ଏବେ ତ ସବୁ ଦଣ୍ଡମୁକ୍ତ ସ୍କୁଲ ହୋଇଗଲାଣି। ମୁଁ କିନ୍ତୁ ପିଲାଦିନେ ହାଇସ୍କୁଲରେ ପଢ଼ିବା ସମୟରେ ପ୍ରବଳ ମାଡ଼ ଖାଉଥିଲି। ସେତେବେଳେ ମୁଁ ବାରିପଦାରେ ପଢ଼ୁଥାଏ। ନରସିଂହ ସାର୍‌ ଆମ ଶିକ୍ଷକ ଥାଆନ୍ତି। ଏମିତି କି ଛୋଟ ଜିନିଷରେ ଭୁଲ କଲେ ବି ସେ ପ୍ରବଳ ବାଡ଼ାନ୍ତି। ଅମରି ବାଡ଼ିରେ ଗୋଡ଼େଇ ଗୋଡ଼େଇ ପିଟନ୍ତି। ଏମିତି ମାଡ଼ ଖାଇ ଖାଇ ମାଟ୍ରିକ୍‌ ପାସ୍‌ କରିଛି। ତେବେ ବି ତାଙ୍କ ପ୍ରତି ମୋ’ର ସ୍ନେହ, ଭଲପାଇବା, ଆଦର କମିନାହିଁ। ମୁଁ ବି ସେମିତି ମେଧାବୀ ଛାତ୍ର ନଥିଲି, ମାଡ଼ ଖାଇ ଖାଇ ପାଠ ପଢ଼ୁଥିଲି। ମୁଁ ମୋଟା ଥିଲି ବୋଲି ସାର୍‌ ମୋତେ ଗୁଣ୍ଡାଶିଆଳ ଡାକୁଥିଲେ। ଏମିତି କି ଏଇ ନାମରେ ମୋ ସାଙ୍ଗମାନେ ମଧ୍ୟ ଚିଡ଼ଉଥିଲେ। ସେତେବେଳେ ବହୁତ ଦୁଷ୍ଟ ବି ଥିଲି। ଏମିତିରେ ମାଟ୍ରିକ୍‌ ସରିଯାଇଥିଲା। ପରେ ଏମ୍‌ଫିଲ୍‌ ସାରିଲି। ତାପରେ ଯାଇ ଅଭିନୟରେ ମାତିଥିଲି। ପରବର୍ତୀ ସମୟରେ ମୋ ସହ ଯାହା ଘଟିଲା ତାହା ମୁଁ କେବେ ବି ପାସୋରି ପାରୁନାହିଁ। ମୁଁ ବାରିପଦାର କୁଚାଇରେ ସୁଟିଂ ପାଇଁ ଯାଇଥାଏ। ହଠାତ୍‌ ସେଠାରେ ଦେଖିଲି ଜଣେ ବୁଢ଼ା ଲୋକ ଆମ ଗେଟ୍‌ ଭିତରେ ପଶିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆମର ଜଣେ ଅଧିକାରୀ ଭିତରକୁ ଛାଡ଼ୁ ନଥାଆନ୍ତି। ସେ ହାତଠାରି ମୋତେ ଡ଼ାକୁଥିବାର ଜାଣିପାରିଲି। ଯେତେବେଳେ ମୁଁ ନିରିଖେଇ କରି ଦେଖିଲି...କିଛି ସମୟ ପାଇଁ ଧୈର୍ଯ୍ୟହରା ହୋଇଗଲି। ସେ ହିଁ ଥିଲେ ମୋ ନରସିଂହ ସାର୍‌। ଖୋଲା ଦେହ ଓ ଖାଲି ଲୁଙ୍ଗି ଗୋଟେ ପିନ୍ଧିଥିଲେ। ତାଙ୍କ ପାଖକୁ ଯାଇ ଗୋଡ଼ ତଳେ ଲମ୍ବ ହୋଇ ପଡ଼ିଗଲି। ସେ ମୋତେ କହିଲେ ତୁ ଏଠି ସୁଟିଂ କରୁଛୁ ତ, ତତେ ଦେଖିବାକୁ ଚାଲି ଆସିଲି। ସେତେବେଳେ ତାଙ୍କ ବୟସ ୭୫ ଖଣ୍ଡେ ହେବ। ସେ ବୟସରେ ବି ସାଇକେଲ୍‌ରେ ୭ କିମି ଚଲେଇ ମତେ ଦେଖା କରିବାକୁ ଆସିଥିବା ଜାଣି ଚକିତ ହୋଇଗଲି। ଏତେଦିନ ବିତିଯାଇଥିଲେ ମଧ୍ୟ ସେ ମତେ ମନେ ରଖିଥିଲେ। ଏବଂ କଷ୍ଟକରି ମୋତେ ଦେଖିବାକୁ ଚାଲି ଆସିଥିଲେ। ଏହାଠୁ ବଡ଼ ସ୍ମୃତି ମୋ ଜୀବନରେ ଆଉ କିଛି ନାହିଁ ବୋଲି କହିଛନ୍ତି ଓଲିଉଡ୍‌ର ଅତି ପରିଚିତ ଅଭିନେତା ବିଜୟ ମହାନ୍ତି। ସାର୍‌ଙ୍କ ଅମରି ବାଡ଼ିର ମାଡ଼ରେ ସିନା ଦେହକୁ କଷ୍ଟ ହେଉଥିଲା କିନ୍ତୁ ପିଲାବେଳର ସେଇ ପ୍ରତିଟି ମୁହୂର୍ତରେ ନିଆରାପଣ ଭରି ରହିଥିଲା।