ଭିଟାମାଟି ଛାଡ଼ୁଛନ୍ତି ଅଭିଭାବକ: ଅନିଶ୍ଚିତତା ଭିତରେ ପିଲାଙ୍କ ପାଠପଢ଼ା

ବିହାର, ପଶ୍ଚିମବଙ୍ଗ ପିଲାଙ୍କ ପଢ଼ା ପାଇଁ ଭାଷା ବାଧକ, ଖୋଲୁନି ଋତୁକାଳୀନ ଛାତ୍ରାବାସ

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କ ପିଲାଙ୍କ ପାଠପଢ଼ା ପାଇଁ ଥିବା ଋତୁକାଳୀନ ଛାତ୍ରାବାସ ଖୋଲୁ ନାହିଁ। ଫଳରେ ରାଜଧାନୀ ଉପକଣ୍ଠ ସ୍ଥିତ ବାଲିଅନ୍ତାରେ କାର୍ଯ୍ୟରତ ୧୧ ପ୍ରବାସୀ ଶ୍ରମିକ ସନ୍ତାନଙ୍କ ପାଠପଢ଼ା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏଥିରୁ ୭ ଜଣଙ୍କ ପାଇଁ ଅଭିଭାବକଙ୍କ କାର୍ଯ୍ୟସ୍ଥଳ ନିକଟରେ ହାଇସ୍କୁଲ ମିଳୁନାହିଁ। ଆଉ ୪ ଜଣଙ୍କ ଭାଷା ସମସ୍ୟା ଯୋଗୁଁ କେଉଁଠି ନାମ ଲେଖାଇବେ ଏହାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ସାମାଜିକ ସଙ୍ଗଠନ ଆଡ ଆଟ୍‌ ଆକ୍ସନ ପକ୍ଷରୁ ଏ ସଂକ୍ରାନ୍ତରେ ଶ୍ରମ ବିଭାଗର ଦୃଷ୍ଟି ଆକର୍ଷଣ ପରେ ସମାଧାନର ରାସ୍ତା ଖୋଜାଯାଉଥିବା ସଙ୍ଗଠନ କହିଛି।

ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଠାରେ ବିଭିନ୍ନ ଇଟାଭାଟିରେ ୪୦୦ ଶ୍ରମିକ ପରିବାର କାମ କରୁଛନ୍ତି। ଏମାନେ ସମସ୍ତେ ଗଞ୍ଜାମ, ବଲାଙ୍ଗୀର, ମୟୂରଭଞ୍ଜ, ନୂଆପଡ଼ା, ବରଗଡ଼, ନବରଙ୍ଗପୁର ସହିତ ପଶ୍ଚିମବଙ୍ଗ ଏବଂ ବିହାରରୁ ଆସିଛନ୍ତି। ସାମାଜିକ ସଙ୍ଗଠନ ଆଡ ଆଟ୍‌ ଆକ୍ସନ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ୧୮୦ ସନ୍ତାନଙ୍କୁ ନିକଟସ୍ଥ ସ୍କୁଲରେ ନାମଲେଖାଯାଇଛି। ସ୍କୁଲ ଖୋଲିଲେ ସେମାନେ ପାଠପଢ଼ିବେ। ବିହାରରୁ ଆସିଥିବା ୩ ଏବଂ ପଶ୍ଚିମବଙ୍ଗର ଜଣେ ବିଦ୍ୟାର୍ଥୀଙ୍କ ଭାଷାଗତ ସମସ୍ୟା ପଢ଼ା ପାଇଁ ବାଧକ ହେଉଛି। ସେମାନେ ଓଡ଼ିଆ ବୁଝି ଏବଂ କହିପାରୁ ନାହାନ୍ତି।

thedonkeysanctuary.org.uk

ସେମାନଙ୍କ ପାଇଁ ସ୍କୁଲ ମିଳୁନାହିଁ। ଗଞ୍ଜାମ, ବଲାଙ୍ଗୀର, ବାଲେଶ୍ବରରୁ ଆସିଥିବା ଶ୍ରମିକଙ୍କ ଷଷ୍ଠ ଏବଂ ସପ୍ତମରେ ପଢୁଥିବା ୩-୩ ଜଣ ଲେଖାଏ, ଜଣେ ଅଷ୍ଟମ ବିଦ୍ୟାର୍ଥୀଙ୍କ ପାଇଁ ନିକଟରେ ସ୍କୁଲ ନାହିଁ। ହାଇସ୍କୁଲ ପାଇଁ ୬ରୁ୭ କିଲୋମିଟର ଦୂର ଯିବା ପାଇଁ ଅଭିଭାବକ ସୁରକ୍ଷିତ ଅନୁଭବ କରୁ ନାହାନ୍ତି। ବିଶେଷକରି ଝିଅମାନଙ୍କ ପାଇଁ ଅସୁବିଧା ସୃଷ୍ଟି ହେବା ନେଇ ଆଶଙ୍କା ରହିଛି। କେବଳ ଏହି ସମସ୍ୟା ନୁହେଁ, ପ୍ରାୟ ୨ ବର୍ଷ ହେଲା ଏହି ବିଦ୍ୟାର୍ଥୀଙ୍କ ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯାଇଛି। ଗାଁ ସ୍କୁଲ ବନ୍ଦ ରହିଥିଲା, ମୋବାଇଲ କ୍ଲାସ କେହି କରି ନାହାନ୍ତି।

ଏଥିଯୋଗୁଁ ସେମାନଙ୍କ ପାଠପଢ଼ା କିଭଳି ହେବ ଏହାକୁ ନେଇ ଅଡ଼ୁଆ ବଢ଼ିଛି। ଆହୁରି ମଧ୍ୟ କରୋନା କମିବା ସହିତ ରାଜ୍ୟରେ ସ୍ଥିତ ବିଭିନ୍ନ ହାଇସ୍କୁଲଗୁଡ଼ିକ ଖୋଲି ସାରିଛି। କିନ୍ତୁ ପ୍ରବାସୀ ଶ୍ରମିକଙ୍କ ପିଲାମାନେ ରହିବା ସହିତ ପଢ଼ିବା ବ୍ୟବସ୍ଥା ଥିବା ଋତୁକାଳୀନ ଛାତ୍ରାବାସ ବର୍ତ୍ତମାନ ମଧ୍ୟ ବନ୍ଦ ରହିଛି। ଏଥିଯୋଗୁଁ ଅଭିଭାବକ ସେମାନଙ୍କୁ ଗାଁରେ ଛାଡ଼ି ଆସିପାରୁ ନାହାନ୍ତି। ସାମାଜିକ କର୍ମକର୍ତ୍ତା ଡାନିଏଲ ଏକ୍କା କହିଛନ୍ତି, ତାଙ୍କ ସଙ୍ଗଠନ ପକ୍ଷରୁ ବିଭିନ୍ନ ଇଟାଭାଟି ନିକଟରେ ପିଲାଙ୍କ ପଢ଼ା ପାଇଁ ବ୍ୟବସ୍ଥା କରାଯାଉଛି। କିନ୍ତୁ ଏହା ଯଥେଷ୍ଟ ନୁହେଁ।

ସେମାନେ କିଭଳି ଶୀଘ୍ର ସ୍କୁଲ ଯିବେ ଏହାର ବ୍ୟବସ୍ଥା କରିବାକୁ ପଡ଼ିବ। ଶ୍ରମ ବିଭାଗ ମଧ୍ୟ ଏହି ସମସ୍ୟାକୁ ଗୁରୁତ୍ବ ଦେଉଥିବା ସେ କହିଛନ୍ତି। ସୂଚନା ଅନୁଯାୟୀ, ଓଡ଼ିଶାରେ ନଭେମ୍ବର ୧୫ରୁ ବିଭିନ୍ନ ସ୍ଥାନରେ ଇଟାଭାଟି କାର୍ଯ୍ୟକ୍ଷମ ହୋଇଯାଏ। ଜୁନ୍‌ ମାସ ପର୍ଯ୍ୟନ୍ତ ଚାଲେ। ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ପ୍ରବାସୀ ଶ୍ରମିକମାନେ ଏଠାରେ କାର୍ଯ୍ୟ କରନ୍ତି।

ସମ୍ବନ୍ଧିତ ଖବର