ଶିଶୁ ଦିବସରେ ଶିଶୁଙ୍କୁ ନିଜ ମନର କଥା କହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ରାଜ୍ୟସ୍ତରୀୟ ଉତ୍ସବରେ ଶିଶୁଙ୍କ ଉଦ୍ଦେଶ୍ୟରେ ବାର୍ତା ବାଣ୍ଟିବେ। ତାହାକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଠାରୁ ଆରମ୍ଭ କରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ, ବିଏମ୍‌ସି, ବିଡିଏ, ପିଡବ୍ଲ୍ୟୁଡି ପ୍ରଭୃତି ସଂସ୍ଥା ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଉତ୍ସବସ୍ଥଳୀ କ୍ୟାପିଟାଲ ହାଇସ୍କୁଲ ପଡ଼ିଆ ସଜେଇ ହେଉଥିବା ବେଳେ ଟିଭିରେ ସିଧା ପ୍ରସାରଣ ଲାଗି ମଧ୍ୟ ବ୍ୟବସ୍ଥା କରାଯାଉଛି। କେବଳ ଉତ୍ସବସ୍ଥଳ ନୁହେଁ, ରାମ ମନ୍ଦିର ଛକରୁ ହାଉସିଂ ବୋର୍ଡ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯାଉଛି। ଖାସ୍‌ ଶିଶୁଙ୍କ ପାଇଁ ଆୟୋଜିତ ହେଉଥିବା ଏହି ଉତ୍ସବର ସଫଳତାକୁ ନେଇ ସମସ୍ତେ ଆଶାବାଦୀ ଅଛନ୍ତି।

Advertisment

ଏକାଧିକ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ

ଉତ୍ସବରେ ମୁଖ୍ୟ ଆକର୍ଷଣ ରହିବେ ମୁଖ୍ୟମନ୍ତ୍ରୀ। ମନର କଥାା କହିବା ସହ ଶିଶୁଙ୍କ ଲାଗି ଏକାଧିକ ଯୋଜନାର ଘୋଷଣା କରିବାର ସମ୍ଭାବନା ରହିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଘନ ଘନ ବୈଠକ ଚାଲିଛି। ଶିଶୁଙ୍କ ଉପଯୋଗୀ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟ ସରକାର ହାତକୁ ନେଇପାରନ୍ତି। ପିଲାଙ୍କୁ ମାଗଣା ଜୋତା ବଣ୍ଟନ ନେଇ ଘୋଷଣା ହୋଇପାରେ। ପାଠ୍ୟପୁସ୍ତକ ସମ୍ପର୍କିତ ମଧ୍ୟ କିଛି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

publive-image

୩୦ ମିନିଟ୍‌ର ସାଂସ୍କୃତିକ କାର୍ଯ୍ୟକ୍ରମ

ଶିଶୁ ଦିବସରେ ଚିତ୍ତାକର୍ଷକ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଓଡ଼ିଶାର ପ୍ରସିଦ୍ଧ କଳାକାରଙ୍କ ଦ୍ୱାରା ୩୦ ମିନିଟ୍‌ର ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ ସମେତ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦେଶନାରେ ଓଡ଼ିଶା ଡ୍ୟାନ୍ସ ଏକାଡେମିର କଳାକାର ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଏଥିସହ ଇଣ୍ଡିଆନ୍‌ ଆଇଡଲ୍‌ ଜୁନିଅର କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ୍‌ ନନ୍ଦ ଏବଂ ସତ୍ୟଜିତ୍‌ ସଙ୍ଗୀତ ପରିବେଷଣ କରିବେ।

‘ଆମେ ପଢ଼ିବୁ, ଗଢ଼ିବୁ, ଶ୍ରେଷ୍ଠ ହେବୁ’

ଉତ୍ସବ ପୂର୍ବରୁ ପ୍ରଦର୍ଶନୀ ପଡ଼ିଆ ମାର୍ଗର ଦୃଶ୍ୟ ବଦଳାଇବାକୁ ଯୋଜନା ପ୍ରସ୍ତୁତ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ‘ଆମେ ପଢ଼ିବୁ, ଗଢ଼ିବୁ, ଶ୍ରେଷ୍ଠ ହେବୁ’ ଥିମ୍‌କୁ ନେଇ କ୍ୟାପିଟାଲ ହାଇସ୍କୁଲ ବାହାର ପାର୍ଶ୍ୱ କାନ୍ଥକୁ ସୌନ୍ଦର୍ଯ୍ୟକରଣ କରାଯାଉଛି। ୧୨ରୁ ଅଧିକ ଶିଳ୍ପୀ ଦିନରାତି ଏକ କରି ରଙ୍ଗ ତୂଳିରେ କାନ୍ଥକୁ ନୂଆ ରୂପ ଦେବାରେ ଲାଗିପଡ଼ିଛନ୍ତି। ଅନ୍ଧକାରରୁ ବାହାରି ପିଲାମାନେ କିଭଳି ଶିକ୍ଷା ଆଡକୁ ବଢ଼ୁଛନ୍ତି ତାହାକୁ ମୁଖ୍ୟତଃ ଚିତ୍ରରେ ପ୍ରଦର୍ଶିିତ କରାଯାଇଛି। ସୂର୍ଯ୍ୟମୁଖୀ ଫୁଲ ସାଙ୍ଗକୁ ପ୍ରଜାପତିର ଚିତ୍ର ବି କାନ୍ଥରେ ଦେଖିବାକୁ ମିଳୁଛି। ଗତ ୪ ଦିନ ହେଲା ଶିଳ୍ପୀମାନେ କାର୍ଯ୍ୟରେ ଲାଗିପଡ଼ିଛନ୍ତି। ୧୩ ତାରିଖ ପୂର୍ବରୁ କ୍ୟାପିଟାଲ ହାଇସ୍କୁଲ ପାଚେରିର ବାହାର ପାର୍ଶ୍ୱ କାନ୍ଥକୁ ନୂଆ ରୂପ ଦିଆଯିବ ବୋଲି ଶିଳ୍ପୀ ପିନାକୀ ରଞ୍ଜନ ମହାନ୍ତି କହିଛନ୍ତି।

ଯୋଗ ଦେବେ ୨୫ ବିଦ୍ୟାଳୟର ୪,୫୦୦ ପିଲା

ଉତ୍ସବକୁ ସଫଳ କରିବା ଲାଗି ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ରାଜଧାନୀର ୨୫ଟି ସରକାରୀ ବିଦ୍ୟାଳୟର ୪,୫୦୦ ଛାତ୍ରଛାତ୍ରୀ ଏହି ଉତ୍ସବରେ ସାମିଲ ହେବେ। ଗଣଶିକ୍ଷା ବିଭାଗର ୧୯ଟି ବିଦ୍ୟାଳୟ ସମେତ ଏସ୍‌ସି ଓ ଏସ୍‌ଟି ବିଭାଗର ଆବାସିକ ବିଦ୍ୟାଳୟ, ସ୍ୱତନ୍ତ୍ର ବିଦ୍ୟାଳୟର ପିଲାମାନେ ଉତ୍ସବସ୍ଥଳକୁ ଆସିବେ। ଏଥିପାଇଁ ସମସ୍ତ ବିଦ୍ୟାଳୟ ନିକଟକୁ ବସ୍‌ ପଠାଇବାକୁ ବ୍ୟବସ୍ଥା ହୋଇଛି। ପୂର୍ବାହ୍ନ ୧୧ଟା ୧୫ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଆରମ୍ଭ ହେବ। ପୂର୍ବାହ୍ନ ୧୦ଟା ସୁଦ୍ଧା ପିଲାମାନେ ଯେପରି ଉତ୍ସବସ୍ଥଳୀରେ ପହଞ୍ଚିବେ ସେଥିପାଇଁ କୁହାଯାଇଛି। ତେବେ ଦୂର ପିଲାଙ୍କ ବଦଳରେ କ୍ୟାପିଟାଲ ହାଇସ୍କୁଲ ନିକଟରେ ଥିବା ପିଲାଙ୍କୁ ଅଣିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଆଜି ଦିନତମାମ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଛନ୍ତି।

ପିଡବ୍ଲୁଡି କ୍ୟାମ୍ପ୍‌ରେ ବ୍ଲୁ ପ୍ରିଣ୍ଟ

ଉତ୍ସବ ସ୍ଥଳରେ ପିଲାଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ। ୪,୫୦୦ ପିଲା, ୧୫୦୦ ଅନ୍ୟାନ୍ୟ ଲୋକ ବସିବା ଲାଗି ବ୍ୟବସ୍ଥା ହେବ। ଅଭିଭାଷଣ ପରେ ମୁଖ୍ୟମନ୍ତ୍ରୀଙ୍କ ବସିବା ଲାଗି ମଞ୍ଚର କିଛି ଦୂରରେ ଚେୟାର ପଡ଼ିବ। ଏହାର ଦୁଇ ପାର୍ଶ୍ୱରେ ଟିଭି କ୍ୟାମେରା ଲଗାଇବା ଲାଗି ବ୍ୟବସ୍ଥା ହେବ। ୫୦ରୁ ଅଧିକ କ୍ୟାମେରା ଲାଗିବ। ପିଲାଙ୍କ ଖାଇବା ଲାଗି ସ୍ୱତନ୍ତ୍ର ଜୋନ୍‌ କରାଯିବ। ପାର୍କିଂ ଲାଗି ମଧ୍ୟ ଜୋନ୍‌ ରହିବ। ମୁଖ୍ୟମନ୍ତ୍ରୀ ଯେଉଁ ରାସ୍ତାରେ ପ୍ରବେଶ କରିବେ ସେହି ବାଟରେ ଆଉ କାହାକୁ ଯିବା ଲାଗି ଅନୁମତି ଦିଆଯିବ ନାହିଁ। ସୁରକ୍ଷା ପାଇଁ ୪ ପ୍ଲାଟୁନ୍‌ ପୁଲିସ ମୁତୟନ ହେବେ।