ଚନ୍ଦ୍ରଶେଖରପୁର: ବୈଷୟିକ ଶିକ୍ଷାର ପରିସର ଓ ସଂଜ୍ଞା ଦିନକୁ ଦିନ ବଢ଼ିବାରେ ଲାଗିଛି। ପାଠପଢ଼ା ଏବେ କେବଳ ଶ୍ରେଣୀଗୃହ କିମ୍ବା ପାଠ୍ୟଖସଡ଼ା ମଧ୍ୟରେ ସୀମିତ ହୋଇ ରହିନାହିଁ। ବରଂ ଏହାର ପ୍ରୟୋଗାତ୍ମକ ଦିଗ ବଢ଼ିବା ସହ ଜୀବିକାର୍ଜନର ପଥ ମଧ୍ୟ ଖୋଲି ଚାଲିଛି। ତାହାକୁ ନଜରରେ ରଖି ୟୁଏସ୍ବିଏମ୍ ପରିସରରେ ଏକ ମୀନାବଜାର ‘ଆପନା ମାର୍ଟ’ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନର ନିର୍ଦ୍ଦେଶକ ସୌମ୍ୟକାନ୍ତ ବଳବନ୍ତରାୟ, ଉପଦେଷ୍ଟା କାହ୍ନୁଚରଣ ସ୍ବାଇଁ, ଅଧ୍ୟକ୍ଷ ସଞ୍ଜୀବ କୁମାର ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ପ୍ରତିଯୋଗିତାମୂଳକ ମନୋବୃତ୍ତି ଓ ସକାରାତ୍ମକ ଦୃଷ୍ଟିଭଙ୍ଗୀ ନେଇ ଜୀବନରେ ଆଗେଇବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ବିଭିନ୍ନ ଉପଭୋକ୍ତା ସାମଗ୍ରୀ ଓ ଖାଦ୍ୟଦ୍ରବ୍ୟର ଷ୍ଟଲ୍ ମାଧ୍ୟମରେ ନିଜ ବ୍ୟବସାୟ ମଡେଲ୍ଗୁଡ଼ିକୁ ପ୍ରଦର୍ଶିତ କରିଥିଲେ ବୋଲି ଅନୁଷ୍ଠାନର ସଂଯୋଜକ କୈଳାସ ଚନ୍ଦ୍ର ନାୟକ ଜଣାଇଛନ୍ତି।