ବିହଙ୍ଗ ସରଣୀରେ ଚିତ୍ରା‌ ଗେଣ୍ଡାଳିଆ

ନନ୍ଦନକାନନରେ ଲାଗିଲାଣି ପକ୍ଷୀଙ୍କ ମେଳା

ବାରଙ୍ଗ: ଶୀତ ବଢ଼ିବା ସହ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାହ୍ୟ ପକ୍ଷୀଙ୍କ ମେଳା ଲାଗିବା‌ ଦେଖିବାକୁ ମିଳିଲାଣି। ବିହଙ୍ଗ ସରଣୀ ପାଖକୁ ବାହ୍ୟ ପକ୍ଷୀମାନେ ଛୁଟି ଆସିଲେଣି। ଗତ କିଛି ଦିନ ହେଲା ବିହଙ୍ଗ ସରଣୀ ତାରଜାଲି ଉପରେ ଚିତ୍ରା ଗେଣ୍ଡାଳିଆମାନେ ଚକ୍କର କାଟୁଥିବାର ସୁନ୍ଦର ଦୃଶ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରୁଛି। ଏହି ଆଗନ୍ତୁକ ସୁନ୍ଦର ଚିତ୍ରା ଗେଣ୍ଡାଳିଆଙ୍କୁ ଦେଖିବାକୁ ପର୍ଯ୍ୟଟକମାନେ ବିହଙ୍ଗ ସରଣୀରେ ଅଟକି ରହୁଛନ୍ତି।
ସୂଚନାଯୋଗ୍ୟ ଯେ ବିହଙ୍ଗ ସରଣୀ ଜଳାଶୟରେ ପେଲିକାନ୍‌, ଗେଣ୍ଡାଳିଆ, ଚିତ୍ରା ଗେଣ୍ଡାଳିଆ, ବିଭିନ୍ନ ପ୍ରଜାତିର ବଗ, ପାଣିକାଉ, ଚାମଚ ଥଣ୍ଟିଆ ଚଢ଼େଇ ଆଦି ରହୁଛନ୍ତି।

ଜଳକ୍ରୀଡ଼ା ବା ସନ୍ତରଣ କରୁଥିବା ବେଳେ ସେମାନଙ୍କ କଳରବରେ ବିହଙ୍ଗ ସରଣୀ ମୁଖରିତ ହୋଇଉଠେ। ତେଣୁ ବହୁ ସମୟରେ ବାହ୍ୟ ପକ୍ଷୀମାନେ ସେମାନଙ୍କ କିଚିରିମିଚିରି ଶବ୍ଦ ବା କଳରବ ପ୍ରତି ଆକୃଷ୍ଟ ହୋଇ ତାରଜାଲି ଚାରିକଡ଼ରେ ଚକ୍କର କାଟନ୍ତି। ବିହଙ୍ଗ ସରଣୀରେ ଦିଆଯାଉଥିବା ଖାଦ୍ୟ ମଧ୍ୟ ବାହ୍ୟ ପକ୍ଷୀମାନଙ୍କ ଆକୃଷ୍ଟ ହେବାର ଅନ୍ୟତମ କାରଣ ହୋଇଥାଏ। ତେବେ ବାହ୍ୟ ପକ୍ଷୀମାନେ ସରଣୀ ଭିତରକୁ ପ୍ରବେଶ କରିପାରନ୍ତିନାହିଁ। ଗତ ଦୁଇ ତଳେ ତାରଜାଲି ଉପରେ ଦୁଇଟି ଚିତ୍ରାଗେଣ୍ଡାଳିଆ ବୁଲୁଥିବା ଦେଖାଯାଇଥିଲା। ଏବେ ଏହି ଆଗନ୍ତୁକ ଚିତ୍ରା ଗେଣ୍ଡାଳିଆଙ୍କ ସଂଖ୍ୟା ୪ଟି ହୋଇଗଲାଣି। ସେମାନେ ସରଣୀ ପାଖ ଛାଡ଼ି ଯାଉନଥିବା ବେଳେ ଭିତରେ ଥିବା ଚିତ୍ରା ଗେଣ୍ଡାଳିଆମାନେ ବି ସେମାନଙ୍କ ନିକଟତର ହେବାକୁ ଉଦ୍ୟମ କରୁଥିବାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଖୁସି ଦେଉଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ନନ୍ଦନକାନନରେ ଚିତ୍ରା ଗେଣ୍ଡାଳିଆ ନଥିଲେ। ୨୦୧୭ ମସିହାରେ ନନ୍ଦନକାନନ କର୍ତ୍ତୃପକ୍ଷ ବେଙ୍ଗାଲୁରୁରୁ ୧୦ଟି ଚିତ୍ରା ଗେଣ୍ଡାଳିଆଙ୍କୁ ଆଣି ବିହଙ୍ଗ ସରଣୀର ଶୋଭା ବଢ଼ାଇଥିଲେ। ଭିତରେ ସେମାନଙ୍କୁ ଦେଖି ବାହ୍ୟ ଚିତ୍ର‌ା ଗେଣ୍ଡାଳିଆମାନେ ଆକୃଷ୍ଟ ହୋଇ ସରଣୀ ତାରଜାଲି ପାଖରେ ବିଚରଣ କରୁଥିବା ଜଣାପଡ଼ିଛି। ପୂର୍ବରୁ ଶୀତଋତୁର ଆଗମନରେ ନନ୍ଦନକାନନର କାଞ୍ଜିଆ ହ୍ରଦକୁ ବିଦେଶାଗତ ପକ୍ଷୀମାନେ ଉଡ଼ି ଆସୁଥିଲେ। ଫଳରେ କାଞ୍ଜିଆ ହ୍ରଦ ବିହଙ୍ଗମୟ ହୋଇ ଉଠୁଥିଲା। ମାତ୍ର ୧୯୯୯ ମହାବାତ୍ୟା ପରେ ଚିତ୍ର ବଦଳିଗଲା। ବିଦେଶାଗତ ପକ୍ଷୀଙ୍କ ଆଗମନ ବହୁମାତ୍ରାରେ କମିଗଲା। ତେବେ ଗତ ୪ବର୍ଷ ତଳୁ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଲଟ୍‌ ପକ୍ଷୀମାନେ ବିହଙ୍ଗ ସରଣୀ ନିକଟରେ ବୁଲୁଥିବା ଦେଖାଯାଉଛି। ଏବେ ପୁଣି ଚିତ୍ରା ଗେଣ୍ଡାଳିଆମାନେ ଆସିଲେଣି। ତେଣୁ ପୁଣି କାଞ୍ଜିଆ ହ୍ରଦ ବିହଙ୍ଗମୟ ହେବା ଆଶା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର