ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ବଦଳ ମାମଲାରେ ଆଜି ପୂର୍ବାହ୍ନରେ ଛୁଆ ଓ ମା’ ଙ୍କର ଡିଏନଏ ଟେଷ୍ଟ ପାଇଁ ସାମ୍ପଲ ସଂଗ୍ରହ କରାଯାଇଛି। କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଏମ୍ଏମ୍ ଗିରି ଏହି ସାମ୍ପଲ ସଂଗ୍ରହ କରିଛନ୍ତି। ସାମ୍ପଲ ସଂଗ୍ରହ ପରେ ତାହାକୁ ପୁଲିସକୁ ହସ୍ତାନ୍ତର କରା ଯାଇଛି। ପୁଲିସ ଏହାକୁ ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ନେଇଛି। ୧୦ ଦିନ ମଧ୍ୟରେ ଏହି ରିପୋର୍ଟ ଆସିବ। ରିପୋର୍ଟ ଆସିବା ପରେ ଭୁବନେଶ୍ବର କୋର୍ଟରେ ଦାଖଲ କରାଯିବ ବୋଲି ସୂଚନା ମିଳିଛି। ଯଦି ଉଭୟ ମା’ ଓ ଶିଶୁର ଡିଏନ୍ଏ ମିଶେ, ତା’ହେଲେ ସ୍ପଷ୍ଟ ହୋଇଯିବ ସେ ଶିଶୁଟି ପ୍ରାଣକୃଷ୍ଣ ବିଶ୍ୱାଳଙ୍କର। ଯଦି ନମିଶେ, ତା’ହେଲେ ସ୍ୱରୂପ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲର ଡେପୁଟି ସୁପରିନଟେଣ୍ଡେଣ୍ଟ ଡାକ୍ତର ଧନଞ୍ଜୟ ଦାଶ କହିଛନ୍ତି।
ସେପଟେ ଡିଏନ୍ଏ ଟେଷ୍ଟ ରିପୋର୍ଟ ଯଦି ନେଗେଟିଭ୍ ଆସିଲା, ତେବେ ଆଗକୁ ଅନ୍ୟ ପଦକ୍ଷେପ ନେବେ ବୋଲି କହିଛନ୍ତି ପ୍ରାଣକୃଷ୍ଣ।
ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ବାଳଙ୍କ ପତ୍ନୀ ମଙ୍ଗଳବାର ସକାଳ ୧୦ଟା ୧୫ ସମୟରେ କ୍ୟାପିଟାଲ୍ ହସ୍ପିଟାଲ୍ର ପ୍ରସୂତି ବିଭାଗ ଓଟିରେ ଏକ ଶିଶୁ ଜନ୍ମ ଦେଇଥିଲେ। ଏହାର ୬ ମିନିଟ୍ ପରେ ଅନ୍ୟ ଏକ ଓଟିରେ ଆଉ ଜଣେ ମହିଳା ମଧ୍ୟ ଏକ ଶିଶୁ ଜନ୍ମ ଦେଇଥିଲେ। ପ୍ରାଣକୃଷ୍ଣଙ୍କ ଅଭିଯୋଗ ଯେ ଓଟି ମଧ୍ୟରୁ ଜଣେ ମହିଳା ଆଟେଣ୍ଡାଣ୍ଟ ଆସି ତାଙ୍କର ପୁଅ ହୋଇଛି ବୋଲି କହି ଏକ ରେଜିଷ୍ଟରରେ ଦସ୍ତଖତ କରାଇଥିଲେ। କିନ୍ତୁ ଏହାର କିଛି ସମୟ ପରେ ଫଟୋ ଉଠାଇବା ପାଇଁ ଡାକିବା ସମୟରେ ପ୍ରାଣକୃଷ୍ଣଙ୍କୁ ଏକ ନବଜାତ ଝିଅକୁ ଦେଇଥିଲେ। ଏହାକୁ ନେଇ ସେ ଆପତ୍ତି ଉଠାଇବା ସହ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ କ୍ୟାପିଟାଲ୍ ହସ୍ପିଟାଲ୍ ପକ୍ଷରୁ ଜଣେ ମହିଳା ପରିଚାରିକାଙ୍କୁ ନିଲମ୍ବିତ କରାଯାଇଛି।