ଯେବେ ସେ କିଛି ଲେଖନ୍ତି, ତାକୁ ଶିଶୁଙ୍କୁ ପଢ଼ାଇ ଶୁଣାନ୍ତି। ପିଲାଟିଏ ପଢ଼ି ତାଳି ମାରିଲେ ତାକୁ ବହିରେ ଉତାରନ୍ତି। ୧୯୯୬ ମସିହାରେ ‘ଥୁକୁଲ ଥୁକୁଲ୍ ଫା’ ପାଇଁ ଶିଶୁ ସାହିତ୍ୟ ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ଏହି ବିଶିଷ୍ଟ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ‘ରୁମ୍କୁ ଝୁମା’ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ବାଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପୁରୀର ନୀଳଚକ୍ରନଗର ବାସିନ୍ଦା ଶ୍ରୀ ମହାନ୍ତିଙ୍କର ସପ୍ତମ ଶ୍ରେଣୀ ଓଡ଼ିଆ ସାହିତ୍ୟ ବହିରେ ‘ମୁକ୍ତି ଯୋଦ୍ଧା ଜୟୀ ରାଜଗୁର’ ବିଷୟ ସ୍ଥାନିତ ହୋଇଛି। ସେ ୨୫ଟି ମୌଳିକ ରଚନା ସମେତ ଏନ୍ବିଟିର ୬ଟି ଅନୁବାଦ ପୁସ୍ତକ ରଚନା କରିଛନ୍ତି। କେନ୍ଦ୍ର ଓ ଓଡ଼ିଶା ସହିତ୍ୟ ଏକାଡେମି କିଛି ପୁସ୍ତକର ସମ୍ପାଦନା କରିଥିବା ଶ୍ରୀ ମହାନ୍ତିଙ୍କ ସହ ଆଳାପରୁ କିଛି…
Sambad is now on WhatsApp
Join and get latest news updates delivered to you via WhatsApp
‘ରୁମ୍କୁ ଝୁମା’ ସମ୍ପର୍କରେ ପଦେ ?
‘ରୁମ୍କୁ ଝୁମା’ କୋମଳମତୀ ଶିଶୁ କିଶୋରଙ୍କ ମନସ୍ତତ୍ୱ, ଚାଲିଚଳନ ଓ ରଙ୍ଗଢଙ୍ଗକୁ ଅନୁକରଣ କରି ରଚନା କରିଛି। ପିଲା ନାମକରଣ, ଛବି ସମେତ କ୍ଷୁଦ୍ର, ସରଳ ଓ ମିଠା ବୋଧଗମ୍ୟ ଭାଷା ଦ୍ୱାରା ପିଲା ଆକୃଷ୍ଟ ହେଉଥିବାରୁ ତାହା ଥିଲା ମୋ କବିତାର ଆଧାର।
ଶିଶୁର ମନସ୍ତତ୍ତ୍ୱକୁ ବୁଝିବା କଠିନ ବ୍ୟାପାର କି ?
ଶିଶୁର ମନସ୍ତତ୍ତ୍ୱ ବୁଝିବା ପାଇଁ ଧୈର୍ଯ୍ୟ ଦରକାର। ପଶୁଟିଏ ଜନ୍ମ ହେବା ମାତ୍ରେ ଦୌଡ଼େ। କିନ୍ତୁ ଶିଶୁଟିଏ ଜନ୍ମ ନେବା ପରେ ବର୍ଷକ ପର୍ଯ୍ୟନ୍ତ ଅନ୍ୟକୁ ଅନୁକରଣ କରେ। ପରିବାରର ଆଶ୍ରା ନେଇ ବଢ଼େ। ତା’ର ମନସ୍ତତ୍ତ୍ୱକୁ ଅନୁଧ୍ୟାନ କଲେ ତାକୁ ଭଲ ପିଲାଟିଏ କରି ଗଢ଼ିବା ଅସମ୍ଭବ ହେବନି।
ଶିଶୁ ପାଇଁ କଥାବସ୍ତୁ ତଥା ପ୍ଲଟ୍ କେଉଁଠୁ ସାଉଁଟନ୍ତି ?
ଜିଲ୍ଲା ସମବାୟ କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରବନ୍ଧକ ଭାବେ କାର୍ଯ୍ୟ କରେ। କିନ୍ତୁ ବେଳେ ସବୁବେଳେ ପିଲାଙ୍କ ଗହଣରେ ଥାଏ। ପିଲାଙ୍କ ସହ କଥାବାର୍ତା ହୁଏ। ନିଜେ କବିତା ପଢ଼ି ଶୁଣାଏ। ସେମାନେ ରୋମାଞ୍ଚିତ ହୋଇ ତାଳି ମାରିଲେ ହିଁ ମୁଁ ଭାବେ ତାହା ଗ୍ରହଣୀୟ।
ଶିଶୁ ସାହିତ୍ୟର ଆବଶ୍ୟକତା ଓ ଭବିଷ୍ୟତ ସମ୍ପର୍କରେ କ’ଣ କହିବେ ?
ପ୍ରତ୍ୟେକ ସାହିତ୍ୟର ମୂଳ ସାହିତ୍ୟ ହେଉଛି ଶିଶୁ ସାହିତ୍ୟ। ଯେଉଁ ଭାଷାର ଶିଶୁ ସାହିତ୍ୟ ଯେତେ ସମୃଦ୍ଧ ସେ ଭାଷାର ବୌଦ୍ଧିକ ସାହିତ୍ୟ ସେତେ ସମୃଦ୍ଧ। ଓଡ଼ିଆ ଶିଶୁ ସାହିତ୍ୟକୁ ମୁଁ ମୋ’ର ଏ ପୁରସ୍କାରକୁ ଉତ୍ସର୍ଗ କରୁଛି। କୌଣସି ପ୍ରାନ୍ତୀୟ ଶିଶୁ ସାହିତ୍ୟଠାରୁ ଆମ ଶିଶୁ ସାହିତ୍ୟ କମ୍ ଗୁଣରେ ନାହିଁ।
ଆପଣ ଶିଶୁ ସାହିତ୍ୟରେ ବାନ୍ଧି ହୋଇ ରହିବେ ନା ମୁଖ୍ୟସ୍ରୋତର ସାହିତ୍ୟରେ ମନନିବେଶ କରିବେ ?
୪୦ ବର୍ଷ ହେଲା ଶିଶୁ ସାହିତ୍ୟ ହିଁ ଲେଖୁଛି। ସାରା ଜୀବନ ମଧ୍ୟ ସମର୍ପିତ ରହିବି। ମୁଁ ଅନ୍ୟ ସାହିତ୍ୟ କେବେ ରଚନା କରିବି ନାହିଁ। ଓଡ଼ିଆ ଶିଶୁ ସାହିତ୍ୟ କିଭଳି ସମୃଦ୍ଧ ହେବ ସେଥିପାଇଁ ଚେଷ୍ଟା କରିବି।