ଭୁବନେଶ୍ବର: ଅନ୍ୟଠାରୁ ଭିନ୍ନ ତଥା ନିଆରା କରିବା ଆଶାରେ ବମିଖାଲ ଦୁର୍ଗାପୂଜା ସମିତି ଏଥର କିଛି ସ୍ବତନ୍ତ୍ର ତୋରଣ ପ୍ରସ୍ତୁତ କରୁଛନ୍ତି। ରାଜପ୍ରାସାଦ ତ ରାଜପ୍ରାସାଦ, ଏଥର ଏହି ପୂଜା କମିଟି କରୁଛି ଚୀନ୍ର ମୟୂର ରାଜପ୍ରାସାଦ ତୋରଣ। ଏହି ତୋରଣର ଉଚ୍ଚତା ୭୦ ଫୁଟ ଓ ଚଉଡ଼ା ୧୧୦ ଫୁଟ ରହିବ । ରାଖୀ ପୂର୍ଣ୍ଣିମା ପୂର୍ବରୁ କୋଲକାତାର ୪୦ ଜଣ କାରିଗର ଏହି ତୋରଣ ତିଆରିରେ ଲାଗିଛନ୍ତି।
ଏଥିସହ କଟକର କାରିଗରମାନେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରୁଥିବା ବେଳେ ମୂର୍ତ୍ତି ଓ ମେଢ଼ର ଉଚ୍ଚତା ୧୮ ଫୁଟ ରହିବ। ଗତ ୮ ବର୍ଷ ହେଲା ମା’ ରୁପା ମୁକୁଟ ପିନ୍ଧୁଥିବା ବେଳେ ଏହାର ଓଜନ ରହିଛି ୭ କେଜି। ଏଥିସହ ଏଥର ପାର୍ଶ୍ବ ଦେବଦେବୀ ଯଥା ଲକ୍ଷ୍ମୀ, ସରସ୍ବତୀ ଓ ମହିଷାସୁରଙ୍କ ପାଇଁ ବି ୧୮ କେଜି ଓଜନର ରୁପା ମୁକୁଟ ପ୍ରସ୍ତୁତ କରାଯାଇଛି। ମୋଟ୍ ଉପରେ ଏଥର ବମିଖାଲ ପୂଜାରେ ୨୫ କେଜିର ରୁପା ଅଳଙ୍କାର ବ୍ୟବହାର ହେବ। ପୂଜା ପାଇଁ ଏଥର କମିଟି ପକ୍ଷରୁ ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ ପ୍ରସ୍ତୁତ ହୋଇଛି।
ପୂଜାକୁ ଅଧିକ ସ୍ବତନ୍ତ୍ର କରିବ ପୂଜା କମିଟିର ଆଲୋକସଜ୍ଜା। ରସୁଲଗଡ଼ ଏସ୍ପ୍ଲାନେଡ୍ ମଲ୍ଠାରୁ ରିଲାଏନ୍ସ ଫ୍ରେସ୍ ଯାଏ ପ୍ରାୟ ଦେଢ଼ କିମି ରାସ୍ତାକୁ ରଙ୍ଗିନ ଆଲୋକମାଳାରେ ସଜାଯିବ। ଷଷ୍ଠୀଠାରୁ ପୂଜା ଆରମ୍ଭ ହେବାକୁ ଥିବା ବେଳେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି। ପୂଜାକୁ ଅଧିକ ଗୁରୁତ୍ବ ଦେଉଥିବା ଏହି ସମିତି ଚଣ୍ଡୀପାଠ ସହ ଅଷ୍ଟମୀ ଦିନ ୩୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିବ। ଜନସମାଗମକୁ ନଜରରେ ରଖି ପୂଜା ସମିତି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦେଇଛି। ପୂଜା କମିଟିର ୧୦୦ ଜଣ ସ୍ବେଚ୍ଛାସେବୀ, ୫୦ ଜଣ ସୁରକ୍ଷାକର୍ମୀଙ୍କ ସହ ସ୍ଥାନୀୟ ପୁଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ସାମିଲ ରହିବ। ସିସିଟିଭି କ୍ୟାମେରା ସହ ୨ଟି ସ୍ବତନ୍ତ୍ର ପାର୍କିଂ ସ୍ଥାନ ବି ରହିବ। ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ହ୍ବିଲ୍ଚେୟାର ବ୍ୟବସ୍ଥା ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/05/untitled-4-2025-09-05-07-20-01.jpg)