ଲିଭିନଥିଲା ମା’ର ଚିତା, ୩ ଝିଅଙ୍କୁ କୋଳେଇଲା ଚାଇଲ୍‌ଡ ଲାଇନ୍‌

ବାଲିପାଟଣା : ଶ୍ମଶାନରେ ମା’ର ଚିତା ଜଳୁଥିଲା। ଏ ପଟେ ଭଙ୍ଗା କୁଡ଼ିଆରେ ଗରିବ ବାପାଟି ଚାରି ଚାରି ଝିଅଙ୍କୁ ନେଇ କେମିତି ଚଳିବ ବୋଲି ରାହା ଖୋଜୁଥିଲା। ସେଥିରେ ପୁଣି ଥିଲା ନିକଟରେ ଜନ୍ମ ନେଇଥିବା ଶିଶୁ କନ୍ୟାଟିଏ। ମା’ କୋଳ ଖୋଜୁଥିବା ଛୁଆକୁ ନେଇ କେମିତି ବଞ୍ଚାଇ ରଖିବ ବୋଲି ବିଚରା ବାପା ଭାଳି ହେଉଥିଲା। କୁନି କୁନି ୨ ଝିଅ କାନ୍ଦି କାନ୍ଦି ଥକି ପଡ଼ିଥିଲେ। ବଡ଼ ଝିଅଟି ନିରବ ହୋଇଯାଇଥିଲା। କିଛି ବୁଦ୍ଧି ବାଟ ଦିଶୁନଥିଲା ବାପାକୁ। ତେବେ ଏତିକିବେଳେ ୩ ପିଲାଙ୍କୁ କୋଳେଇ ନେଲା ଚାଇଲ୍‌ଡ ଲାଇନ୍‌। ପିଲାମାନଙ୍କର ସମସ୍ତ ଭରଣପୋଷଣ ଦାୟିତ୍ବ ବହନ କଲା ଚାଇଲ୍ଡ ଲାଇନ୍‌। ବିଚରା ବାପା ବି ଅସହାୟ ଭାବେ ପିଲାମାନଙ୍କୁ ଟେକି ଦେଲା ଚାଇଲ୍‌ଡ ଲାଇନ୍‌ ହାତରେ। ଆଜି ବାଲିପାଟଣା ପମ୍ପାଲୋ ପଞ୍ଚାୟତ ଗଡ଼ବନ୍ତପୁରରେ ଘଟିଥିବା ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଗରିବୀର ଏହି ବିକଳ ଚିତ୍ରକୁ ନେଇ ଘରେ ଘରେ ଚର୍ଚ୍ଚା ଚାଲିଛି।

ଘଟଣାଟି ଥିଲା ଏମିତି; ଗଡ଼ବନ୍ତପୁର ଗ୍ରାମର ଗରିବ ବ୍ୟକ୍ତି ଭାଗବତ ସାମଲ। ପତ୍ନୀ ଗୀତା ଓ ୪ ଝିଅକୁ ନେଇ ସଂସାର। ବଡ଼ ଝିଅ ମାମୁନି ସାମଲ (୧୦) ପରେ ପାପୁନି ସାମଲ (୭), ଶିବାନୀ ସାମଲ (୪) ଏବଂ ନବଜାତ ଝିଅ ତୁଳସୀକୁ ନେଇ ଭାଗବତଙ୍କ ପରିବାର। ଶେଷ ଝିଅକୁ ଜନ୍ମ ଦେବା ପରେ ଗୀତା ଅସୁସ୍ଥ ହୋଇପଡ଼ିଲେ। ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଅର୍ଥାଭାବରୁ ଦୁର୍ବଳ ହୋଇ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇପଡ଼ିଲେ। କିଛି ଦିନ ତଳେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ମନୋରଞ୍ଜନ ହାତୀ, ସିଡିପିଓ ସ୍ବର୍ଣ୍ଣଲତା ବେହେରା ଗାଁକୁ ଯାଇ ମା’ ଏବଂ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିଥିଲେ। ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଇ ଗୀତା ଓ ନବଜାତ ତୁଳସୀର ସ୍ୱାସ୍ଥ୍ୟାବସ୍ଥା ବୁଝୁଥିଲେ। ହେଲେ ଗୀତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ଗତକାଲି ଗୀତା ଆଖି ବୁଜି ଦେଇଥିଲେ। ଭାଗବତ ମୃତ ପତ୍ନୀଙ୍କୁ ଗାଁ ଶ୍ମଶାନରେ ପୋତି ଦେବାକୁ ଯାଉଥିଲେ। କିନ୍ତୁ ଖବର ପ୍ରଚାର ହେବା ପରେ ଉକ୍ତ ଅଞ୍ଚଳର ବହୁ ବ୍ୟକ୍ତି ଗାଁକୁ ଯାଇ ଗୀତାଙ୍କ ଶବଦାହ କରିବାରେ ଭାଗବତଙ୍କୁ ସହଯୋଗ କରିଥିଲେ। ହେଲେ ନବଜାତ ତୁଳସୀ ଓ ଅନ୍ୟ ୩ ପିଲାଙ୍କୁ ନେଇ କେମିତି ଚଳିବ ବୋଲି ଭାଗବତ ମୁଣ୍ଡ ପିଟି କାନ୍ଦିଥିଲେ। ସ୍ଥାନୀୟ ସରପଞ୍ଚ ବିଜୟଲକ୍ଷ୍ମୀ ପାଇକରାୟ, ସ୍ୱାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡ଼ି ସୁପରଭାଇଜର ଉଷାରାଣୀ ଖାଡ଼ଙ୍ଗା ପ୍ରମୁଖ ତୁରନ୍ତ ଚାଇଲଡ୍ଡ ଲାଇନକୁ ଜଣାଇଥିଲେ। ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ହାତୀ ମଧ୍ୟ ଚାଇଲ୍‌ଡ ଲାଇନ୍ ସହ ଯୋଗାଯୋଗ କରିଥିଲେ। ତେଣୁ ଆଜି ସକାଳୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ କାଉନ୍‌ସିଲର ଇତିଶ୍ରୀ ଦାସ, ଟିମ୍‌ ମେମ୍ବର ଚିତ୍ତରଞ୍ଜନ ଭୋଇ ଭାଗବତଙ୍କ ନିକଟରେ ପହଞ୍ଚି ୩ ଝିଅ ପାପୁନି, ଶିବାନୀ ଏବଂ ତୁଳସୀଙ୍କୁ ନେଇଥିଲେ। ଗୀତାଙ୍କ ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ବଡ଼ ଝିଅ ମାମୁନି ବାପା ଭାଗବତ ନିକଟରେ ରହିବ ଓ ପରେ ତାକୁ ମଧ୍ୟ ଚାଇଲ୍‌ଡ ଲାଇନ୍‌କୁ ନିଆଯିବ ବୋଲି ଚୁକ୍ତି ହୋଇଥିଲା।

ଏହି ସମୟରେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ମମିତା ସ୍ୱାଇଁ, ସହାୟିକା ସ୍ବର୍ଣ୍ଣଲତା ସ୍ୱାଇଁ, ମହିଳା ସ୍ୱାସ୍ଥ୍ୟକର୍ମୀ ଦୀପ୍ତିରାଣୀ ପାଲ, ପୁରଷ ସ୍ୱାସ୍ଥ୍ୟକର୍ମୀ ପ୍ରଭାତ କୁମାର ମହାରଣା, ସମାଜସେବୀ ଅଜିତ ପାଇକରାୟ ପ୍ରମ୍ମୁଖ ଉପସ୍ଥିତ ଥିଲେ। ବାପା ପାଖରୁ କୁନି କୁନି ଝିଅମାନଙ୍କୁ ଚାଇଲ୍ଡ ଲାଇନ୍‌ କୋଳେଇ ନେଉଥିବାର ଦୃଶ୍ୟ ଦେଖି ଉପସ୍ଥିତ ଦେଖଣାହାରୀମାନେ କୋହ ସମ୍ଭାଳି ପାରିନଥିଲେ। ପିଲାମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ହାଜର କରାଯିବା ପରେ ସ୍ବେଚ୍ଛାସେବୀ ସଂଗଠନ ‘ଆମ ଘର’କୁ ପଠାଯାଇଛି।

ସମ୍ବନ୍ଧିତ ଖବର