ଆରମ୍ଭ ହେଲା କିଶୋରଙ୍କୁ ଟିକାଦାନ

ପ୍ରଥମ ଦିନରେ ୪୧୦୭

ଭୁବନେଶ୍ବର: ଆଜିଠାରୁ ୧୫ରୁ ୧୮ବର୍ଷ ବୟସ୍କ କିଶୋରଙ୍କୁ ଦେଶବ୍ୟାପୀ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭୁବନେଶ୍ବରରୁ ୪ ହଜାର ୧୦୭ଜଣ କିଶୋର ଟିକା ନେଇଛନ୍ତି। ୩୯ଟି ଟିକାଦାନ କେନ୍ଦ୍ରରେ ଟିକା ଦିଆଯାଇଥିଲା। ପ୍ରଥମ ଦିନରେ ୪ହଜାର ୩୫୦ଜଣଙ୍କୁ ଟିକା ଦେବାକୁ ବିଏମ୍‌ସି ଲକ୍ଷ୍ୟ ରଖିଥିଲା। ଆସନ୍ତାକାଲି ମଧ୍ୟ ଏହି ଟିକାକରଣ ଜାରି ରହିବ। ଆଉ ୧୫ଟି ଅଧିକ ଟିକାଦାନ କେନ୍ଦ୍ର କରି ଶୃଙ୍ଖଳିତ ଭାବେ ଟିକା ଦେବାକୁ ବିଏମ୍‌ସି ଲକ୍ଷ୍ୟ ରଖିଛି। ଏହି ୧୫ଟି କେନ୍ଦ୍ର ବିଭିନ୍ନ ସ୍କୁଲରେ କରିବାକୁ ଯୋଜନା ଅଛି। ତେବେ ଆସନ୍ତାକାଲି ସ୍କୁଲରେ କେନ୍ଦ୍ର ହୋଇପାରିବ ନାହିଁ। ପରେ ସ୍କୁଲମାନଙ୍କରେ କେନ୍ଦ୍ର ଖୋଲା ଯାଇ ଟିକାଦାନ ହେବ ବୋଲି ବିମ୍‌ସି ପକ୍ଷରୁ କୁହାଯାଇଛି।

ସେହିଭଳି ୧୮-୪୪ବର୍ଗରେ ଆଜି ଗୋଟିଏ ଦିନରେ ୩ହଜାର ୬୦ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୧ ହଜାର ୩ଶହ ୫୭ ଜଣଙ୍କୁ ଟିକା ଦିଆଯାଇଛି। ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗରେ ୧୨୮୦ ଜଣଙ୍କୁ ଟିକା ଦେବା ଲକ୍ଷ୍ୟ ରହିଥିବା‌ ବେଳେ ୩୮୩ଜଣ ଟିକା ନେଇଛନ୍ତି।

ଏମ୍‌ସରେ ୧୪୭

ଭୁବନେଶ୍ବର, ୩।୧(ଇମିସ): ଏମ୍‌ସରେ ଆଜି ପ୍ରଥମ ଦିନରେ ୧୪୭ କିଶୋରଙ୍କୁ କୋଭାକ୍ସିନ୍‌ ଟିକା ଦିଆଯାଇଛି। ଏଥିମଧ୍ୟରୁ ୧୫୦ଜଣ ଅନଲାଇନ୍‌ରେ ପଞ୍ଜୀକରଣ ଏବଂ ୧୫ଜଣ ଅନ୍‌ ଦ ସ୍ପଟ୍‌ ପଞ୍ଜୀକରଣ କରିଥିଲେ। ସକାଳ ୮ଟାରୁ ଟିକାକରଣ ଆରମ୍ଭ ହୋଇଥିଲା। ଏଥିପାଇଁ ଦୁଇଟି କାଉଣ୍ଟର୍‌ର ବ୍ୟବସ୍ଥା କରାଯାଇଥିଲା। ଟିକାଦାନ ପାଇଁ ଡାକ୍ତର, ନର୍ସିଂ କର୍ମଚାରୀ, ସୁରକ୍ଷା ଏବଂ ସାନିଟାରି କର୍ମଚାରୀ ଆଦି ୧୭ଜଣଙ୍କୁ ନେଇ କମ୍ୟୁନିଟି ମେଡିସିନ୍‌ ବିଭାଗର ଅତିରିକ୍ତ ପ୍ରଫେସର୍‌ ସ୍ବୟଂପ୍ରଜ୍ଞା ପରିଡ଼ାଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯାଇଛି। ଡ. ଜ୍ୟୋତ୍ସ୍ନା ଏବଂ ଡ. ପାୟଲ ତାଙ୍କୁ ସହଯୋଗ କରୁଛନ୍ତି। ତେବେ ଟିକା ନେବା ପରେ କେହି ଅସୁସ୍ଥ ଅନୁଭବ କରି ନଥିବା ଏମ୍‌ସ ପକ୍ଷରୁ କୁହାଯାଇଛି। ଅପରାହ୍‌ଣ ୩ଟାରୁ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯାଇଥିଲା।

ପିଲାଙ୍କ ମୁହଁରୁ

ଓମିକ୍ରନ୍‌ ବଢ଼ିଲେ ବିଦ୍ୟାଳୟ ବନ୍ଦ ହେବା ଉଚିତ
ଟିକା ନେଇ ବହୁତ ଖୁସି ଲାଗୁଛି। ସରକାରଙ୍କୁ ଧନ୍ୟବାଦ। ଠିକଣା ସମୟରେ ଟିକା ଦିଆଯାଇଛି। ତେବେ ଯଦି ଓମିକ୍ରନ୍ ବଢ଼େ, ବିଦ୍ୟାଳୟ ବନ୍ଦ ହୋଇଯିବା ଉଚିତ।
-ନେହା ସାହୁ, ଯୁକ୍ତ ୨ ପ୍ରଥମ ବର୍ଷ

ନିର୍ଭୟରେ ସ୍କୁଲ ଯାଇ ହେବ
ଟିକା ନେବା ପରେ ଏବେ ଆମେ ବାହାରକୁ ଯାଇପାରିବୁ। ବିଦ୍ୟାଳୟକୁ ମଧ୍ୟ ନିର୍ଭୟରେ ଯାଇପାରିବି। ଓମିକ୍ରନ୍ ଏଣିକି ଆମ ବୟସର ପିଲାମାନଙ୍କ କ୍ଷତି କରିପାରିବ ନାହିଁ ବୋଲି ବହୁତ ଖୁସି।
-ସୌମ୍ୟଦୀପ ଉପାଧ୍ୟାୟ, ଦଶମ ଶ୍ରେଣୀ

ଟିକା ନେବାରୁ ଭୟ ଦୂର ହେଲା
ଟିକା ନେବା ପରେ ଆଜିଠୁ ଭୟ ଦୂର ହେଲା। ଟିକାକରଣ ସେଣ୍ଟର୍‌ରେ ଭଲ ବ୍ୟବସ୍ଥା ଥିବାରୁ କୌଣସି ଅସୁବିଧା ହେଲା ନାହିଁ। ଆଗକୁ ସରକାର ଆମଠୁ ଛୋଟ ପିଲାଙ୍କୁ ବି ଟିକା ଦେବା ବ୍ୟବସ୍ଥା କରିବା ଉଚିତ।
-ରାକେଶ ଡାକୁଆ, ଯୁକ୍ତ ୩

ଟିକା ଉପରେ ଭରସା ଅଛି
ସବୁବେଳେ ମନ ଭିତରେ କରୋନା ସଂକ୍ରମଣକୁ ନେଇ ଭୟ ଥିଲା। ଟିକା ଉପରେ ଭରସା ଥିବାରୁ କରୋନା ଭୟ ଦୂର ହେଲା। ଏଣିକି ପରୀକ୍ଷା ପାଇଁ ପ୍ରସ୍ତୁତ ହେବି।
-ସ୍ମୃତିରାଜ ପ୍ରଧାନ, ଦଶମ ଶ୍ରେଣୀ ଛାତ୍ର

ଟିକା ଆଶ୍ୱସ୍ତି ଦେଇଛି
ଟିକା ନେବା ପରେ ସେମିତି କିଛି ପାର୍ଶ୍ବ ପ୍ରତିକ୍ରିୟା ଥିଲା ଭଳି ଅନୁଭବ ହେଉ ନାହିଁ। ପୂର୍ବରୁ ପରିବାରଲୋକ ନେଇଥିଲେ, ତେଣୁ ମୁଁ ନିର୍ଦ୍ୱନ୍ଦ୍ବରେ ନେଇଗଲି। ଏଣିକି କଲେଜ ଯିବାରେ ଭୟ ନାହିଁ। ଓମିକ୍ରନ୍‌କୁ ମଧ୍ୟ ଏହି ଟିକା ପ୍ରତିହତ କରିବାରେ ସମର୍ଥ ହେବ ବୋଲି ଆଶା କରିବି।
-ସୌମ୍ୟା ପ୍ରିୟଦର୍ଶିନୀ, ଯୁକ୍ତ ୨ ଛାତ୍ରୀ

ସବୁ ସାଙ୍ଗ ଟିକା ନେଇଗଲେ ବେଶି ଖୁସି ଲାଗିବ
ଟିକା ନେବା ପାଇଁ ବହୁତ ଉତ୍ସାହିତ ଥିଲି। ଆଜି ଟିକା ନେବା ପରେ ମୁଁ ବହୁତ ଖୁସି ଓ ଅଧିକ ଶକ୍ତିଶାଳୀ ଅନୁଭବ କରୁଛି। ମୋର ସବୁ ବନ୍ଧୁମାନେ ଟିକା ନେଇଗଲେ, କଲେଜ ଯିବାକୁ ଆଉ ଭୟ ରହିବ ନାହିଁ।
-ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ

ଟିକା ନେବା ପରେ ବି ସତର୍କ ରହିବାକୁ ହେବ
ଟିକା ନେବା ଆଗରୁ ଘରୁ ବାହାରିବାକୁ ଭୟ ଲାଗୁଥିଲା। ବଜାରକୁ ଗଲେ ମନରେ ଭୟ ଆସୁଥିଲା, କାଳେ ସଂକ୍ରମିତ ହୋଇଯିବି। ଟିକା ନେବା ପରେ ଟିକିଏ ଭୟ ଦୂର ହୋଇଛି। ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ। ଟିକା ନେବା ପରେ ମୁଁ ପୂରା ସୁସ୍ଥ ଅଛି। କିଛି ପାର୍ଶ୍ବ ପ୍ରତିକ୍ରିୟା ନାହିଁ। ପ୍ରଥମ ଦିନରେ ଟିକା ପାଇଥିବାରୁ ଅଧିକ ଖୁସି।
-ପୂଜା ନାୟକ

ଶୀଘ୍ର ଟିକା ଦିଆଯାଉ ଓ ସ୍କୁଲ ବନ୍ଦ ନହେଉ
ଟିକା ନେବା ଆଗରୁ ବହୁତ ଭୟ ଲାଗୁଥିଲା। କିନ୍ତୁ ନେବା ପରେ କିଛି ଲାଗୁନି। ମୋ ଭଳି ଅନ୍ୟମାନଙ୍କୁ ଯଥାଶୀଘ୍ର ଟିକା ଦିଆଯାଉ। ଟିକା ନେବା ପରେ ଶୀଘ୍ର ସ୍କୁଲ ଖୋଲିଯାଉ। ପାଠପଢ଼ାରେ ଆଉ ବ୍ୟାଘାତ ନଘଟୁ।
-ମୋହିତ ପ୍ରସନ୍ନ ସାହୁ, ଯୁକ୍ତ ୨

ଟିକା ନେଲୁ, ମାସ୍କ ପିନ୍ଧୁଛୁ, ଆଉ ସ୍କୁଲ ବନ୍ଦ ନହେଉ
ପ୍ରଥମରୁ ଭୟ ଥିଲା, ମାତ୍ର ଟିକା ନେବା ପରେ ସେମିତି କିଛି ଅନୁଭବ ଲାଗିଲାନି। ଟିକା ସେଣ୍ଟର୍‌ରେ ଭଲ ବ୍ୟବସ୍ଥା ଥିବାରୁ କୌଣସି ଅସୁବିଧା ହୋଇନି। ପିଲାମାନେ ସ୍କୁଲ୍‌ରେ ଠିକ୍ ଭାବେ ମାସ୍କ ପିନ୍ଧୁଛନ୍ତି, ଏବେ ଟିକା ଦିଆଯାଉଛି। ତେଣୁ ସରକାର ଆଉ ସ୍କୁଲ୍ କଲେଜ ବନ୍ଦ କରିବା ଉଚିତ ନୁହେଁ।
-ଅରମାନ ସାମଲ,୧୦ମ ଶ୍ରେଣୀ

ସମ୍ବନ୍ଧିତ ଖବର