ସ୍ବାମୀଙ୍କ ଚିକିତ୍ସା ପାଇଁ ଶିଶୁକୁ ବନ୍ଧା ପକାଇବା ଘଟଣା : ସହାୟତାର ହାତ ବଢ଼ାଇଲେ ପ୍ରଶାନ୍ତ

ଭୁବନେଶ୍ୱର : ସ୍ବାମୀଙ୍କ ଚିକିତ୍ସା ପାଇଁ ପାଖରେ ପଇସା ନଥିବାରୁ ସବୁ ସମ୍ବଳ ସରିଗଲା ପରେ ଶେଷରେ ନିଜର ପାଞ୍ଚ ମାସର ଶିଶୁପୁତ୍ରକୁ ନିଜ ଭଉଣୀ ପାଖରେ ବନ୍ଧା ପକାଇ ୧୦ ହଜାର ଟଙ୍କା ଉଧାର ନେଇଥିଲେ ଗଞ୍ଜାମ ଜିଲ୍ଲା ବାରୁଡ଼ା ପଞ୍ଚାୟତ ବାଲିଆପଟା ଗ୍ରାମର ଝିଲ୍ଲି ନାୟକ। ଉଧାର ଟଙ୍କା ପାଇ ସେ ସ୍ବାମୀ ଦୁଃଖା ନାୟକଙ୍କୁ ନେଇ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏ ମର୍ମସ୍ପର୍ଶୀ ଘଟଣା ବିଷୟରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଉଠିଥିଲା। ଏହି ଗରିବ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ଭୁବନେଶ୍ବରର ପ୍ରଶାନ୍ତ କୁମାର ବେହେରା। ସେ ହେଉଛନ୍ତି, ଆମ ଓଡ଼ିଶାର ଆଜୀବନ ସଭ୍ୟ ତଥା ଶ୍ରୀଜଗନ୍ନାଥ ମାହତ୍ମ୍ୟ ପ୍ରଚାରକ। ଆଜି ସେ ‘ସମ୍ବାଦ’ ମାଧ୍ୟମରେ ୧୦ ହଜାର ଟଙ୍କା ଦୁଃଖାଙ୍କ ପତ୍ନୀ ଝିଲ୍ଲୀ ନାୟକଙ୍କୁ ପ୍ରଦାନ କରିଛନ୍ତି। ଭଞ୍ଜନଗର ‘ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା ବାଲିଆପଟାରେ ପହଞ୍ଚି ଝିଲ୍ଲୀଙ୍କୁ ଏହି ସହାୟତା ରାଶି ହସ୍ତାନ୍ତର କରିଛନ୍ତି।

ସୂଚନାଯୋଗ୍ୟ ଯେ ସମ୍ବାଦରେ ରିପୋର୍ଟ ପ୍ରକାଶ ପାଇବ‌ା ପରେ ଭଞ୍ଜନଗର ଉପଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚି ଦୁଃଖାଙ୍କୁ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ପରେ ଦୁଃଖା ବର୍ତ୍ତମାନ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର