ରାତାରାତି ଲକ୍ଷପତି ହେବାର ସ୍ୱପ୍ନ ଦେଖାଇ ଅରୋକ୍ସା ଚିଟ୍‌ଫଣ୍ଡ କମ୍ପାନି ଠକି ନେଲା ୩୦ କୋଟି

ବାଲେଶ୍ବର ସହରରେ ହୋଇଥିଲା ବଡ଼ ସଭା
ଷ୍ଟାର୍‌ ସଦସ୍ୟଙ୍କ ପାଇଁ ଉପହାର ଥିଲା ଫର୍ଚୁନର୍ କାର୍‌
ମାମଲା ରୁଜୁ କଲା ଇଓଡବ୍ଲୁ, ଦୁଇ ଜଣଙ୍କୁ ଜେରା

ଭୁବନେଶ୍ବର : ସମସ୍ତଙ୍କୁ ଚକ୍‌ମା ଦେଇ ହଜାର ହଜାର କୋଟି ଟଙ୍କାର ଚିଟ୍‌ଫଣ୍ଡ ଠକେଇ ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏବେ ବି ତ‌ା’ର ତଦନ୍ତ ଜାରି ରହିଥିବା ବେଳେ ପୁଣି ବାଲେଶ୍ବର ସହରର ଆଉ ଏକ ଚିଟ୍‌ଫଣ୍ଡ ଠକେଇ ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାୟ ବର୍ଷେ ଧରି ବିଭିନ୍ନ ଅଞ୍ଚଳରେ ଶାଖା କାର୍ଯ୍ୟାଳୟ ଖୋଲି ଲୋଭନୀୟ ସ୍କିମ୍ ବଳରେ କମ୍ପାନି ପ୍ରାୟ ୩୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ଆସିଛି। ଠକେଇ କରିଥିବା ମଧ୍ୟପ୍ରଦେଶର ଅରୋକ୍ସା ଡିଲ୍ ମଲ୍ଟିଟ୍ରେଡ୍ କମ୍ପାନି, ଏହାର ନିର୍ଦ୍ଦେଶକ ଓ ଏହାକୁ ରାଜ୍ୟରେ ପ୍ରଚାର ପ୍ରସାର କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ(ଅର୍ଥନୈତିକ ଅପରାଧ ଶାଖା) ମାମଲା ରୁଜୁ କରିଛି।

ପ୍ରଚାରପ୍ରସାର କରିବା ସହ ଟଙ୍କା ଆଦାୟ କରୁଥିବା ଦୁଇ ଅଭିଯୁକ୍ତ ଶରତ କୁମାର ନାୟକ ଓ ପ୍ରଭାତ ରଞ୍ଜନ ଦାଶ କମ୍ପାନିର ମଧ୍ୟପ୍ରଦେଶ ଗ୍ବାଲିୟରସ୍ଥିତ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆକାଉଣ୍ଟକୁ ୧କୋଟି ୪୩ ଲକ୍ଷ ଟଙ୍କା ପଠାଇଥିବା ଇଓଡବ୍ଲୁକୁ ପ୍ରମାଣ ମିଳିଛି। ରାଜ୍ୟରେ ପୁଣି ବଡ଼ଧରଣର ଚିଟ୍‌ଫଣ୍ଡ କମ୍ପାନି ସକ୍ରିୟ ହେବା ଚିନ୍ତାଜନକ ପାଲଟିଛି। ସେହିପରି ବର୍ଷେ କାଳ ଧରି ଅରୋକ୍ସା କମ୍ପାନି ପୋଷ୍ଟର ବାଣ୍ଟିବାଠାରୁ ଆରମ୍ଭ କରି ସଭା ସମିତି କାର୍ଯ୍ୟକ୍ରମ କରିବା ଘଟଣା କେମିତି ଜିଲ୍ଲା ପ୍ରଶାସନ ଓ ପୁଲିସ ଜାଣିପାରିଲା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁସାରେ, ଅରୋକ୍ସା ଡିଲ୍ ମଲ୍ଟିଟ୍ରେଡ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ୨୦୧୯ ମେ’ ମାସରେ ଗ୍ବାଲିୟର ଆରଓସି(ରେଜିଷ୍ଟ୍ରାର୍ ଅଫ୍ କମ୍ପାନି)ରେ ରେଜିଷ୍ଟ୍ରେସନ୍‌ କରିଛି। ବାବୁ ସିଂ ଖୁସଵା ଏହାର ନିର୍ଦ୍ଦେଶକ ବୋଲି ଜଣାପଡ଼ିଛି। ୨୦୧୯ ମେ’ ରେ ଓଡ଼ିଶା ଆସି ବାଲେଶ୍ବରରେ ଅଫିସ ଖୋଲିବା ସହ ପ୍ରଥମେ ଏଜେଣ୍ଟଙ୍କୁ ନିଯୁକ୍ତି ଦେଇଥିଲା। ଯେଉଁମାନଙ୍କ ଜରିଆରେ କମ୍ପାନି ପ୍ରଚାରପ୍ରସାର ଆରମ୍ଭ କରିଥିଲା। ସହରରେ ବିଭିନ୍ନ ସ୍ଥାନରେ ଲୋଭନୀୟ ଅଫର୍‌ ଥିବା ପୋଷ୍ଟର୍‌ ଲଗାଯାଇଥିଲା। ଲୋକଙ୍କୁ ସିଧାସ​ଳଖ ବଜାରଠାରୁ କମ୍ ମୂଲ୍ୟରେ ଏଲ୍‌ଇଡି ଟିଭି, ସ୍ମାର୍ଟ ଟିଭି, ଟ୍ରଲି ବ୍ୟାଗ୍, ମିକ୍ସଚର୍ ଗ୍ରାଇଣ୍ଡର, ଏଲ୍‌ଇଡି ସ୍ମାର୍ଟ ଫ୍ୟାନ୍ ବିକ୍ରି ପାଇଁ ଲୋଭ ଦେଖାଇଥିଲା। ଏହାସହ ୧୦ପ୍ରତିଶତ କ୍ୟସବ୍ୟାକ୍ ଅଫର୍‌ ମଧ୍ୟ ଦେଇଥିଲା। ସେହିପରି ଚେନ୍ ସିଷ୍ଟମ୍‌ରେ ଟଙ୍କା ଜମା କଲେ ୨୫୦ ଦିନ ପର୍ଯ୍ୟନ୍ତ ଅଧିକ ସୁଧରେ ଫେରସ୍ତ ଲୋଭ ମଧ୍ୟ ଦେଖାଯାଇଥିଲା। ୮ ଜଣ ସଦସ୍ୟ ସିଧାସଳଖ ୧୫୦୦ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କଲେ ସେମାନଙ୍କୁ ଦୈନିକ ୧୧ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ପାଇବାର ସ୍କିମ୍ ରଖା ଯାଇଥିଲା। ଷ୍ଟାର ଆଚିଭର୍‌ମାନଙ୍କ ପାଇଁ ୫ହଜାର ଟଙ୍କା କିମ୍ବା ମୋବାଇଲ ଫୋନ୍ ଏବଂ ଇମରଲାଣ୍ଡ ଷ୍ଟାର ଆଚିଭରଙ୍କ ପାଇଁ ୩୦ ଲକ୍ଷ ଟଙ୍କା ନଚେତ୍ ଫର୍ଚୁନର୍ ଗାଡ଼ିର ଉପହାର ରଖା ଯାଇଥିଲା। ଫ୍ରାଞ୍ଚାଇଜ୍ ନାଁରେ ମଧ୍ୟ କମ୍ପାନି କୋଠା, ବିଦେଶ ବୁଲିବାର ସ୍ବପ୍ନ ମଧ୍ୟ ଦେଖାଇଥିଲା।

ଯେଉଁମାନେ ସଦସ୍ୟତା ଗ୍ରହଣ କରୁଥିଲେ ସେମାନେ ନିଜର ସାଙ୍ଗସାଥୀ, ସମ୍ପର୍କୀୟ, ବନ୍ଧୁଙ୍କୁ ଏହି ଲୋଭନୀୟ ଅଫର ବିଷୟରେ କହିଥିଲେ। ସେମାନେ ମଧ୍ୟ ଟଙ୍କା ଜମା ରଖିଥିଲେ। ଏପରିକି ଜଣେ ଅବସରପ୍ରାପ୍ତ ବିଏସଏଫ୍ ଯବାନ ୩୦ ଲକ୍ଷ ଟଙ୍କା ଜମା ରଖି ଠକାମିର ଶିକାର ହୋଇଥିଲେ। ଅଜୟ କୁମାର ସାହୁ ନାମକ ଜଣେ ବ୍ୟକ୍ତି ୨୦ ଲକ୍ଷ ଟଙ୍କାର ଶିକାର ହୋଇଥିଲେ। ଏମିତି ଅନେକ ଲୋକ ଯେଉଁମାନେ ୧୦ ଲକ୍ଷ ଟଙ୍କାରୁ ଅଧିକ ଜମା ରଖିଥିବା ଜଣାପଡ଼ିଛି। ଏହି ସ୍କିମ୍ ଧିରେ ଧିରେ ପଡ଼ୋଶୀ ଜିଲ୍ଲା ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝରକୁ ବ୍ୟାପି ଯାଇଥିଲା। ୪ ଜିଲ୍ଲାର ଶହ ଶହ ଲୋକ ଠକାମିର ଶିକାର ହୋଇଥିବା ଜଣାପଡ଼ିଥିଲା। ଗତ ଡିସେମ୍ବର ୧ ତାରିଖରେ ଠକାମିର ଶିକାର ହୋଇଥିବା କେତେକ ଅଭିଯୋଗକାରୀ ଇଓଡବ୍ଲୁର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଇଓଡବ୍ଲୁର ପ୍ରାଥମିକ ଅନୁସନ୍ଧାନ ସମୟରେ ଠକେଇ ସଂକ୍ରାନ୍ତରେ ଅନେକ ତଥ୍ୟ ମିଳିଥିଲା। ଏହି ଘଟଣାରେ ତଦନ୍ତକାରୀ ଟିମ୍ ଦୁଇ ଜଣଙ୍କୁ ଜେରା କରୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର