‘ଚିର୍‌କୁଟ୍‌’ ପ୍ରଥମ ଦିନ ପ୍ରଥମ ସୋ ମାଗଣା

ଭୁବନେଶ୍ବର : ଦୀର୍ଘଦିନର ଅସୁସ୍ଥତା ପରେ ‘ଚିର୍‌କୁଟ୍‌’ ନେଇ ପରଦାକୁ ଫେରିଛନ୍ତି ଲୋକପ୍ରିୟ ଅଭିନେତା ପପୁ ପମ୍‌ପମ୍‌। ତେବେ ପରଦା ଉପରେ ନୁହେଁ ପରଦା ପଛରେ ଏଥର ସେ ନିଜର ଯାଦୁକରୀ ସ୍ପର୍ଶ ଦେଇଛନ୍ତି। ନିର୍ଦେଶନା ସହ ସଂଗୀତ ନିର୍ଦେଶନା ମଧ୍ୟ ଦେଇଛନ୍ତି। ଚଳଚ୍ଚିତ୍ରରେ ଗୀତଟିଏ ବି ଗାଇଛନ୍ତି ପପୁ। ତେବେ ସବୁଠୁ ବଡ଼ କଥା ହେଉଛି, ଚିର୍‌କୁଟ୍‌ ମୁକ୍ତିଲାଭ କରିବା ଦିନ ପ୍ରଥମ ସୋ’ ସାରା ରାଜ୍ୟରେ ମାଗଣା ଦେଖିବାର ସୁଯୋଗ ମିଳିବ। ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହା ଘୋଷଣା କରାଯାଇଛି। ଅକ୍ଷୟ ପରିଜା ପ୍ରଡକ୍ସନ୍‌ ଏବଂ ପ୍ରକାଶ ଫିଲ୍ମସ୍‌ର ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଏପ୍ରିଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏଭଳି ଏକ ଘୋଷଣା କୌଣସି ଚଳଚ୍ଚିତ୍ର ପାଇଁ ପ୍ରଥମ ବୋଲି କହିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା।

ନବାଗତ ଅରୋଜିତ୍‌ ଏବଂ ଅନନ୍ୟାଙ୍କୁ ନାୟକ ଓ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଶ୍ରୀ ପରିଜାଙ୍କ ସମେତ ପ୍ରଯୋଜନାରେ ଅଛନ୍ତି ପ୍ରଶାନ୍ତ ବେହେରା ଏବଂ ସୁନିଲ କୁମାର ଯାଦବ। ଏହି ଚଳଚ୍ଚିତ୍ରର ବିଶେଷତ୍ବ ଏହି ଯେ, ଏଥିରେ ନାୟକ ନାୟିକାଙ୍କ ସମେତ ଚଳଚ୍ଚିତ୍ରରେ ପ୍ରାୟ ନୂଆ ମୁହଁ ଦେଖିବାକୁ ମିଳିବ। ଇତିମଧ୍ୟରେ ଚଳଚ୍ଚିତ୍ରର ସଂଗୀତ ମୁକ୍ତିଲାଭ କରି ସାରିଛି। ସମ୍ପୂର୍ଣ୍ଣ ମୌଳିକ କଥାକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ଓଡ଼ିଆ ସିନେ ରାଇଜରେ ଏକ ନୂଆ ଧାରା ଆରମ୍ଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର