ଗଛମୂଳରୁ ୪ ଭାଇଭଉଣୀକୁ ଉଦ୍ଧାର କଲା ଚାଇଲ୍ଡଲାଇନ୍

୮ମାସ ତଳୁ ମା’ ପଳାଇଥିଲା, ବାପା କାମକୁ ଯାଇ ଫେରିନାହିଁ, ୩ଦିନ ହେଲା ଅଖିଆଅପିଆ

ଖଣ୍ଡଗିରି : ଶନିବାର ପାତ୍ରପଡ଼ା ଡିଏନ୍ ରିଗାଲିଆ ମଲ୍‌ ନିକଟସ୍ଥ ଏକ ଗଛମୂଳରୁ ୪ଜଣ ଭାଇଭଉଣୀକୁ ଚାଇଲ୍ଡଲାଇନ୍ ଉଦ୍ଧାର କରିଛି। ଉଦ୍ଧାର ଶିଶୁଙ୍କ ମଧ୍ୟରେ ଜଣେ ୬ବର୍ଷର ପୁଅ ଥିବାବେଳେ ୧୦, ୮ ଓ ୩ବର୍ଷର ତିନି ଜଣ ଝିଅ ରହିଛନ୍ତି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହି ୪ ଭାଇଭଉଣୀ ତାଙ୍କ ବାପାଙ୍କ ସହ ଏମ୍ସ ନିକଟସ୍ଥ ଏକ ବସ୍ତିରେ ରହନ୍ତି। ୮ମାସ ତଳେ ସେମାନଙ୍କ ମା’ କେଉଁଆଡ଼େ ଫେରାର୍ ହୋଇଯାଇଛି। ବାପା ପଥର ଭାଙ୍ଗି ପିଲାଙ୍କୁ ପାଳନ୍ତି। ହେଲେ ଗତ ୩ଦିନ ହେଲା କାମ କରିବାକୁ ଯାଇଥିଲେ ହେଁ ଫେରିନାହାନ୍ତି। ପୂର୍ବରୁ ସେମାନେ ଏକ ଭଡ଼ା ଘରେ ରହୁଥିଲେ। ତେବେ ମା’ ପିଲାମାନଙ୍କୁ ଛାଡ଼ି ଚାଲିଯିବା ପରେ ବାପା ଘରଭଡ଼ା‌ ଦେଇ ନ ପାରି କୁଆଡ଼େ ପଳାଇଥିଲେ। ୪ ଦିନ ତଳେ ବାପା ଘରକୁ ଫେରି ସେମାନଙ୍କୁ ସାଥିରେ ନେଇ ଯାଇଥିଲେ ଏବଂ ପାଖ ବସ୍ତିରେ ରହିବେ ବୋଲି କହିଥିଲେ। କିନ୍ତୁ ଏବେ ବାପା ମଧ୍ୟ କୁଆଡ଼େ ଚାଲି ଯାଇଥିବାରୁ ପିଲାମାନେ ଭୋକରେ ରାସ୍ତାକଡ଼କୁ ଚାଲି ଆସିଥିଲେ। ଶନିବର ଚାଇଲ୍ଡଲାଇନ୍ ସେମାନଙ୍କୁ ଉଦ୍ଧାର କରିବା ପରେ ସିଡବ୍ଲୁସିରେ ହାଜର କରାଇଥିଲା। ଏହାପରେ ତମାଣ୍ଡୋ ପୁଲିସକୁ ଅବଗତ କରାଇ ୩ ଭଉଣୀଙ୍କୁ ଭିଜେଏସ୍‌ଏସ୍ ଆଶ୍ରୟସ୍ଥଳୀରେ ରଖିଥିବା ବେଳେ ସାନ ଭାଇକୁ ରୁଚିକା ଆଶ୍ରୟସ୍ଥଳୀରେ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର