ଭୁବନେଶ୍ୱର: ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ପକ୍ଷରୁ ଆନ୍ତଃ ବିଦ୍ୟାଳୟ କୁଇଜ୍‌ ‘ଟିସିଏସ୍‌ ଆଇଟି ୱିଜ୍‌୍‌-୨୦୧୮’ର ଆଞ୍ଚଳିକ ଫାଇନାଲ୍‌ ଆଜି ହୋଟେଲ ପଲ୍‌ ହାଇଟସ୍‌ଠାରେ ଆୟୋଜିତ ହୋଇଯାଇଛି। ଆଞ୍ଚଳିକ ଫାଇନାଲ୍‌ରେ ଅଂଶଗ୍ରହଣ କରିଥିବା ଭୁବନେଶ୍ୱରର ସାଇ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସ୍କୁଲ, ଡିଏଭି, ସେଣ୍ଟ୍‌ ଯୋଶେଫ୍‌ ଆଦି ସ୍କୁଲକୁ ପଛରେ ପକାଇ ବେଲପାହାଡ଼ ଇଂରାଜୀ ମାଧ୍ୟମ ସ୍କୁଲ ଛାତ୍ର ଚିରଞ୍ଜୀବୀ ପ୍ରଧାନ ଓ ବେଦାଂଶ ପ୍ରଧାନ ଟିସିଏସ୍‌ ଆଇଟି ୱିଜ୍‌ ୨୦୧୮ ଭୁବନେଶ୍ୱର ସଂସ୍କରଣର ବିଜେତା ହୋଇଛନ୍ତି। ବିଜେତାଙ୍କୁ ୬୦ ହଜାର ଟଙ୍କାର ଗିଫ୍‌ଟ ଭାଉଚର୍‌ ପ୍ରଦାନ କରାଯାଇଥିବା ବେଳେ ରନର୍ସ ଅପ୍‌ ଭାବେ ସାଇ ଇଣ୍ଟରନ୍ୟାସନାଲ ବିଦ୍ୟାଳୟର ଛାତ୍ର ସ୍ୱସ୍ତିକ ଦାସ ଓ ପ୍ରିୟାଂଶୁ ମିଶ୍ରଙ୍କୁ ୪୦ ହଜାର ଟଙ୍କାର ଗିଫ୍‌ଟ ଭାଉଚର୍‌ ଦିଆଯାଇଛି। ପ୍ରତିଯୋଗିତାରେ ଭୁବନେଶ୍ୱରର ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସମେତ ପୁରୀ, କଟକ, ପାରାଦୀପ, ରାଉରକେଲା, ଝାରସୁଗୁଡ଼ା, ଦାମନଯୋଡ଼ି, ଯାଜପୁର, ଗଂଜାମ ଓ ଜାମସେଦପୁର ଆଦି ସହରର ବିଭିନ୍ନ ସ୍କୁଲ୍‌ ଅଂଶଗ୍ରହଣ କରିଥିଲେ। ପ୍ରଯୁକ୍ତି ଦକ୍ଷତାର ସଶକ୍ତୀକରଣର ବର୍ଦ୍ଧିତ ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ ସମ୍ମାନିତ ଅତିଥି ଭାବେ ସଫଟ୍‌ଓୟାର ଟେକ୍‌ନୋଲୋଜି ପାର୍କ ଅଫ ଇଣ୍ଡିଆ (ଏସ୍‌ଟିପିଆଇ)ର ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା, ଓଡ଼ିଶାର ଟିସିଏସ୍‌ ସେଣ୍ଟର ମୁଖ୍ୟ ମନୋଜ କୁମାର ପଣ୍ଡା ଓ ଟ୍ୟାଲେଣ୍ଟ୍‌ ଡେଭେଲପ୍‌ମେଣ୍ଟ-ଟିସିଏସ୍‌ର ଉପସଭାପତି ତଥା ଗ୍ଲୋବାଲ୍‌ ହେଡ୍‌ ଦାମୋଦର ପାଢ଼ୀ ପ୍ରମୁଖ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

Advertisment