁ ମଧ୍ୟ ଶକ୍ତିଶାଳୀ କରିବାର ଆବଶ୍ୟକତା ରହିଛି। ଏହି ଅବସରରେ ଅଧାରୁ ପାଠ ଛାଡ଼ୁଥିବା, ବାଲ୍ୟବିବାହ, ସରକାରୀ କଳରେ ସମନ୍ବୟର ଅଭାବ ନେଇ ଆଲୋଚନା ହୋଇଥିଲା।

ବୈଠକରେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଦିବ୍ୟା ଶାଶ୍ବତୀ, ଆକ୍ସନ ଏଡ୍‌ର ଆଞ୍ଚଳିକ ପରିଚାଳକ ଦେବବ୍ରତ ପାତ୍ର, ଆକ୍ସନ ଏଡର ଘାସିରାମ ପଣ୍ଡା, ଶିଶୁ ଏବଂ ମହିଳା ବିକାଶ କେନ୍ଦ୍ର ସମ୍ପାଦକ ସଦାଶିବ ସ୍ବାଇଁ, ୟୁନିସେଫର ନେହା ନାଇଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର