୮ବର୍ଷ ପରେ ଇଓଡବ୍ଲୁ ପଞ୍ଝାରେ ଇଣ୍ଟର ଓସେନ୍ ନିର୍ଦ୍ଦେଶକ: ୟୁପିରୁ ଧରାପଡ଼ିଲା ରାଜସ୍ଥାନର ଠକ, ଚିଟ୍‌ଫଣ୍ଡ ଖୋଲି ଓଡ଼ିଶାରୁ ଲୁଟିଥିଲା ୨କୋଟି

ଭୁବନେଶ୍ବର : ଅଧିକ ସୁଧ ଦେବେ କହି ଲୋକଙ୍କଠାରୁ ୨କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ର‌ାଞ୍ଚର ଅର୍ଥନୈତିକ ଅପରାଧ ଶାଖ(ଇଓଡବ୍ଲୁ) ଆଜି ଇଣ୍ଟର ଓସେନ୍ ବିଦେଶ ଲିମିଟେଡ୍‌ର ନିର୍ଦ୍ଦେଶକ ରାଜସ୍ଥାନ ବିକାନେର୍‌ର ଦିଲ୍ଲୀପ କୁମାର ଜୈନ୍‌ଙ୍କୁ ଗିରଫ କରିଛି। ଦୀର୍ଘ ୮ ବର୍ଷ ପରେ ଉତ୍ତରପ୍ରଦେଶ ବରେଲି ଅଞ୍ଚଳରୁ ଇଓଡବ୍ଲୁ ଆଜି ଶେଷରେ ଦିଲ୍ଲୀପଙ୍କୁ ଗିରଫ କରିବାକୁ ସମର୍ଥ ହୋଇଛି।

ମିଳିଥିବା ସୂଚନା ମୁତାବକ, ଗତ ୨୦୧୦ ମସିହାରେ ଇଣ୍ଟର ଓସେନ୍ ବିଦେଶ ଲିମିଟେଡ୍ ଏବଂ ଏହାର ଅନ୍ୟ ସହଯୋଗୀ ସଂସ୍ଥା ଆଲ୍‌ପାଇନ୍ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍, ଇଣ୍ଟର ଓସେନ୍ ଇମ୍ପେକ୍ସ ପ୍ରାଇଭେଟ୍ ଲିମିଟେଡ, ଇଣ୍ଟର ଓସେନ୍ ରିଟେଲ୍ ଇଣ୍ଡିଆ ଲିମିଟେଡ୍ କଟକରେ ଏକ ଅଫିସ ଖୋଲିଥିଲା। ଆକର୍ଷଣୀୟ ସୁଧ ଦେବାକୁ କହି ରାଜ୍ୟର ଭୁବନେଶ୍ବର ଓ ଅନ୍ୟାନ୍ୟ ଅଞ୍ଚ​ଳରେ ଏକାଧିକ ଶାଖା ଅଫିସ୍ ଖୋଲି ଲୋକଙ୍କ ଠାରୁ ଟଙ୍କା ଆଣିଥିଲା। ଲୋକଙ୍କୁ ବୁଝେଇବା ଓ ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ଓଡ଼ିଶାର ସୁନିତା ସାମଲ ଓ ମନୋରଂଜନ ରାୟଙ୍କୁ ଏହି ସଂସ୍ଥାରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲା। ତେବେ ୨୦୧୩ ବେଳକୁ ଲୋକଙ୍କଠାରୁ ପ୍ରାୟ ୨ କୋଟି ଟଙ୍କା ଆଦାୟ କରି ଫେରାର୍ ହେବା ପରେ ତାଳଚେରର ଲକ୍ଷ୍ମୀନାରାୟଣ ମହାପାତ୍ର ଏନେଇ ସଂସ୍ଥା ନାଁ’ରେ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୁଲିସ ପ୍ରଥମେ ସୁନିତା ସାମଲ ଓ ମନୋରଂଜନ ରାୟଙ୍କୁ ଖୋଜି ଗିରଫ କରିବା ପରେ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପକୁ ଗିରଫ ପାଇଁ ରାଜ୍ୟ ବାହାରେ ଡେରା ପକାଇଥିଲା। ଘଟଣାର ଖୋଳତାଡ଼ ହେଉଥିବା ଖବର ପାଇ ଦିଲ୍ଲୀପ ମୂଳ ଘର ବିକାନେର୍‌ରୁ ଫେରାର ହୋଇ ଦିଲ୍ଲୀ, ଦିଲ୍ଲୀରୁ ବରେଲି ଏବଂ ପରେ ସେଠାରୁ ଗାଜିଆବାଦ୍ ଖସିଯିବାକୁ ଯୋଜନା କରିଥିଲା। ମାତ୍ର ବରେଲିରୁ ଗାଜିଆବାଦ୍ ଯିବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ଇଓଡବ୍ଲ୍ୟୁ ଦିଲ୍ଲୀପକୁ ଉତ୍ତରପ୍ରଦେଶ ପୁଲିସ ସହାୟତାରେ ଗିରଫ କରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର