ଆଜି ଚିଲିକାରେ ପକ୍ଷୀ ଗଣନା, ୧୨୦ ଜଣ ଗଣନାକାରୀଙ୍କୁ ଦିଆଗଲା ତାଲିମ୍‌

ବାଲୁଗାଁ: ଆସନ୍ତାକାଲି (ମଙ୍ଗଳବାର) ଚିଲିକାରେ ହେବ ପକ୍ଷୀ ଗଣନା। ଭୋର୍‌ ୫ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚିଲିକାର ସମଗ୍ର ଅଞ୍ଚଳରେ ୨୧ଟି ଦଳରେ ୧୨୦ଜଣ ସଦସ୍ୟ ପକ୍ଷୀ ଗଣନା କାର୍ଯ୍ୟ କରିବେ। ଚିଲିକାର ୫ଟି ରେଞ୍ଜ୍‌ ମଧ୍ୟରୁ ଚିଲିକା ରେଞ୍ଜ୍‌ରେ ବେଶି ପକ୍ଷୀ ଦେଖାଯାଇଥା’ନ୍ତି। ବାଲୁଗାଁ,ଟାଙ୍ଗୀ, ଚିଲିକା,ସାତପଡ଼ା ଓ ରମ୍ଭା ରେଞ୍ଜ୍‌ର ସମସ୍ତ ଅଞ୍ଚଳକୁ ଗସ୍ତ କରି ପକ୍ଷୀ ବିଶେଷଜ୍ଞ, ପକ୍ଷୀ ବିଶାରଦ, ବିଭାଗୀୟ କର୍ମଚାରୀମାନେ ପକ୍ଷୀ ଗଣନା କାର୍ଯ୍ୟ କରିବେ। ଏଥିପାଇଁ ସୋମବାର ଦିନ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟଠାରେ ପକ୍ଷୀ ଗଣନା ପାଇଁ ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ଏସିଏଫ୍‌ ଶରତ କୁମାର ମିଶ୍ର, ବମ୍ବେ ନାଚୁରାଲ ହିଷ୍ଟ୍ରିର ପକ୍ଷୀ ବିଶେଷଜ୍ଞ ତଥା ଉପନିର୍ଦ୍ଦେଶକ ବି. ବାଲଚନ୍ଦ୍ରନଙ୍କ ସହ କେତେକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଟ୍ରେନିଂରେ ସାମିଲ ହୋଇଥିଲେ। ବାଇନାକୁଲାର, ୱାକିଟକି ଦ୍ୱାରା ପକ୍ଷୀ ଗଣନା କରାଯାଇଥାଏ। ଚଳିତ ବର୍ଷ ଚିଲିକାରେ ପାଗ ଅନୁକୂଳ ଥିବାରୁ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର