ଭୁବନେଶ୍ୱର: ଜଣେ ସାମ୍ୱାଦିକ କେବଳ ଯେ ଜଣେ ସାହିତ୍ୟିକ ହୋଇପାରିବ ତାହା ନୁହେଁ, ସେ ଜଣେ ଶ୍ରେଷ୍ଠ ଐତିହାସିକ ମଧ୍ୟ ହୋଇପାରିବ। ଲେଖାରେ ସତ୍ୟ ଓ ତଥ୍ୟ ଭିତ୍ତିକ ପ୍ରମାଣ ସହିତ ଏହାର ଠିକ୍‌ ବିଶ୍ଳେଷଣ ଜଣେ ସାମ୍ୱାଦିକ ହିଁ କରିପାରିବ ବୋଲି ପେନ୍‌-ଇନ୍‌ ବୁକ୍ସ୍‌ ପକ୍ଷରୁ ଜୟଦେବ ଭବନରେ ଠାରେ ଅନୁଷ୍ଠିତ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ଆଲୋଚନ ଗ୍ରନ୍ଥ ‘ତିନି ଦଶନ୍ଧିର ଓଡ଼ିଶା’ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ମତବ୍ୟକ୍ତ କରିଛନ୍ତି। ୧୯୯୧ ମସିହାରୁ ୨୦୨୦ ପର୍ଯ୍ୟନ୍ତର ତିନି ଦଶନ୍ଧି ହେଉଛି ଓଡ଼ିଶା ରାଜନୀତିର ଏକ ଚମତ୍କାର ସମୟ। ଏହି ୩୦ବର୍ଷ ମଧ୍ୟରେ ଓଡ଼ିଶାର ଅନେକ ବିକାଶ ହେବା ସହିତ ରାଜନୈତିକ ଉତ୍ଥାନ ଓ ପତନ ମଧ୍ୟ ଘଟିଛି। ଏସବୁ ଏହି ପୁସ୍ତକରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି ବୋଲି ସେ ମତବ୍ୟକ୍ତ କରିଥିଲେ। ତେଣୁ ଏହା ଉଭୟ ସାହିତ୍ୟିକ ଓ ଐତିହାସିକମାନଙ୍କ ପାଇଁ ଏକ ଉତ୍ତମ ପୁସ୍ତକ ବୋଲି ସେ କହିଥିଲେ। ଏହି ପୁସ୍ତକ ତିନି ଦଶନ୍ଧିର କାଳଖଣ୍ଡକୁ ପ୍ରତିନିଧିତ୍ୱ କରିବ ବୋଲି ସେ କହିଥିଲେ।

Advertisment

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ କଥାକାର ଗୌରହରି ଦାସ ଯୋଗଦେଇ କହିଥିଲେ, କେବଳ ପରୀ କାହାଣୀରେ ହିଁ ସମସ୍ୟାର ସମାଧାନ ଥାଏ। ଓଡ଼ିଶାର ରାଜନୀତି ଏକ ଆଧୁନିକ ବାସ୍ତବତା, ଯାହାର ସମାଧାନ କଷ୍ଟକର। କାରଣ ଏହି ରାଜନୀତି କ୍ଷଣିକ ମଧ୍ୟରେ ପରିବର୍ତ୍ତନ ହୁଏ। ତେଣୁ ଅନ୍ୟ କିଏ ସମସ୍ୟାର ସମାଧାନ କରିବ ତାହା ନ ଭାବି ନିଜର ରାଜ୍ୟ ପ୍ରତି ଥିବା ଦାୟିତ୍ୱ ଠିକ୍‌ ଭାବରେ ନିର୍ବାହ କଲେ ରାଜ୍ୟର ଉନ୍ନତି ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ-ସ୍ତମ୍ଭକାର ଶ୍ରୀରାମ ଦାଶ ଯୋଗଦେଇ କହିଥିଲେ, ଏହି ତିନି ଦଶନ୍ଧିରେ ରାଜ୍ୟରେ ବହୁ ଗୁରୁତ୍ୱପୂର୍ଣ ଘଟଣା ଘଟିଛି, ଯେପରିକି ମହିଳାମାନଙ୍କୁ ୩୦ ପ୍ରତିଶତ ସଂରକ୍ଷଣ, ଉପମୁଖ୍ୟମନ୍ତ୍ରୀଙ୍କ ଶାସନ, ବିଜୁ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସୁଦୃଢ଼ ଶାସନ ଆଦି ଏହି ସମୟ ଭିତରେ ଘଟିଛି। ଏହି ପୁସ୍ତକରେ ଘଟଣାବଳୀଗୁଡ଼ିକ ସବିଶେଷ ତଥ୍ୟ ରହିଛି ବୋଲି ସେ ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ପୁସ୍ତକର ଲେଖକ ଚିତ୍ତରଞ୍ଜନ ଚିରଞ୍ଜିତ ପୁସ୍ତକ ଲେଖିବାର ନିଜ ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ ପେନ୍‌-ଇନ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା।