ଅନ୍ଧାର ରାସ୍ତାରେ ଭବି‌ଷ୍ୟତ ଯୁବପିଢ଼ି: ମୋବାଇଲ ମାୟାରେ ପିଲା ପାଗଳ

ଚିଡ଼ିଚିଡା ସ୍ବଭାବ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି

ଭୁବନେଶ୍ବର : ସମ୍ପ୍ରତି ଡିଜିଟାଲ ଯୁଗରେ ମୋବାଇଲ୍ ଫୋନ୍‌ର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି। ନାମୀଦାମୀ ବିଦ୍ୟାଳୟରେ ଅତ୍ୟାଧୁନିକ ପଦ୍ଧତିର ପାଠପଢ଼ା କାରଣରୁ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାକୁ ପଡ଼ୁଛି। ତେବେ କରୋନା କାଳରେ ସବୁ ବିଦ୍ୟାଳୟରେ ହେଉଥିବା ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାକୁ ବାଧ୍ୟ କରିଛି। ତେଣୁ ଏବେ ସବୁ ପିଲାଙ୍କ ହାତରେ ମୋବାଇଲ୍‌ ‌ଫୋନ୍‌। ମାତ୍ର ପାଠପଢ଼ା ପାଇଁ ମୋବାଇଲ୍‌ ଫୋନ୍‌ ବ୍ୟବହାର ଧୀରେଧୀରେ ପିଲାଙ୍କ ପାଇଁ ଘାତକ ସାଜିବା ପରିଲକ୍ଷିତ ହେଲାଣି। ପାଠପଢ଼ା ସମୟ ବାଦ୍ ପିଲାମାନେ ମୋବାଇଲ୍‌ ଫୋନ୍‌ରେ ଅଧିକ ସମୟ ବିତାଉଛନ୍ତି। ବହୁ ପିଲା ଭୋକଶୋଷ ଭୁଲି ଯାଉଛନ୍ତି। ଏମିତିକି ସେମାନଙ୍କୁ ରାତିରେ ନିଦ ହେଉନାହିଁ। କିଏ ଫ୍ରି ଫାୟାର ଗେମ୍ ଖେଳିଲାଣି ତ ଆଉ କିଏ ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍, ହ୍ବାଟ୍‌ସଆପ୍ ଓ ଡେଟିଂ ସାଇଟ୍‌ରେ ଚାଟିଂ କଲାଣି। ଚିନ୍ତାର ପ୍ରସଙ୍ଗ ହେଉଛି ଅଧିକ ସମୟ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିବା ପିଲାମାନଙ୍କ ସ୍ବଭାବରେ ବଡ଼ଧରଣର ବିଲକ୍ଷଣ ଦେଖାଗଲାଣି। ବହୁ ପିଲା ଚିଡ଼ିଚିଡ଼ା ସ୍ବଭାବର ହୋଇଗଲେଣି। ଏମିତିକି ପିଲାଙ୍କ ଭିତରେ ଆତ୍ମହତ୍ୟାପ୍ରବଣତା ବୃଦ୍ଧି ପା‌ଉଛି। ତେଣୁ ଭବିଷ୍ୟତ ଯୁବପିଢ଼ି ପାଇଁ ଏହା ବଡ଼ ଉଦ୍‌ବେଗର କଥା ବୋଲି ବୁଦ୍ଧିଜୀବୀମହଲରେ ମତ ପ୍ରକାଶ ପାଇଛି।

ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ଅନ୍‌ଲାଇନ୍ କ୍ଲାସ୍ ଚାଲୁଛି। ତେଣୁ ପିଲାମାନଙ୍କ ଦ୍ବାରା ମୋବାଇଲ ଫୋନ୍ ବ୍ୟବହାର ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି। ଛୋଟ ପିଲାମାନେ ମୋବାଇଲ ଫୋନ୍‌ ସହ ଅଭ୍ୟସ୍ତ ହୋଇଯାଇଛନ୍ତି। ଅନ୍‌ଲାଇନ୍ ପାଠପଢ଼ା ବାହାନାରେ ସେମାନେ ଗେମ୍ ଖେଳିବା ଓ ସୋସିଆଲ୍ ମିଡିଆରେ ଚାଟିଂ କରିବାରେ ବ୍ୟସ୍ତ ରହୁଛନ୍ତି। ଅତ୍ୟଧିକ ମୋବାଇଲ ଫୋନ୍ ବ୍ୟବହାର ଯୋଗୁଁ ପିଲାମାନେ ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ ହୋଇପଡ଼ୁଥିବା ଦେଖାଯାଉଛି। ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିସନଙ୍କ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ୫୯.୨ ପ୍ରତିଶତ ସ୍କୁଲ ଛାତ୍ରଛାତ୍ରୀ ସୋସିଆଲ୍ ମିଡିଆରେ ଚାଟିଂ ପାଇଁ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି। ମାତ୍ର ୧୦.୨ ପ୍ରତିଶତ ପିଲା ପାଠପଢ଼ା ପାଇଁ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି। ବଡ଼ କଥା ହେଉଛି ପାଠପଢ଼ାରେ ବାଧା ନ ଉପୁଜିବା ପାଇଁ ଅଭିଭାବକମା‌ନେ ପିଲାଙ୍କୁ ଅଲଗା ମୋବାଇଲ୍‌ ଫୋନ୍‌ ଦେଇଛନ୍ତି। ତେଣୁ ୩୦.୨ ପ୍ରତିଶତ ପିଲାଙ୍କ ପାଖରେ ନିଜସ୍ବ ମୋବାଇଲ ଫୋନ୍ ରହିଛି। ଫଳରେ ସେମାନେ ମନଇଚ୍ଛା ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଛନ୍ତି।

The Economic Times

ଗତ ନଭେମ୍ବର ମାସରେ ଅନ୍‌ଲାଇନରେ ଶିଶୁ ଯୌନଶୋଷଣକୁ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା ଓ ଚଢ଼ଉ ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଅତ୍ୟଧିକ ସୋସିଆଲ୍ ମିଡିଆ ବ୍ୟବହାର ଯୋଗୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଥିଲା। ଶିଶୁ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ପାଣିଗ୍ରାହୀଙ୍କ କହିବା ଅନୁଯାୟୀ ଅତ୍ୟଧିକ ମୋବାଇଲ ଫୋନ୍ ବ୍ୟବହାର ପିଲାର ମାନସିକ ବିକାଶରେ ବାଧା ସୃଷ୍ଟି କରିବ। ଏଥିପାଇଁ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖାଯାଉଛି। ପିଲାମାନେ ଶାରୀରିକ ପରିଶ୍ରମ ବା ପଡ଼ିଆରେ ଖେଳିବାକୁ ଇଚ୍ଛା କରୁନାହିଁ। ଆଖି ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ୁଛି। ପିଲାମାନେ ନିଦ୍ରାହୀନତାର ଶିକାର ହେଉଛନ୍ତି। ଏହା ଆଗାମୀ ଦିନରେ ପିଲାଙ୍କ ପାଇଁ ଘାତକ ସାବ୍ୟସ୍ତ ହେବ। ତେଣୁ ଏବେଠୁ ଅଭିଭାବକମାନେ ସତର୍କ ହେବା ଜରୁରୀ। ସେମାନେ ପିଲାମାନଙ୍କ ସହ ଅଧିକ ସମୟ ବିତାଇବା ସହ ଅଧିକ ସମୟ ମୋବାଇଲ୍‌ ଫୋନ୍‌ ବ୍ୟବହାରର କୁପ୍ରଭାବ ବିଷୟରେ ବୁଝାଇବା ଜରୁରୀ।

ସାଇବର ବିଶେଷଜ୍ଞ ଆକାଶ ମିଶ୍ରଙ୍କ କହିବା କଥା ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍ ଭଳି ସୋସିଆଲ୍‌ ସାଇଟ୍‌ରେ ପିଲାମାନେ କ’ଣ କରୁଛନ୍ତି, ଅଭିଭାବକମାନେ ତଦାରଖ କରିବା ଆବଶ୍ୟକ। ସ୍କୁଲ, କଲେଜରେ ପିଲାମାନଙ୍କ ପାଇଁ ସାଇବର ସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର। ମନସ୍ତତ୍ତ୍ବବିତ୍‌ମାନଙ୍କ କହିବା କଥା ପିଲାମାନଙ୍କର ଆଚରଣ ଓ ବ୍ୟବହାରରେ ପରିବର୍ତ୍ତନ ଦେଖାଗଲେ କିମ୍ବା ପିଲାମାନେ ମନସ୍ତାପରେ ରହୁଥିବା ଜଣାପଡ଼ିବା ମାତ୍ରେ ଅଭିଭାବକମାନେ ବିଭିନ୍ନ ଫୋରମ୍‌ ଜରିଆରେ ସେମାନଙ୍କ କାଉନ୍‌ସେଲିଂ କରାଇବା ଉଚିତ। ଏଭଳି ଅବସ୍ଥାରେ ସୁଧାର ନଆସିଲେ, ଆଜିର କିଶୋର ତଥା ଭବିଷ୍ୟତର ଯୁବପିଢ଼ି ଅନ୍ଧାର ଭିତରକୁ ଠେଲି ହୋଇଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ମୋବାଇଲ୍‌ ପାଇଁ ଜୀବନ ଗଲା

୨୦୨୦ ଡିସେମ୍ବର ୪। ଖୋର୍ଦ୍ଧା ବେଗୁନିଆ ଗଡ଼ମାଣିତ୍ରୀ ଅଞ୍ଚଳରେ ମୋବାଇଲ ଫୋନରେ ଗେମ୍ ଖେଳିବାକୁ ନେଇ ଘରେ ତାଗିଦ୍ କରିବାରୁ ୧୩ ବର୍ଷୀୟ ନାବାଳକର ଆତ୍ମହତ୍ୟା।

୨୦୨୦ ଡିସେମ୍ବର ୬। କେନ୍ଦୁଝର ଯୋଡ଼ା ଅଞ୍ଚଳରେ ୧୩ ବର୍ଷୀୟ ନାବାଳକର ଆତ୍ମହତ୍ୟା। ଅନଲାଇନ୍ ଗେମ୍ ଖେଳି ବାପାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୧ ହଜାର ଟଙ୍କା ହରାଇବା ପରେ ଏହି ଘଟଣା ଘଟିଥିଲା।

୨୦୨୧ ଏପ୍ରିଲ ୯। ପାରାଦୀପରେ ମୋବାଇଲ ଫୋନ୍ ଦେବାକୁ ପରିବାର ଲୋକ ମନା କରିବାରୁ ୧୭ ବର୍ଷୀୟ ନାବାଳକର ଆତ୍ମହତ୍ୟା।

୨୦୨୧ ଅକ୍ଟୋବର ୧୨। ମୋବାଇଲ ଫୋନ୍ ବ୍ୟବହାର ପାଇଁ ପରିବାର ଲୋକ ମନା କରିବାରୁ ୧୩ ବର୍ଷୀୟ ନାବାଳକର ଆତ୍ମହତ୍ୟା।

ସମ୍ବନ୍ଧିତ ଖବର