ଚିଲିକାରେ ଡ଼ଙ୍ଗା ବୁଡ଼ି ଘଟଣା: ଟାସ୍କଫୋର୍ସ ଓ ଚନ୍ଦ୍ରାପୁଟ ଗ୍ରାମବାସୀ ମୁହାଁମୁହିଁ

ବାଲୁଗାଁ: ଚିଲିକାରେ ରବିବାର ସନ୍ଧ୍ୟାରେ ନୌକା ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତେବେ ଆଜି ବିନା ସୁରକ୍ଷା ବ୍ୟବସ୍ଥାରେ ଓ ମତ୍ସ୍ୟଜୀବୀ ଡଙ୍ଗାରେ ୪ ଜଣରୁ ଅଧିକ ଚିଲିକାର କାଳିଜାଈ ପୀଠକୁ ଯାଉଥିବା ବେଳେ ଟାସ୍କଫୋର୍ସ ଏହାକୁ ଅଟକାଇବାକୁ ଚେଷ୍ଟା କରି ବିଫଳ ହୋଇଛି। ଚନ୍ଦ୍ରାପୁଟ ଗ୍ରାମବାସୀଙ୍କ ମିଳିତ ବିରୋଧ ଯୋଗୁଁ ଟାସ୍କଫୋର୍ସ ବିଫଳ ହୋଇ ଫେରିଛି। ସୂଚନାଯୋଗ୍ୟ ଯେ ଚିଲିକା ଡଙ୍ଗାବୁଡ଼ି ଘଟଣା ପରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଚିଲିକା ତହସିଲଦାର ଶରତ କୁମାର ମହାପାତ୍ରଙ୍କ ନେତୃତ୍ବରେ ମତ୍ସ୍ୟସଂପଦ ଅଧିକାରୀ କ୍ଷେତ୍ରବାସୀ ବେହେରା, ଚିଲିକା ଉନ୍ନୟନ ବିଭାଗ, ଚିଲିକା ଜଳଯାତ୍ରା ବିଭାଗ ଓ ବାଲୁଗାଁ ପୁଲିସ୍‌କୁ ନେଇ ଏକ ଟାକ୍ସଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସ ମଙ୍ଗଳବାର ବାଲୁଗାଁ ନିକଟସ୍ଥ ଚିଲିକାରେ ଜଳଯାତ୍ରା କରୁଥିବା ସମସ୍ତ ଡଙ୍ଗା ଓ ଲ‌ଞ୍ଚ୍‌କୁ ଯା‌ଞ୍ଚ କରିବା ସହ ମତ୍ସ୍ୟଜୀବୀ ଡଙ୍ଗାରେ ଯାତାୟାତ କରୁଥିବା ସମସ୍ତ ଯାତ୍ରୀଙ୍କୁ ଯାତ୍ରା ନିମନ୍ତେ ବାରଣ କରିଥିଲେ। ପରେ ଏହି ଟିମ୍ ଚନ୍ଦ୍ରାପୁଟସ୍ଥିତ ଚିଲିକା କୂଳରେ ପହ‌ଞ୍ଚି ଦେଖିବାକୁ ପାଇଥିଲେ ଯେ, କେତେକ ମତ୍ସ୍ୟଜୀବୀ ଡଙ୍ଗାରେ ବହୁ ପୁରୁଷ ଓ ମହିଳା ଯାତ୍ରୀଙ୍କୁ ନେଇ କାଳିଜାଈ ଅଭିମୁଖେ ଯାତ୍ରା କରୁଛନ୍ତି। ସେଠାରେ ଏହି ଟାକ୍ସଫୋର୍ସ ଟିମ୍ ପହ‌ଞ୍ଚି ଜଳଯାତ୍ରା କରିବା ପାଇଁ ମନା କରିଥିଲେ। ଯାହାଫଳରେ ଚନ୍ଦ୍ରାପୁଟର ମତ୍ସ୍ୟଜୀବୀ ଓ ଟାକ୍ସଫୋର୍ସ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଟାକ୍ସଫୋର୍ସର ଅଳ୍ପ କେତେକ ସଦସ୍ୟଙ୍କୁ ଦେଖି ମତ୍ସ୍ୟଜିବୀମାନେ ଆକ୍ରମଣ କରିବା ପାଇଁ ଆଗେଇ ଆସିଥିଲେ। ମାତ୍ର ୩ଜଣ ପୁଲିସକୁ ନେଇ ଯାଇଥିବା ଏହି ଟିମ୍ ନିଜର ସାହସ ପ୍ରଦର୍ଶନ କରି ନ ପାରି ବାଧ୍ୟ ହୋଇ ଫେରି ଆସିଥିବା ବେଳେ ଏହି ମତ୍ସ୍ୟଜୀବୀମାନେ ଯାତ୍ରୀଙ୍କୁ ନେଇ କାଳିଜାଈ ଅଭିମୁଖେ ଯାତ୍ରା କରିଥିଲେ। ଏ ସଂପର୍କରେ ମତ୍ସ୍ୟ ସଂପଦ ଅଧିକାରୀ ଶ୍ରୀବେହେରାଙ୍କ ସହ ଯୋଗାଯୋଗ କରିବାରୁ ଆମ ପାଖରେ ଅଳ୍ପ ସଂଖ୍ୟକ ପୁଲିସ୍‌ ଥିବାରୁ ସେମାନଙ୍କୁ ମୁକାବିଲା କରିବା ପାଇଁ ସାହାସ ହୋଇ ନଥିଲା। ଯାହାଫଳରେ ଚୁପ୍ ରହିବା ଶ୍ରେୟ ବୋଲି ମନେ କରି ସମସ୍ତ ସଦସ୍ୟ ଫେରି ଆସିବା ପାଇଁ ବାଧ୍ୟ ହୋଇଥିଲୁ। ଏହି ଚଢ଼ଉ ଆଗାମୀ ଦିନରେ ଅଧିକ ପୁଲିସ୍‌ ଫୋର୍ସ ସହ କରାଯିବ। କାଗଜପତ୍ର ନ ଥିବା ବେଆଇନ୍ ଡଙ୍ଗା ଉପରେ ଚଢ଼ଉ କରି ଦୃଢ଼ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର