ପିଲାଦିନୁ ହିଁ ଅଭିନୟ ପାଇଁ କେଜାଣି କେମିତି ଗୋଟିଏ ଦୁର୍ବଳତା ସୃଷ୍ଟି ହୋଇଥିଲା। ମୁଁ କଟକରେ ପଢ଼ିବା ସମୟରେ ରେଡିଓ ନାଟକରେ ସ୍ୱରାଭିନୟ କରୁଥିଲି। ଅଭିନୟ ଓ ମନୋରଞ୍ଜନ ଦୁନିଆରେ ମୋର ଛୋଟମୋଟ କାମକୁ ନେଇ ସେତେବେଳର ଖବରକାଗଜରେ କିଛି ଲେଖା ବାହାରିଥିଲା। ମୋ ବାପା କିନ୍ତୁ ସେହି ଫଟୋ ଓ ଲେଖା ଦେଖି ରାଗିଗଲେ। କାରଣ ସେ ଚାହୁଁଥିଲେ ମୁଁ ପାଠପଢ଼ାରେ ମନ ନିବେଶ କରେ। ଏ ଅଭିନୟ କ୍ଷେତ୍ରରେ ପାଦ ନଦିଏ। ତେଣୁ ବର୍ଷେ କାଳ ସେ ମୋତେ ଟଙ୍କା ପଠାଇବା ବନ୍ଦ କରିଦେଲେ। ତା’ ସାଙ୍ଗେସାଙ୍ଗେ ମୋ ସହ କଥାବାର୍ତା ବି। କଟକ ସହରରେ ବିନା ଟଙ୍କାରେ ଚଳିବା ଖୁବ କଷ୍ଟକର ଥିଲା। ମୁଁ ବାଧ୍ୟ ହୋଇ ମଧୁପାଟଣାର ଏକ ରସାୟନ କମ୍ପାନିରେ ଚାକିରି ଆରମ୍ଭ କଲି। ମାସିକ ୨୧୦୦ ଟଙ୍କା ଦରମାରେ ମୁଁ କଟକ ବଡ଼ ମେଡିକାଲକୁ ଫିନାଇଲ ଓ ବ୍ଲିଚିଂ ଯୋଗାଉଥିଲି। ଏହା ଭିତରେ ଗୋଟିଏ ବର୍ଷ ଅତିକ୍ରମ କରିସାରିଥିଲା। ମୁଁ ହିରୋ ଭୂମିକାରେ ଅଭିନୟ କରିଥିବା ‘ମୋ ଭାଇ ଜଗା’ ଚଳଚ୍ଚିତ୍ରଟି ମୁକ୍ତିଲାଭ କଲା। ଏ ବିଷୟରେ ବାପା ଜାଣିବା ପରେ ମୋତେ ଘରକୁ ନେଇଗଲେ। କିନ୍ତୁ ଗାଳି କରି ନୁହେଁ ବରଂ ବୁଝାଇବା ଢଙ୍ଗରେ କହିଲେ, ତୁ ପ୍ରଥମେ ପାଠପଢ଼ା ଶେଷ କର, ତା’ପରେ ଆଉ ଯାହା କରୁଛୁ କର। ପରୋକ୍ଷରେ ହେଲେ ବି ମୋତେ ଯେମିତି ଅଭିନୟ କରିବାକୁ ବାପାଙ୍କଠାରୁ ଅନୁମତି ମିଳିଯାଇଥିଲା। ବାସ୍‌....ଆଉ କେବେ ପଛକୁ ଚାହିଁନି। ହେଲେ ଆଜି ବି ସେଇ ସ୍ମୃତି ମୋତେ ଆତ୍ମସ୍ଥ କରେ ବୋଲି କୁହନ୍ତି ଅଭିନେତା ସନ୍ତୋଷ ନାୟକ।