ଭୁବନେଶ୍ୱର: ରାଜଧାନୀରେ ଛୁଆ ଚୋରି ଉଦ୍ୟମ। ଏନେଇ ଏକ ଘରୋଇ ସ୍କୁଲ କର୍ତୃପକ୍ଷ ଥାନାରେ ଅଭିଯୋଗ କରିବା ପରେ କମିସନରେଟ ପୁଲିସ ତନାଘନା ଆରମ୍ଭ କରିଛି। ଡିସିପି ଅନୁପ ସାହୁ ଏକ ଗାଇଡ ଲାଇନ୍ ଜାରି କରିଛନ୍ତି। ସମସ୍ତ ସ୍କୁଲରେ ସିସି କ୍ୟାମେରା ଲଗାଇବା ସହିତ ଘରୋଇ ସୁରକ୍ଷା କର୍ମୀ ନିୟୋଜନ କରିବାକୁ କମିସନରେଟ ପୁଲିସ ଏକ ଗାଇଡଲାଇନ୍ ଜାରି କରିଛି। ସେହିପରି ସମସ୍ତ ଥାନା ଇନ୍ସପେକ୍ଟର ଓ ଏସିପିଙ୍କୁ ଏ ନେଇ ସର୍ତକ କରାଇବା ସହିତ ସନ୍ଦିଗ୍ଧଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି। ସ୍କୁଲ ଚାଲୁଥିବା ବେଳେ ସମ୍ମୁଖରେ ପାଟ୍ରୋଲିଂ କରିବା ପାଇଁ କଡ଼ା ନିର୍ଦେଶ ଦିଆଯାଇଛି। କିଛି ଦିନ ତଳେ ସାରା ରାଜ୍ୟରେ ଛୁଆ ଚୋରି ହେଉଥିବା ନେଇ ଚର୍ଚା ଥମି ନ ଥିବା ବେଳେ ରାଜଧାନୀରେ ସମାନଧରଣର ଘଟଣା ପୁଣି ଥରେ ଅଭିଭାବକମାନଙ୍କ ମନରେ ଭୟ ଖେଳାଇ ଦେଇଛି। କିଛି ଦିନ ହେବ ଏଭଳି ଏକ ର୍ୟାକେଟ୍ ରାଜଧାନୀରେ ସକ୍ରିୟ ହୋଇ ଉଠିଛି। ବିଶେଷକରି ସେମାନେ ରାଜଧାନୀର ପ୍ରତିଷ୍ଠିତ ସ୍କୁଲ୍ଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ଏହାଛଡ଼ା ସରକାରୀ ଓ ବେସରକାରୀ ଛୋଟବଡ଼ ସ୍କୁଲଗୁଡ଼ିକ ମଧ୍ୟ ସେମାନଙ୍କ ନଜରରୁ ବାଦ୍ ପଡ଼ିନି। ଏହି ର୍ୟାକେଟ୍ର ସଦସ୍ୟମାନେ ପ୍ରତିଦିନ ସ୍କୁଲ୍ ସାମ୍ନାରେ ଚକ୍କର କାଟିବା ସହ ପିଲାଙ୍କ ଉପରେ ନଜର ପକାଇବା ଆରମ୍ଭ କରିଛନ୍ତି। ଯଦି କେହି ପିଲା ସ୍କୁଲ୍ ଗେଟ୍ ସାମ୍ନାକୁ ଆସୁଛି କିମ୍ବା ସେମାନଙ୍କ ନଜରକୁ ଆସୁଛି, ବିଭିନ୍ନ ଆଳ ଦେଖାଇ ପାଖକୁ ଡାକୁଛନ୍ତି। ଆଉ ବାହାରକୁ ନେବା ପାଇଁ ଯୋଜନା କରୁଛନ୍ତି। ନୂଆପଲ୍ଲୀ ଥାନା ଅଧୀନ ଲୈଲା ସ୍କୁଲ୍ର କେତେକ ଛାତ୍ର ଏଭଳି ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ନୂଆପଲ୍ଲୀ ଥାନା ପୁଲିସ ଘଟଣା ବିଷୟରେ ଜାଣିବା ପରେ ଆଇଆଇସି ଉମାକାନ୍ତ ପ୍ରଧାନ ସ୍କୁଲ ଅଧ୍ୟକ୍ଷଙ୍କୁ ଭେଟି ଏ ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି।
ଅଭିଯୋଗ ପରେ କମିସନରେଟ ପୁଲିସର ତନାଘନା
ଲୈଲା ସ୍କୁଲର ଏକାଧିକ ଛାତ୍ରଙ୍କୁ ଅପହରଣ ଉଦ୍ୟମ
ଜାରି ହେଲା ଗାଇଡ୍ଲାଇନ୍
ସ୍କୁଲ ପକ୍ଷରୁ ମଧ୍ୟ ପିଲାଙ୍କ ସୁରକ୍ଷା ନେଇ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍କୁଲ ଚାରିପଟକୁ ସିିସିଟିଭି ନଜରରେ ରଖାଯାଇଛି। ପିଲାମାନଙ୍କୁ ସଚେତନ ମଧ୍ୟ କରାଯାଇଛି। କୌଣସି ଅଚିହ୍ନା ବ୍ୟକ୍ତିବିଶେଷଙ୍କ ସହିତ ସହ କଥା ନହେବାକୁ କିମ୍ବା ସେମାନଙ୍କଠାରୁ କୌଣିସ ଖାଦ୍ୟପଦାର୍ଥ କିମ୍ବା ଜିନିଷ ଗ୍ରହଣ ନ କରିବା ପାଇଁ ସ୍କୁଲ୍ କର୍ତ୍ତୃପକ୍ଷ ପିଲାଙ୍କୁ ତାଗିଦ୍ କରିଛନ୍ତି। ଏ ସମ୍ପର୍କରେ ଡିସିପି ଶ୍ରୀ ସାହୁ କହିଛନ୍ତି ଯେ ଛୁଆଚୋରି ଗୁଜବ। କିନ୍ତୁ ଲୈଲା ସ୍କୁଲ ନିକଟରେ କେହି ଜଣେ ବ୍ୟକ୍ତି ପିଲାମାନଙ୍କୁ ବିଭିନ୍ନ ଆଳ ଦେଖାଇ ବାହାରକୁ ଡାକିବା ଘଟଣା ଜଣାପଡ଼ିବା ପରେ ଆମେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଘଟଣା ବିଷୟରେ ଆଲୋଚନା କରିଛୁ। ଉକ୍ତ ଯୁବକକୁ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଛି। ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପ ଶ୍ରୀ ସାହୁ କହିଛନ୍ତି। ଲୈଲା ସ୍କୁଲ କର୍ତୃପକ୍ଷଙ୍କ ଏଭଳି ଅଭିଯୋଗ ପରେ ଏବେ ରାଜଧାନୀରେ ଆନ୍ତଃଦେଶୀୟ ଶିଶୁ ଚୋରି ର୍ୟାକେଟ୍ କାମ କରୁଥିବା ଜଣାପଡ଼ିଛି। ପ୍ରକାଶଥାଉକି, ୨୦୧୨ରେ ୨୩୭, ୨୦୧୩ରେ ୨୬୩, ୨୦୧୪ରେ ୧୮୯ଜଣ ଶିଶୁ ନିଖୋଜ ହୋଇଛନ୍ତି। ଯଦି କେବଳ ଭୁବନେଶ୍ୱର ଷ୍ଟେସନ୍କୁ ହିସାବକୁ ନିଆଯାଏ, ଗତ ୩ବର୍ଷ ମଧ୍ୟରେ ୨୪୫ ଜଣ ନିଖୋଜ ହୋଇଛନ୍ତି। ଏନେଇ ଥାନାରେ ମାମଲା ରୁଜୁ ହେବା ପରେ କମିସନରେଟ୍ ପୁଲିସ ଓ ଚାଇଲଡ୍ ଲାଇନ କର୍ତୃପକ୍ଷ କିଛି ନିଖୋଜ ଶିଶୁଙ୍କୁ ଉଦ୍ଧାର କରିଛି। କିନ୍ତୁ ଏବେ ବି ଅନେକ ଅପହୃତ ଶିଶୁ ପରିବାର ଓ ପୁଲିସ ପାଇଁ ଅପହଞ୍ଚ। କୁଆଡ଼େ ଗଲେ ସେମାନେ, କେଉଁଠି ଅଛନ୍ତି, କିପରି ଅଛନ୍ତି ଥରୁଟିଏ ଚିନ୍ତା କଲେ ଦେହ ଶିହରି ଉଠେ। ଅପହୃତ ହୋଇଥିବା ଶିଶୁର ମା’ ଓ ବାପାମାନେ ସବୁ ଦିନ ତାଙ୍କ ସନ୍ତାନର ଫେରିଲା ବାଟକୁ ଚାହିଁ ଲୁହ ଗଡ଼ାଇଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/kidnap.png)