ବାରଙ୍ଗ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ପରେ ଦେଶବ୍ୟାପି ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ତେଣୁ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ ପାଳନ ସ୍ଥଗିତ ରହିଥିଲା। କିନ୍ତୁ ନନ୍ଦନକାନନର ଜନ୍ମ ଦିନରେ ୧୩ ବର୍ଷ ବୟସ୍କା ସିମ୍ପାଞ୍ଜି ‘ରାକ୍ଷୀ’ ପ୍ରାଣୀ ଉଦ୍ୟାନକୁ ଏକ ଅଣ୍ଡିରା ଶାବକ(ଅନୁମାନ କରାଯାଇଛି) ଭେଟିଦେଇଛି। ଖୁଆଡ଼ ନମ୍ବର ୬୦(କ)ରେ ରହୁଥିବା ରାକ୍ଷୀ ଆଜି ତା’ର ନବଜାତ ଶାବକକୁ ସ୍ତନ୍ୟପାନ କରାଉଥିବା ଦେଖିବାକୁ ମିଳିଥିଲା। ଆଜି ଭୋର୍ ସମୟରେ ସେ ଶାବକ ଜନ୍ମ ଦେଇଥିବା ଜଣାପଡ଼ିଛି। ମା ଓ ଛୁଆ ସୁସ୍ଥ ଅଛନ୍ତି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରାଣୀ ଉଦ୍ୟାନର ବୟସ୍କ ସିମ୍ପାଞ୍ଜି ଜୁଲୁ(୩୫) ଓ ପୂର୍ଣ୍ଣିମାଙ୍କ ମିଳନରୁ ୨୦୧୧ ମସିହା ଅଗଷ୍ଟରେ ରାକ୍ଷୀ ଜନ୍ମ ନେଇଥିଲା।
ସେ ପ୍ରାପ୍ତବୟସ୍କା ହେବା ପରେ ଜୁଲୁ ସହ ମିଶିଥିଲା ଏବଂ ତା’ ପ୍ରଥମ ଗର୍ଭରୁ ଜନ୍ମ ନେଇଥିବା ମାଈ ଛୁଆ କୁଇନ୍ ବେଶି ଦିନ ବଞ୍ଚିପାରି ନଥିଲା। ଏବେ ପୁଣି ରାକ୍ଷୀ ଓ ଜୁଲୁର ମିଳନରୁ ଆଉ ଏକ ଶାବକ ଜନ୍ମ ନେଇଛି। ଏହି ଛୁଆଟି ଅଣ୍ଡିରା ଶାବକ ହୋଇଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପାଇଁ ଖୁସି ଖବର ପାଲଟିଛି। ସିମ୍ପାଞ୍ଜି ବଂଶବୃଦ୍ଧି ପାଇଁ ଏହି ପ୍ରାଣୀ ଉଦ୍ୟାନକୁ ଅଧିକ ସଂଖ୍ୟକ ଅଣ୍ଡିରା ଶାବକ ଆବଶ୍ୟକ। ଏବେ ନନ୍ଦନକାନନରେ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ହୋଇଛି। ସେମାନଙ୍କ ମଧ୍ୟରେ ୨ ଅଣ୍ତିରା (ଜୁଲୁ ଓ ରାଜା), ୫ ମାଈ (ପମ୍ପେଟା, ପୂର୍ଣ୍ଣିମା, ରାକ୍ଷୀ, ଦୁର୍ଗା ଓ ଲକ୍ଷ୍ମୀ) ଓ ଲିଙ୍ଗ ଚିହ୍ନଟ ହୋଇନଥିବା ଶାବକଟିଏ ଅଛି। ୧୯୯୪ ମସିହାରେ ସିଙ୍ଗାପୁରରୁ ଆସିଥିବା ଜୁଲୁ ଏବେ ବି ଏଠାରେ ବଂଶ ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।