ଭୁବନେଶ୍ୱର: ଯେଉଁ ଭାଷାର ଶିଶୁ ସାହିତ୍ୟ ଯେତେ ସମୃଦ୍ଧ, ସେହି ଭାଷା ଓ ତା’ର ସାହିତ୍ୟ ସେତେ ରୁଦ୍ଧିବନ୍ତ। ଭାଷା ଓ ତା’ର ସାହିତ୍ୟକୁ ସମୃଦ୍ଧ କରିବାରେ ସେହି ଭାଷାର ଶିଶୁ ସାହିତ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଆଜି ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶିଶୁ-କିଶୋର ସାହିତ୍ୟ ଏକାଡେମୀଙ୍କ ମିଳିତ ସହଯୋଗରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକଦିବସୀୟ ଶିଶୁ ସାହିତ୍ୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ଅତିଥିମାନେ ଏଭଳି କହିଛନ୍ତି। 

Advertisment

କାର୍ଯ୍ୟକ୍ରମକୁ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଓଡ଼ିଆ ସାହିତ୍ୟରେ ଉଚ୍ଚ ମୂଲ୍ୟବୋଧର ପ୍ରତିଷ୍ଠା ଓ ଶ୍ରେଷ୍ଠ ମାନର ପ୍ରବର୍ତ୍ତନ ଦିଗରେ ଶିଶୁସାହିତ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ। ଶିଶୁ-କିଶୋର ସାହିତ୍ୟ ଏକାଡେମୀର ସଭାପତି ପ୍ରଫେସର ଦାଶ ବେନହୁରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପ୍ରକାଶ ମିଶ୍ର ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଶିଶୁ ସାହିତ୍ୟିକ ମହେଶ୍ୱର ମହାନ୍ତି, ଶିଶୁ-କିଶୋର ସାହିତ୍ୟ ଏକାଡେମୀର ସମ୍ପାଦକ ବୀରେନ୍ଦ୍ର ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ପତ୍ରିକା ‘କୋଣାର୍କ’ ସମେତ ଶିଶୁ-କିଶୋର ସାହିତ୍ୟ ଏକାଡେମୀ ପକ୍ଷରୁ ବହୁ ପୁସ୍ତକ ଲୋକାର୍ପିତ ହୋଇଥିଲା ଏବଂ ଶିଶୁ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରଥମ ଅଧିବେଶନରେ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ସ୍ୱାଗତ ଭାଷଣ ଦେଇଥିଲେ। ଅରବିନ୍ଦ ପଟ୍ଟନାୟକ, ଭାବେ ନରେନ୍ଦ୍ର ପ୍ରସାଦ ଦାସ, ମନୀନ୍ଦ୍ର ମହାନ୍ତି ଓ ବୀରେନ୍ଦ୍ର କୁମାର ସାମନ୍ତରାୟ, ଆଶୁତୋଷ ଦେବତା, ମାୟାଧର ସ୍ୱାଇଁ, ଧନଞ୍ଜୟ ସ୍ୱାଇଁ, ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ପରେଶ କୁମାର ପଟ୍ଟନାୟକ, ନମିତା ମହାନ୍ତି, କମଳାକାନ୍ତ ଜେନା, ମହେନ୍ଦ୍ର କୁମାର ମଲ୍ଲିକ ଅତିଥି ଭାବେ ଯେଗଦେଇ ‘ଓଡ଼ିଆ ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ଶିଶୁସାହିତ୍ୟର ଭୂମିକା’ ଉପରେ ଆଲୋଚନା କରିଥିଲେ। ସେହିପରି ଦ୍ୱିତୀୟ ଅଧିବେଶନରେ ଆୟୋଜିତ ଶିଶୁ କବିତା ପାଠୋତ୍ସବରେ ଲିଙ୍ଗରାଜ ରଥ, ହରିପ୍ରିୟା ପଟ୍ଟନାୟକ, ବିଜୟା ପାତ୍ର, ଶରତ କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ହରିହର ଶୁକ୍ଳା, ପ୍ରକାଶ ଚନ୍ଦ୍ର ଦାଶ, ପ୍ରବୀଣା ପରିଡ଼ା, କଳ୍ପନା ମିଶ୍ର ସଂଯୋଜନା କରିଥିଲେ। ସଭାମୁଖ୍ୟ ଭାବେ ଶରତ କୁମାର ବିଶ୍ୱାଳ ଯୋଗ ଦେଇଥିଲେ। ଏକାଡେମୀର ସହସଚିବ ସଞ୍ଜୟ କୁମାର ଛୁଆଳସିଂହ ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ।