ଚିନ୍ତା ଓ ଚେତନାର ବର୍ଷା ଉତ୍ସବ: ମନମୋହିଲା ଗୁରୁ ସୁଜାତା ମହାପାତ୍ରଙ୍କ ‘ବର୍ଷା ଆଗମନ ନୃତ୍ୟ’

ଭୁବନେଶ୍ୱର: ଋତୁରାଣୀ ବର୍ଷାର ଅନନ୍ୟ ମହ୍ଲାର ନେଇ ଚିନ୍ତା ଓ ଚେତନା ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ୪୧ତମ ବର୍ଷା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନୃତ୍ୟଶିଳ୍ପୀ ଗୁରୁ ସୁଜାତା ମହାପାତ୍ରଙ୍କ ଦ୍ୱାରା କାଳିଦାସଙ୍କ ଋତୁ ସଂହାର ଉପରେ ଆଧାରିତ ‘ବର୍ଷାର ଆଗମନ’କୁ ନେଇ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିଲା। ବର୍ଷାର ଆଗମନରେ ଜନମାନସ, ପ୍ରକୃତି କିପରି ଉତ୍ଫୁଲିତ ହୁଅନ୍ତି ଏବଂ ବର୍ଷାର ଭୀଷଣ ରୂପରେ କିପରି ସମସ୍ତେ ଭୟଭୀତ ହୋଇଯାଆନ୍ତି, ତାହାକୁ ସେ ନୃତ୍ୟ ମାଧ୍ୟମରେ ଉପସ୍ଥାପନା କରିଥିଲେ। ୨୦ ମିନିଟ୍‌ର ଏହି ନୃତ୍ୟରେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ସଙ୍ଗୀତ ସଂଯୋଜନା କରିଥିଲେ। ଏହା ରାଗ ‘ରାଗ ମାଳିକା ଓ ତାଳ ‘ତାଳ ମାଳିକା’ ଉପରେ ଆଧାରିତ ଥିଲା। କାର୍ଯ୍ୟକ୍ରମରେ ସୁଜାତା ମହାପାତ୍ର, ସତ୍ୟବ୍ରତ ମହାନ୍ତି, କଣ୍ଠଶିଳ୍ପୀ ଆଦ୍ୟାଶା ଦାସ, ଦୟାନିଧି ତାଣ୍ଟି, ଅକ୍ଷୟ କୁମାର ପାତ୍ର, ଦେବଦତ୍ତ ସ୍ୱାଇଁ, ମହେନ୍ଦ୍ର କୁମାର ଗୁପ୍ତା, ନାଜିଆ ଆଲମ୍, କେ. କ୍ରିଷ୍ଣନ୍, କେ. ମୋହନ, ସତୀଶ ରାଘବନ୍, ପି.ପି କ୍ରିଷ୍ଣନ୍, ସସ୍ମିତା ତ୍ରିପାଠୀ, ଶ୍ରାବଣୀ ମିତ୍ର, ଗାୟକ ସମ୍ରାଟ ପ୍ରହଲ୍ଲାଦ ସାହୁ ଓ ଡ୍ୟାନ୍ସିଂ ଟ୍ରାଫିକ୍ ପୁଲିସ୍ କିଶୋରଚନ୍ଦ୍ର ହୋତାଙ୍କୁ ‘ରାଷ୍ଟ୍ରୀୟ ଚିନ୍ତା ଓ ଚେତନା ସମ୍ମାନ-୨୦୧୯’ରେ ସମ୍ମାନିତ କରାଯାଇଥିଲା। ଏହି ସନ୍ଧ୍ୟାରେ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ସ୍ୱାମୀ ରାମନାରାୟଣ ବାବା, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଶାଶ୍ବତୀ ବଳ, ‌କବି ଶ୍ରୀକାନ୍ତ ମିଶ୍ର ଓ ଶିଳ୍ପପତି ମହେନ୍ଦ୍ର କୁମାର ଗୁପ୍ତା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ରଖିଥିଲେ ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ମହାସଚିବ ସୁରେନ୍ଦ୍ର ଦାସ। କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର