ବହିରୁ ମନ୍ତ୍ର ପଢ଼ି‌ ଘରେ ପୂଜା କରିବେ ପିଲା

ଭୁବନେଶ୍ୱର: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟମାନଙ୍କରେ ପୂଜା ପାଳନ ଉପରେ କଟକଣା ରହିଛି। ବହୁ ବିଦ୍ୟାଳୟରେ କେବଳ ବିଧି ରକ୍ଷା କରି ପୂଜା ପାଳନ କରାଯାଉଛି। ଶିକ୍ଷକ ଶିକ୍ଷୟିତ୍ରୀମାନେ କେବଳ ଫଟୋ ପୂଜାରେ ବିଧି ରଖି‌ବେ ବୋଲି ଜଣାପଡ଼ିଛି। କୌଣସି ଛାତ୍ରଛାତ୍ରୀ ଏଥିରେ ସାମିଲ୍ ହୋଇପାରିବେ ନାହିଁ। ତେଣୁ ଛାତ୍ରଛାତ୍ରୀମାନଙ୍କ ମନରେ ପ୍ରଚଣ୍ଡ ଦୁଃଖ ସୃଷ୍ଟି ହୋଇଛି। ତେବେ ପିଲାମାନେ ବି କିଛି କମ୍ ନୁହଁନ୍ତି। ବହୁ ପିଲା ନିଆରା ଢ଼ଙ୍ଗରେ ଗଣେଶଙ୍କୁ ପୂଜା କରିବାକୁ ଯାଉଛନ୍ତି। ବିଦ୍ୟାଳୟରେ ନହେଲେ ବି ସେମାନେ ଘରେ ପୂଜା କରିବେ। ତେଣୁ ଆଜି ବଜାରରୁ ସେମାନେ ବହୁ କୁନିକୁନି ଗଣେଶ ମୂର୍ତ୍ତି କିଣିଛନ୍ତି। କିଏ ମାଟି ମୂର୍ତ୍ତି କିଣିଛି ତ କିଏ ସହିତ ପ୍ଲାଷ୍ଟର ଅଫ୍ ପାରିସ୍‌ ମୂର୍ତ୍ତି କିଣିଛି। ବଡ଼ କଥା ହେଉଛି ପିଲାମାନେ ବିନା ବ୍ରାହ୍ମଣ (ପୂଜକ)ରେ ପୂଜା କରିବେ। ପୂଜକ ଭାଇନା ମିଳିବା ଓ ଦକ୍ଷିଣା ସମସ୍ୟା ପାଇଁ ସେମାନେ ନିଜେ ମନ୍ତ୍ରପାଠ କରିବାକୁ ‌ଯୋଜନା କରିଛନ୍ତି। ତେଣୁ ପୂଜା ବିଧି ବହି କିଣିଛନ୍ତି। ନିଜେ ନିଜେ ମୂର୍ତ୍ତି ସମ୍ମୁଖରେ ବହିରୁ ମନ୍ତ୍ର ପଢ଼ି ସେମାନେ ଗଣେଶଙ୍କୁ ଆବାହନ କରିବେ। ଖଣ୍ଡଗିରି, କଳିଙ୍ଗନଗର, ଶ୍ୟାମପୁର, ଭରତପୁର ଆଦି ଅଞ୍ଚଳରେ ଏଭଳି ବହୁ ଛାତ୍ରଛାତ୍ରୀ ନିଜେ ନିଜେ ବହି ପଢ଼ି ପୂଜା କରିବେ ବୋଲି ଜଣାପଡ଼ିଛି।

ଏଥର ୨ ଫୁଟିଆ ବୁଢ଼ା ଗଣେଶ
ଚଳିତ ବର୍ଷ ଏକାମ୍ର କ୍ଷେତ୍ରର ୩୦ଟି ସ୍ଥାନରେ ଗଣେଶ ପୂଜା କରାଯିବ। ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ ଓ ପୂଜା କମିଟି ପକ୍ଷରୁ କୋଭିଡ଼୍‌ କଟକଣାରେ ଗଣପତିଙ୍କ ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଜମେଶ୍ୱର ପାଟଣା ସାହିରେ ବୁଢ଼ା ଗଣେଶଙ୍କୁ ପୂଜା କରାଯିବ। କିନ୍ତୁ ଏଥରକ ମୂର୍ତ୍ତିର ଉଚ୍ଚତାକୁ ନେଇ କଟକଣା ଲଗାଯାଇଥିବାରୁ ବୁଢ଼ାଗଣେଶଙ୍କ ମୂର୍ତ୍ତିର ଉଚ୍ଚତା ୧୮ଫୁଟ୍‌ ବଦଳରେ ୨ଫୁଟ୍‌ରେ ସୀମିତ ରହିବ। ସେହିପରି ବଢ଼େଇବାଙ୍କ ଛକ ନିକଟ ବଡ଼ୁସାହି ଗଣେଶ ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ୧୭ଫୁଟ୍‍ର ମୂର୍ତ୍ତି କରାଯାଉଥିବା ବେଳେ ଏବର୍ଷ ତାହା ୩ ଫୁଟ୍‌ରେ ସୀମିତ ରହିଛି। ଏହାବ୍ୟତୀତ ତିନିମୁଣ୍ଡିଆ, ହାଟ ସାହି, ବଣିଆ ସାହି, କୁଞ୍ଜପାଟଣା ସାହି, ବାରିକ ସାହି, ରାମେଶ୍ବର ପାଟଣା, ଦର୍ଜି ସାହି, ପୂଜାପଣ୍ଡା ସାହି, କୈବର୍ତ୍ତ ସାହି, ଖରାଖିଆ ବୈଦ୍ୟନାଥ ସାହି, ଜାଗେଶ୍ବରୀ କ୍ଲବ, ପୁନାମା ଗେଟ୍‌ ଛକ, କଞ୍ଚ ସାହିରେ କରୋନା ଗାଇଡ୍‌ଲାଇନ୍‌ ଅନୁଯାୟୀ ଗଜାନନଙ୍କୁ ପୂଜାର୍ଚ୍ଚନା କରାଯିବ ବୋଲି ଜଣାଯାଇଛି।

ପୂଜା ବଜାରରେ ଅସମ୍ଭାଳ ଭିଡ଼
ବିଘ୍ନ ବିନାଶକଙ୍କ ଆବାହନ ପାଇଁ ଧୂପ, ଦୀପ, ଅଗରୁ, ଚନ୍ଦନ, ସିନ୍ଦୂରଠାରୁ ଆରମ୍ଭ କରି ସରା, ଘଡ଼ି, ଧାନ, ପଞ୍ଚଶସ୍ୟ, ରାଶି, ହୋମକାଠ ସଂଗ୍ରହରେ ଲାଗି ପଡ଼ିଥିଲେ ଭକ୍ତକୂଳ। ଏପରିକି କଦଳୀ ବାହୁଙ୍ଗି, ଆମ୍ବ ଡାଳ, ଦୁବଘାସ, ବରକୋଳି ପତ୍ର ଓ କଇଁ ଫୁଲର ପସରା ବି ୟୁନିଟ୍‌-୧ ହାଟରେ ଦେଖିବାକୁ ମିଳିଥିଲା। ସେହିପରି ପୂଜାରେ ଫୁଲର ଚାହିଦା ବି ଢେର ବଢ଼ିଯାଇଛି। ଗତ ୨ ମାସ ହେଲା ଫୁଲ ଦର ଆକାଶଛୁଁଆ ଥିଲେ ମଧ୍ୟ ପାର୍ବଣ ଋତୁକୁ ନଜରରେ ରଖି ଫୁଲ ଦର ଚଢ଼ା ରହିଛି। ଏହାକୁ ନଜରରେ ରଖି ଫୁଲମାଳ ପିଛା ୫ ଟଙ୍କା ଲେଖାଏ ବୃଦ୍ଧି ପାଇଥିବା ବେଳେ ଗେଣ୍ଡୁ ମାଳ ୫୦ରୁ ୫୫ ଟଙ୍କା ରହିଛି।

ଫଳ ଓ ଫୁଲ ବଜାର ସରଗରମ୍‌
ବଜାର ହାଟରେ ଛୋଟବଡ଼ ଗଜାନନଙ୍କ ମୂର୍ତି ସହରର ଶୋଭାବର୍ଦ୍ଧନ କରୁଛି। ଫୁଲ ଓ ଫଳ ଭଣ୍ଡାର ରାଜଧାନୀରେ ଖୋଲିଛି। କରୋନା କଟକଣା ଯୋଗୁଁ ରାଜଧାନୀରେ ବିଶେଷ ଜାକଜମକ ନାହିଁ ସିନା ପାର୍ବଣର ବିଗୁଲ୍‌ କିନ୍ତୁ ବାଜି ସାରିଛି। ରଙ୍ଗିନ୍‌ ଆଲୋକମାଳାରେ ଝଲସୁନି ରାଜଧାନୀ କି ଗଳିକନ୍ଦିରେ ସୁସଜ୍ଜିତ ତୋରଣ ପାର୍ବତୀ ନନ୍ଦନଙ୍କୁ ଅପେକ୍ଷା କରିନି। ତଥାପି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଯୁବ ସଂଗଠନ ସବୁ ଛୋଟ ଛୋଟ ମୂର୍ତି ସହ ଭକ୍ତିରେ ଗଜାନନଙ୍କୁ ପାଛୋଟିବାର ପ୍ରସ୍ତୁତି ସାରିଛନ୍ତି। ରାତି ପାହିଲେ ବିରାଜିବେ ସିଦ୍ଧି ଓ ବୁଦ୍ଧିର ଦେବତା। ଏଥିପାଇଁ ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ, କ୍ଲବ୍‌ ସବୁ ଉତ୍ସବମୁଖର। ଆଜି ଅନୁକୂଳ ପାଗ ପାଇଁ ବଜାର ଚଳଚଞ୍ଚଳ ଥିଲା। ବ୍ୟବସାୟୀ ଓ ପୂଜା ମଣ୍ଡପର କର୍ମକର୍ତାଙ୍କୁ ତର ନଥିଲା। ୟୁନିଟ୍‌-୧ ହାଟ ଓ ୟୁନିଟ୍‌-୨ ମାକେର୍ଟ ବିଲ୍‌ଡିଂରେ ପ୍ରବଳ ଗହଳି ଲାଗିଥିଲା। ଜନପଥ ସମେତ ସହରର ପ୍ରମୁଖ ବଜାରଗୁଡ଼ିକରେ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଥିଲା। ଏବେ ପାର୍ବଣ ଋତୁ ପାଇଁ ଫଳ ଦାମ୍‌ ସାମାନ୍ୟ ବଢ଼ିଯାଇଛି। ସେଓ ଦର ଆଗ ଅପେକ୍ଷା ଅପେକ୍ଷାକୃତ କମିଥିବା‌ ବେଳେ ବଜାରରେ ମିଳୁଥିବା ୪ ପ୍ରକାର ସେଓର ଦର ସାଧାରଣ ସେଓ ଦେଢ଼ କିଲୋକୁ ୧୦୦ଟଙ୍କା ରହିଛି। କଦଳୀ ଡଜନକୁ ୬୦-୭୦ ଟଙ୍କା, ଅଙ୍ଗୁର ୩ ଶହ ଟଙ୍କା ରହିଛି। ପୂଜା କଳସରେ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ପଇଡ଼ର ଦାମ୍‌ ୧୫ରୁ ୨୦ ଟଙ୍କା ରହିଛି। ନଡ଼ିଆ ଦାମ୍‌ ୩୦ଟଙ୍କା ପର୍ଯ୍ୟନ୍ତ ରହିଛି। ଆଜି ସକାକୁ ପଇଡ଼ ଦୋକାନ ଖୋଲିଥିବା ସୁଶାନ୍ତ ନାୟକ କହିଛନ୍ତି, ନଡ଼ିଆ ଓ ପଇଡ଼ ବ୍ୟବସାୟ ସବୁବେଳେ ଭଲ ହେଉଥିଲେ ମଧ୍ୟ ଏହି ପୂଜା ପାର୍ବଣ ଦିନରେ ବହୁତ ବଢ଼ିଯାଏ। ଏଣୁ ପୁରୀ ଓ ପିପିଲିରୁ ନଡ଼ିଆ, ପଇଡ଼ ଆଣି ଆଗରୁ ଗଚ୍ଛିତ ରଖିଛୁ।

‘ହେ ଗଣେଶ ଦିଅଁ, ଖଡ଼ି ଛୁଆଁରୁ ତୁମ ସହିତ ହୋଇଛି ଭାବ’
ପୁରୁଣା ଭୁବନେଶ୍ୱର : ଗଣେଶ ପୂଜା ପୂର୍ବରୁ ଶିଶୁଙ୍କ ଦ୍ବାରା ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ହେ ଗଣେଶ ଦିଅଁ, ଖଡ଼ି ଛୁଆଁରୁ ତୁମ ସହିତ ହୋଇଛି ଭାବ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଳାକାର ପ୍ରଜ୍ଞା, ଶଙ୍କର, ମିଲି ମହାନ୍ତି ଓ ଜୁନିୟର ଜେଡି ଜଗଦୀଶ ଅଭିନୟ କରିଥିଲେ। ଏଥିରେ ଜୁନିୟର ଜେଡି ଜଗଦୀଶ, ପ୍ରଯୋଜକ ଭରତ ବେହେରା, ଜଗା ଜେଡି କ୍ରିଏସନର ମୁଖ୍ୟ ଜଗନ୍ନାଥ ଦାଶ ମହାନ୍ତି, ଗୀତିକାର ଅରୁଣ ସାହୁ ଓ ଉପଦେଷ୍ଠା ତଥା ବରିଷ୍ଠ କଣ୍ଠଶିଳ୍ପୀ ଦିବାକର ମହାନ୍ତି ପ୍ରଥମେ ଭଗବାନ ବିଘ୍ନ ବିନାଶକଙ୍କ ଶ୍ଳୋକ ଗାନ କରିବା ସହ ସମସ୍ତ କଳାକାରଙ୍କୁ ଉତ୍ସାହିତ କରିଥିଲେ। ଏହାକୁ ହାପି ମିଶ୍ର ସଂଗୀତରେ ସଜାଇଥିବା ବେଳେ ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି ସଚ୍ଚିଦାନଦ ସାମଲ ଓ ସହ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ମାଧବ ମହାରଣା। ଗଣେଶ ପୂଜାରେ ଏହା ଏହା ୟୁଟୁବ୍‌ରେ ରିଲିଜ୍‌ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର