ଲକ୍‌ଡାଉନ୍‌ରେ ଶିଶୁ ନିର୍ଯାତନା ବଢ଼ିଛି, ଚିନ୍ତା ପ୍ରକଟ କଲା ୟୁନିସେଫ୍‌

ଭୁବନେଶ୍ବର : କରୋନା ମୁକାବିଲାରେ ସମଗ୍ର ଶାସନକଳ ଲାଗିଥିବା ବେଳେ ଶିଶୁଯତ୍ନ ପ୍ରଭାବିତ ହୋଇଛି। ଏପ୍ରିଲ ମାସର ଦୁଇଟି ସପ୍ତାହରେ ଚାଇଲ୍ଡଲାଇନ୍‌(୧୦୯୮)କୁ ସାଧାରଣ ଫୋନ୍‌ କଲ୍‌ ଅପେକ୍ଷା ଶିଶୁମାନଙ୍କ ସଂକ୍ରାନ୍ତରେ ୫୦ ପ୍ରତିଶତ ବେଶି କଲ ଆସିଛି। ଯାହାକି ଏକ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ପୂର୍ବରୁ ଏତେ କଲ୍‌ କେବେ ଆସି ନାହିଁ। ଏଣୁ ଶିଶୁମାନଙ୍କ ଉପରେ ହିଂସା ବଢ଼ିଥିବା ୟୁନିସେଫ୍‌ ପକ୍ଷରୁ କୁହାଯାଇଛି। ସରକାରଙ୍କ ଠାରୁ ଆରମ୍ଭ କରି ଅଭିଭାବକମାନେ ଶୈଶବ ବିକାଶ (ଇସିଡି) କ୍ଷେତ୍ରରେ ଗୁରୁତ୍ବ ଦେବାକୁ ୟୁନିସେଫ୍‌ ଆହ୍ବାନ ଦେଇଛି।

ଜୁମ୍‌ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୟୁନିସେଫ୍ ଏହି ଆଶଙ୍କା ଉପସ୍ଥାପନ କରିବା ସହ କରୋନା ସଂକଟ ସମୟରେ ଛୋଟ ପିଲାମାନଙ୍କ ପାଇଁ ସହାୟତାମୂଳକ ସେବା ଉପରେ ବିଶେଷ ଅଗ୍ରାଧିକାର ଦିଆଯାଇ ନାହିଁ ବୋଲି ସ୍ପଷ୍ଟ କରିଛି। ଲକ୍‌ଡାଉନ୍‌ରେ ଶିଶୁମାନେ ଘରେ ରହୁଥିବାରୁ ଏହି ସମସ୍ୟା ଦେଖା ଦେଇଛି। ଏହି ଆଲୋଚନାରେ ପିତାମାତାଙ୍କ ଯତ୍ନର ଗୁରୁତ୍ବ ଉପରେ ୟୁନିସେଫ ପକ୍ଷରୁ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ କରାଯାଇଛି। ବିଶେଷକରି ଶିଶୁମାନଙ୍କ ପ୍ରତି ହେଉଥିବା ହିଂସା ଉପରେ ତୁରନ୍ତ ନଜର ଦିଆଯିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟ କହୁଛି। ତେବେ ଅଭିନବ ପ୍ୟାରେଣ୍ଟିଂ କାର୍ଯ୍ୟକ୍ରମରେ ଓଡ଼ିଶା ଆଗୁଆ ରହିଛି।

ୟୁନିସେଫର ଭାରତ ପ୍ରତିନିଧି ଡ.ଯସ୍ମିନ ଅଲି ହକ କହିଛନ୍ତି ଯେ, ଶିଶୁମାନଙ୍କୁ ଶୃଙ୍ଖଳିତ କରିବା ବାହାନାରେ ସେମାନଙ୍କୁ ପ୍ରାୟ ୩୦ ପ୍ରକାରର ଶାରୀରିକ ଓ ବାଚନିକ ନିର୍ଯାତନା ଦିଆଯାଉଛି। ଇବୋଲା ସମୟରୁ ଏହା ପ୍ରମାଣିତ ହୋଇଛି ଯେ, ସଂକଟ ସମୟରେ ପରିବାରଗୁଡ଼ିକ ଶିଶୁମାନଙ୍କ ଉପରେ ଅଧିକ ନିର୍ଯାତନା ଦିଅନ୍ତି ବା ସେମାନଙ୍କୁ ଅବହେଳା କରନ୍ତି। ଶିଶୁମାନେ ଅବହେଳା, ହିଂସା ଓ ନିର୍ଯାତନାର ସମ୍ମୁଖୀନ ହେଲେ ତାହା ତାଙ୍କ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇ ଥାଏ। ଏଣୁ ଏହି ସଙ୍କଟ ସମୟରେ ସେମାନଙ୍କ ସର୍ବୋତ୍ତମ ଯତ୍ନ ନିଆଯିବା ଜରୁରୀ। କୋଭିଡ-୧୯ ମୁକାବିଲା ମଧ୍ୟରେ ଶିଶୁ ସୁରକ୍ଷା ସେବାକୁ ଜରୁରୀ ସେବା ଘୋଷଣା କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ରାଜ୍ୟ ମହିଳା ଓ ଶିଶୁ ବିକାଶ ସଚିବ ଅନୁ ଗର୍ଗ କହିଛନ୍ତି, ଅଙ୍ଗନବାଡି ଶିଶୁଙ୍କ ପାଇଁ ‘ଅରୁଣିମା’ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ଓଡ଼ିଶା ସରକାର ଓ ୟୁନିସେଫ ସହଯୋଗରେ ଆରମ୍ଭ କରାଯାଇଥିବା ଏହି ପାଠ୍ୟକ୍ରମକୁ ସକାରାତ୍ମକ ସମର୍ଥନ ମିଳିଛି। କରୋନା ପରେ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି। ଛବି, ନାଚଗୀତ ଓ ଗପ ମାଧ୍ୟମରେ ପିଲାମାନଙ୍କୁ ସଚେତନ କରାଯାଉଛି। ଲକଡାଉନ ଦୃଷ୍ଟିରୁ ଏହାକୁ ଡିଜିଟାଲ ଆକାରରେ ପିତାମାତାଙ୍କ ନିକଟକୁ ଏବେ ତାହା ପଠାଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର