ଚିତ୍ତଭାଇ ଥିଲେ ବିଶ୍ବଚେତନାର ବ୍ୟକ୍ତିରୂପ

ଦଶମ ଶ୍ରା‌ଦ୍ଧବାର୍ଷିକୀରେ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ପ୍ରଖ୍ୟାତ ଶିକ୍ଷାବିତ, ଲେଖକ ଓ ଦାର୍ଶନିକ ଚିତ୍ତରଂଜନ ଦାସ କେବଳ ଜଣେ ମାନବବାଦୀ ସର୍ଜନଶୀଳ ବ୍ୟକ୍ତି ନ ଥିଲେ, ସେ ଥିଲେ ବିଶ୍ବଚେତନାର ବ୍ୟକ୍ତିରୂପ। ମଣିଷକୁ କେନ୍ଦ୍ରରେ ରଖି ଏକ ବୈଷମ୍ୟହୀନ, ଛଳନାହୀନ ଏବଂ ପାରସ୍ପରିକ ସମ୍ବନ୍ଧଯୁକ୍ତ ନୂତନ ପୃଥିବୀର ସ୍ବପ୍ନ ଦେଖୁଥିଲେ ସେ। ଏଥିପାଇଁ ସାରା ଜୀବନ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଥିଲେ। ୨୪୦ରୁ ଅଧିକ ଉପାଦେୟ ପୁସ୍ତକ ଲେଖି ତଥା ଅନୁବାଦ କରି ଆଧ୍ୟାତ୍ମିକତାର ରାସ୍ତାରେ ସାଙ୍ଗ ହୋଇ ବାଟ ଚାଲିବାକୁ ସମସ୍ତଙ୍କୁ ଅନୁପ୍ରେରିତ କରୁଥିଲେ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କ ଭଲପାଇବାର ଡୋରିରେ ବନ୍ଧା ହୋଇଥିଲେ ଓଡ଼ିଶା ଓ ଓଡ଼ିଶା ବାହାରର ଅଗଣିତ ଛାତ୍ର, ଯୁୂବକ, ଶିକ୍ଷକ ଓ ଜିଜ୍ଞ‌ାସୁ ମଣିଷ। ସେଥିପାଇଁ ତିରୋଧାନର ୧୦ ବର୍ଷ ପରେ ବି ଚିତ୍ତଭାଇ ସମସ୍ତଙ୍କ ହୃଦୟରେ ବନ୍ଧୁ ଓ ମାର୍ଗଦର୍ଶକ ହୋଇ ବିରାଜମାନ କରୁଛନ୍ତି। ବିଶ୍ବଚେତନାର ଇପ୍‌ସିତ ପୃଥିବୀଟିଏ ଗଢ଼ିବା ପାଇଁ ଭିନ୍ନ ଜୀବନଟିଏ ବଞ୍ଚିବାର ସଂକଳ୍ପ ନେଉଛନ୍ତି। ଆଜି ଦଶମ ଶ୍ରାଦ୍ଧବାର୍ଷିକୀରେ ବାପୁଜୀନଗର ସ୍ଥିତ ବାସଭବନ ‘ବିଶ୍ବନୀଡ଼ମ’ରେ ଅନୁଷ୍ଠିତ ସ୍ବର୍ଗତ ଦାସଙ୍କ ସ୍ମୃତିସଭାରେ ଏଭଳି ମତ ପ୍ରକାଶ ପାଇଛି।

ସ୍ବର୍ଗତ ଦାସଙ୍କ ହାତଗଢ଼ା ଅନୁଷ୍ଠାନ ‘ସୁହୃଦ୍‌’ ପକ୍ଷରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂଗଠନର ୫୦ରୁ ଊର୍ଦ୍ଧ୍ବ ସଦସ୍ୟ, ସଦସ୍ୟା ଓ ଚିତ୍ତପ୍ରେମୀ ଯୋଗ ଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ। ନିଜ ଜୀବଦ୍ଦଶାରେ ଚିତ୍ତଭାଇ ପ୍ରତ୍ୟେକଙ୍କ ଭିତରେ ଥିବା ସମ୍ଭାବନାକୁ ପରଖି ବ୍ୟକ୍ତିତ୍ବର ପରିପୂର୍ଣ୍ଣ ବିକାଶ ଲାଗି ନିରନ୍ତର ପ୍ରେରଣା ଦେବା ସହ ସମସ୍ତଙ୍କୁ ନେଇ ଯେଉଁ ଆଶା ପୋଷଣ କରୁଥିଲେ, ତାହାର ଯୋଗ୍ୟ ହୋଇ ଉଠିବା ଲାଗି ସଂକଳ୍ପ ନେଲେ ହିଁ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ପ୍ରକାଶ ପାଇଥିଲା।
ସ୍ବର୍ଗତ ଦାସଙ୍କ ଧର୍ମପତ୍ନୀ ପ୍ରଫେସର ଡ.ଉଷା ଦାସଙ୍କ ଉପସ୍ଥିତିରେ ରବୀନ୍ଦ୍ର ନାଥ ଦାସ, ରବୀନ୍ଦ୍ର ନାଥ ପାଢ଼ୀ, ବୀରବର ନାୟକ, ସୁବାସ ଚନ୍ଦ୍ର ପଟ୍ଟନାୟକ, ବୀଣାପାଣି ନାୟକ, ଶ୍ୟାମସୁନ୍ଦର ଜେନା, ସୁକାନ୍ତ ଚୌଧୁରୀ, ରାଜକିଶୋର ପାଢ଼ୀ, ରମେଶ ଗୁମାନସିଂ, ସନ୍ତୋଷ ରଥ, ବରେନ୍ଦ୍ର ସାହୁ, ଲିଙ୍ଗରାଜ ପାଣି, ଚନ୍ଦନ ସିଂହ, କବିତା ସିଂହ, ବିପିନ ବାରିକ, ଦେବେନ୍ଦ୍ର ରାଉତ, ଆଶିଷ ମହାନ୍ତି, ଡ.ରମେଶ ଚନ୍ଦ୍ର ବେହେରା, ରେଣୁବାଳା ସୁବୁଦ୍ଧି, ଲୋକନାଥ ପଣ୍ଡା, ବିଳାସିନୀ ସିଂହ, ଗୌତମବୁଦ୍ଧ ଦାସ, ସୁଧାଂଶୁ ପଣ୍ଡା ଓ ବିମଳ ପ୍ରସାଦ ପ୍ରମୁଖ ଅନେକ ଚିତ୍ତପ୍ରେମୀ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧିତ ଖବର