ଭୁବନେଶ୍ୱର : ବାପା ମୋର କ’ଣ ହେଇଛି, ମୁଁ ଏଠି କାହିଁକି ଅଛି। ଚାଲ ଘରକୁ ଯିବା। ବହୁତ ଦିନ ହେଲାଣି ସାଙ୍ଗମାନଙ୍କ ସହ ଗାଁ ଦାଣ୍ଡରେ ଖେଳିନି। ସେମାନେ ମୋତେ ଖେଜୁଥିବେ। ଯଦି ଏବେ ନ ଯିବି ଆଉ ସେମାନେ ମତେ ସାଙ୍ଗ କରିବେନି। ବାପା ଏ ଡାକ୍ତରଖାନା ଖାଇବା ଆଉ ମତେ ଭଲ ଲାଗୁନି। ଚାଲ ଘରକୁ ଯିବା ଏଠି ଆଉ ରହିବାନି।

Advertisment

ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ସମ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ୭ ବର୍ଷର ଶିଶୁ ସ୍ୱାଗତ ଏମିତି ସବୁଦିନେ କାକୁତିମିନତି ହେଉଛି ତା’ ବାପାଙ୍କ ପାଖରେ। ସେ ଜାଣିପାରୁନି ଯେ ସେ ରକ୍ତ କର୍କଟ ପରି ଏକ ମାରାତ୍ମକ ରୋଗର ଶିକାର ହେଇଛି । ପୁଅ ମୁହଁରୁ ଏମିତି କଥା ଶୁଣି ବାପାଙ୍କ ଆଖିରୁ ଲୁହ ଶୁଖୁନି। ପୁଅକୁ କେମିତି ବୁଝାଇବେ, ତାହାର ବାଟ ବି ପାଉ ନାହାନ୍ତି। ଭଲ ନ ହେବା ଯାଏ ଯେ, ସେ ଆଉ ଘରକୁ ଯାଇପାରିବ ନାହିଁ, ତାହା କହିବାକୁ ବାପାଙ୍କର ସାହସ ପାଉନି।

ଭଦ୍ରକ ଜିଲ୍ଲା ଧୁଷୁରୀ ପଞ୍ଚାୟତ ସ୍ଥିତ ବ୍ରାହ୍ମଣୀପାଳ ଗାଁର ସଂଜୀବ କୁମାର ସାହୁ ଓ କବିତା ରାଣୀ ସାହୁଙ୍କ ଏକମାତ୍ର ସନ୍ତାନ ହେଉଛନ୍ତି ସ୍ୱାଗତ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରୁବେଲା ଓ ମିସେଲ୍‌ସ ନିରାକରଣ ଟିକା ବିଦ୍ୟାଳୟସ୍ତରରେ ସମସ୍ତ ପିଲାଙ୍କୁ ଦିଆଯାଉଥିଲା। ସବୁ ପିଲାଙ୍କ ପରି ସ୍ୱାଗତ ବି ଟିକା ନେଇଥିଲା। କିନ୍ତୁ ଟିକା ନେବାର ଗୋଟିଏ ଦିନ ପରେ ସେ ହଠାତ୍‌ ଜ୍ୱରରେ ପଡ଼ିଲା। ସାଧାରଣ ଥଣ୍ଡା ଜ୍ୱର ହୋଇଥିବ ଭାବି ତାକୁ ଘର ଲୋକ ପ୍ରଥମେ ଧୁଷୁରୀ ଅଞ୍ଚଳର ହସ୍ପିଟାଲକୁ ନେଇଥିଲେ। ପରେ ଜ୍ୱର ନ କମିବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଗୋଟିଏ ସପ୍ତାହ ରହିବା ପରେ ମଧ୍ୟ ତା ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସି ନଥିଲା। ଫଳରେ ପରିବାର ଲୋକ ବ୍ୟସ୍ତ ହୋଇ ତାକୁ କଟକ ଶିଶୁଭବନ ନେଇଥିଲେ। ଶିଶୁଭବନରେ ସ୍ୱାଗତର ସବୁ ପ୍ରକାରର ଟେଷ୍ଟ କରାଯିବା ପରେ ଜଣାପଡ଼ିଥିଲା ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ।

ସ୍ୱାଗତର ବାପା ଚାଷ କରି ପରିବାରର ଭରଣପୋଷଣ କରନ୍ତି। ଗୋଟିଏ ଦିନ କାମ ନକଲେ ଘରେ ଭାତହାଣ୍ଡି ବସିପାରିବ ନାହିଁ। ଏମିତି ପରିସ୍ଥିତିରେ ସହରର ବଡ଼ ଡାକ୍ତରଖାନାରେ କିପରି ପୁଅର ଚିକିତ୍ସା କରିବେ, ସେଥିପାଇଁ କିଛି ବୁଦ୍ଧିବାଟ ଦିଶୁନି ପରିବାର ଲୋକଙ୍କୁ। ବହୁ କଷ୍ଟରେ ଅର୍ଥ ଯୋଗାଡ଼ କରି ନିଜର ସମସ୍ତ ସମ୍ବଳକୁ ବିକ୍ରି କରି ପୁଅକୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। କିନ୍ତୁ ଏତିକି ଟଙ୍କା ଯଥେଷ୍ଟ ନୁହେଁ ପୁଅର ଚିକିତ୍ସା କରିବା ପାଇଁ । ଯଦି ୭ ଲକ୍ଷରୁ ଅଧିକ ଟଙ୍କା ଯୋଗାଡ଼ କରି ହେବ ତାହାଲେ ଯାଇ ଏଇ ରୋଗ ପାଇଁ ଚିକିତ୍ସା କରିବା ସମ୍ଭବ।

ସ୍ୱାଗତର ପରିବାର ଲୋକଙ୍କୁ ତାଙ୍କ ପାଖାପାଖି ଅଞ୍ଚଳରେ ବସବାସ କରୁଥିବା ବଦାନ୍ୟ ବ୍ୟକ୍ତିମାନେ କିଛି ଅର୍ଥ ସହାୟତା କରିଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ପରି। ଏହି ରୋଗର ଚିକିତ୍ସା ପାଇଁ ଆହୁରି ଅର୍ଥର ଆବଶ୍ୟକତା ଥିବାରୁ ସହାୟତା ପାଇଁ ତାଙ୍କ ପରିବାରବର୍ଗ ଆକୁଳ ନିବେଦନ କରିଛନ୍ତି। ଯଦି କୌଣସି ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି, ତାହାଲେ ସଞ୍ଜୀବ କୁମାର ସାହୁଙ୍କୁ ୯୩୪୮୦୭୩୬୧୦ ନମ୍ବରରେ ଯୋଗାଯୋଗ କରିବା ସହ ତାଙ୍କ ଏସ୍‌ବିଆଇ ଆକାଉଣ୍ଟ୍‌ ନମ୍ବର ୩୪୨୩୫୫୪୦୪୫୮ (ଧୁଷୁରୀ ଶାଖା, ଆଇଏଫ୍‌ଏସ୍‌ସି କୋଡ୍‌- ଏସ୍‌ବିଆଇଏନ୍‌ ୦୦୧୩୫୮୭)ରେ ଟଙ୍କା ଜମା କରିପାରିବେ ବୋଲି ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।