ଚିଙ୍ଗାରି ଆପ୍‌ର ସ୍ରଷ୍ଟା ଓଡ଼ିଆ ପୁଅ : ଅଡ଼ଶପୁରରୁ ଚିଙ୍ଗାରି ଆପ୍‌ର ପରିକଳ୍ପନା, ଟିକ୍‌ଟକ୍‌ର ସ୍ଥାନ ନେଉଛି

ଭୁବନେଶ୍ୱର : ଆଗ୍ରହ ଯେବେ ପେସାରେ ପରିଣତ ହୁଏ, ସ୍ବପ୍ନ ସାକାର କରିବା ପାଇଁ ବାଟ ଖୋଲିଯାଏ। ଏଭଳି ସ୍ଥଳେ ମଣିଷ ସ୍ଥାନ, କାଳ, ପରିଚୟକୁ ଲଙ୍ଘି ଯାଇପାରେ। ଯାହାର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ଭାରତକୁ ଟିକ୍‌ଟକ୍‌ର ବିକଳ୍ପ ‘ଚିଙ୍ଗାରି ଆପ୍‌’ ଭେଟି ଦେଇଥିବା ଓଡ଼ିଆ ପୁଅ ବିଶ୍ବାତ୍ମା ନାୟକ। କଟକ ଅଡ଼ଶପୁରର ଏକ ଛୋଟିଆ ଗାଁ’ରେ ଜନ୍ମିଥିଲେ ହେଁ କୋଡିଂ ଓ ପ୍ରୋଗ୍ରାମିଂ କରିବାର ନିଶା ତାଙ୍କୁ ଆଜି ସମଗ୍ର ଭାରତରେ ପରିଚିତ କରାଇଛି। ଟିକ୍‌ଟକ୍‌ ବ୍ୟାନ୍‌ ପରେ ଚିଙ୍ଗାରି ଆପ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ଏବେ ୨ କୋଟି ୭୦ ଲକ୍ଷରେ ପହଞ୍ଚିଛି। ଲୋକପ୍ରିୟତାକୁ ଦେଖି ସଂପ୍ରତି ସେ ବେଙ୍ଗାଲୁରୁ କାର୍ଯ୍ୟାଳୟରେ ୨୫ଜଣଙ୍କୁ ନିଯୁକ୍ତି ଦେଇସାରିଲେଣି। ଏହା ବ୍ୟତୀତ ୧ ହଜାରରୁ ଅଧିକ ବ୍ୟକ୍ତି ଭିଡିଓ ପ୍ରସ୍ତୁତ କରୁଛନ୍ତି। ଏହି ଆପ୍‌ ତିଆରି କରି ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର’ ନାରାର ସଠିକ୍‌ ଉପଯୋଗ କରିଛନ୍ତି ବିଶ୍ବାତ୍ମା। ଓଡ଼ିଆମାନେ ଯେ କୌଣସି କ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିପାରନ୍ତି, ତାହା ସେ କରି ଦେଖାଇବା ସହ ଆତ୍ମନିର୍ଭର ହେବାକୁ ଚାହୁଥିବା ଓଡ଼ିଆ ଯୁବବର୍ଗ ପାଇଁ ପ୍ରେରଣା ସାଜିଛନ୍ତି।

ଏହି ଆପ୍‌ର ଲୋକପ୍ରିୟତା ଦେଖି ଭିଲେଜ୍‌ ଗ୍ଲୋବାଲ୍‌ ଓ କିଛି ଭାରତୀୟ କମ୍ପାନି ତାଙ୍କ କମ୍ପାନିକୁ ୭ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିଛନ୍ତି। ଏଥିରେ ସେ ଆପ୍‌କୁ ଟିକ୍‌ଟକ୍‌ଠାରୁ ଆହୁରି ଉନ୍ନତ କରିଛନ୍ତି। ପୁଣି ମହିନ୍ଦ୍ରା କମ୍ପାନିର ଆନନ୍ଦ ମହିନ୍ଦ୍ରା ମଧ୍ୟ ପାଣ୍ଠି ଯୋଗାଇ ଦେବେ ବୋଲି କହିଛନ୍ତି।

ବିଶ୍ବାତ୍ମା ଏଭଳି ପରିକଳ୍ପନା ପଛର ଗୁମର ଖୋଲି କହିଛନ୍ତି, ଯେବେ ସେ ଭିଡିଓ ଗେମ୍‌ ଖେଳନ୍ତି, ବାପା ବିନୋଦ କୁମାର ନାୟକ ବି ତାଙ୍କ ସହ ଗେମ୍‌ରେ ମାତି ଯାଆନ୍ତି। ବିଦ୍ୟୁତ ସାମଗ୍ରୀଟେ ହାତରେ ପଡ଼ିଲେ ତାକୁ ତାଙ୍କ ବାପା ତନ୍ନତନ୍ନ କରି ଦେଖନ୍ତି। ପ୍ରଦର୍ଶନୀ ପଡ଼ିଆରେ କିଛି ଗୋଟେ ବୈଷୟିକ ଜ୍ଞାନକୌଶଳ ସମ୍ବନ୍ଧୀୟ ପ୍ରଦର୍ଶନୀ ପଡ଼େ, ବାପା ବିଶ୍ବାତ୍ମାଙ୍କୁ ସାଥିରେ ନେଇଯାଆନ୍ତି। ପିଲାଦିନୁ ଏପରି ସମ୍ପୃକ୍ତି ତାଙ୍କୁ ବୈଷୟିକ ଜ୍ଞାନକୌଶଳ ଆଡ଼କୁ ଆକର୍ଷିତ କଲା। ମା’ ବନିତା ନାୟକ ବି ବିଶ୍ବାତ୍ମାଙ୍କୁ ପଢ଼ାରେ ସମସ୍ତ ସ୍ବାଧୀନତା ଯୋଗାଇଦେଲେ। ସେ ନିଜ ଗାଁ ସ୍କୁଲ୍‌ ପ୍ରାଚୀ ଏକାଡେମିରେ ପଢ଼ିବା ପରେ ରୟାଲ କଲେଜ୍‌ ଅଫ ସାଇନ୍‌ସରେ +୨ ଶେଷ କଲେ। ପରେ ଆଇଟିଇଆର୍‌ରେ ମେକାନିକାଲ୍‌ ଇଂଜିନିୟରିଂ ପଢ଼ିଥିଲେ ହେଁ ଏଥିରେ ତାଙ୍କ ମନ ଲାଗି ନଥିଲା। ତେଣୁ ବେଙ୍ଗାଲୁରୁ ଯାଇ ଜାଭା ଓ ପ୍ରୋଗ୍ରିମିଂ ଲାଙ୍ଗୁଏଜ୍‌ରେ ୬ ମାସ ଅଧ୍ୟୟନ କରି ସଫ୍ଟୱେର ଡେଭଲପ କାମରେ ନିୟୋଜିତ ହେଲେ। ‌

ଚାଇନା ସାମଗ୍ରୀ ବର୍ଜନ ନେଇ ଯେବେ ସ୍ବର ଉଠିଲା, ସେତେବେଳେ ସେ ଟିକ୍‌ଟକ୍‌ର ବିକଳ୍ପ ଚିନ୍ତା କଲେ। ଲୋକେ ନିଜ ଷ୍ଟାଟସରେ ଛୋଟ ଭିଡିଓ ପକାଇ ସେୟାର କରୁଥିବାର ଦେଖି ସେହିଭଳି ଏକ ଉପଯୋଗୀ ଆପ୍‌ ତିଆରି କରିବାକୁ ଚିନ୍ତା କଲେ। ୨୦୧୮ରେ ସେ ପ୍ରସ୍ତୁତ କଲେ ଚିଙ୍ଗାରି ଆପ୍‌। ଏଥିରେ ତାଙ୍କର ଦୁଇ ବନ୍ଧୁ ଛତିଶଗଡ଼ର ସୁମିତ ଘୋଷ ଓ କର୍ଣ୍ଣାଟକର ସିଦ୍ଧାର୍ଥ ଗୌତମ ସହଯୋଗ କଲେ। ଏହି ଆପ୍‌ରେ ଯେବେ ୧ଲକ୍ଷ ଚିଙ୍ଗାରି ଆପ୍‌ ବ୍ୟବହାରକାରୀ (ୟୁଜର୍‌) ଯୋଡ଼ି ହେଲେ, ସେ ଏହାକୁ ମାର୍କେଟିଂ କଲେ। ଫଳସ୍ବରୂପ ୭୨ ଘଣ୍ଟାରେ ୫ଲକ୍ଷ ବ୍ୟବହାରକାରୀ ବଢ଼ିଗଲେ। ଏହାପରେ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ପ୍ରତିଯୋଗିତାରେ ୭ହଜାର ପ୍ରତିଯୋଗୀଙ୍କ ମଧ୍ୟ‌ରେ ସୋସିଆଲ ବିଭାଗରେ ସେ ପ୍ରଥମ ସ୍ଥାନ ଅଧିକାର କଲେ। ଏହା ତାଙ୍କୁ ଆହୁରି ପ୍ରେରିତ କଲା। ନିକଟରେ ଯେବେ ନିରାପତ୍ତାକୁ ଦୃଷ୍ଟିରେ ରଖି ଚୀନ୍‌ ଆପ୍‌ଗୁଡ଼ିକ ବ୍ୟାନ୍‌ ହେଲା, ବିଶ୍ବାତ୍ମାଙ୍କ ଚିଙ୍ଗାରି ଆପ୍‌ ୩ ଦିନରେ ୧ କୋଟି ଡାଉନଲୋଡ୍‌ ହେଲା। ଏବେ ଏହି ସଂଖ୍ୟା ‌୨ କୋଟି ୭୦ ଲକ୍ଷ ଅତିକ୍ରମ କରିଛନ୍ତି। ଭିଡିଓ ଅପ୍‌ଲୋଡ୍‌ କରିବା, ବନ୍ଧୁଙ୍କ ସହ ଚାଟ୍‌ କରିବା, ନୂଆ ବନ୍ଧୁ ଯୋଡ଼ିବା, ନିଜର ପ୍ରତିଭାକୁ ସେୟାର କରିବା ଭଳି ସୁଯୋଗ ଥିବା ବେଳେ ସଂପ୍ରତି ଏଥିସହ ସେ କିଛି ନିଉଜ୍‌ ଚ୍ୟାନେଲ୍‌କୁ ଯୋଡ଼ୁଛନ୍ତି। ଫଳରେ ଲୋକେ କମ୍‌ ସମୟ ମଧ୍ୟରେ ସବିଶେଷ ଖବର ପାଇପାରିବେ। ଦିନେ ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଚମକିବ ବୋଲି ଚିନ୍ତା କରି ସେ ବାଛିବାଛି ନାଁ ଦେଇଥିଲେ ଚିଙ୍ଗାରି। ଶେଷରେ ସେହି ନାମ ସାର୍ଥକ ହେଲା।

ସମ୍ବନ୍ଧିତ ଖବର