ଭୁବନେଶ୍ବର: କିଛି ଦିନର ନିରବତା ପରେ ପୁଣି ରାଜଧାନୀକୁ ଫେରିଛି କେବିଏନ୍ ଗ୍ୟାଙ୍ଗ୍ର ଆତଙ୍କ। ଜାମିନ୍ରେ ଆସିଥିବା କିଛି ସଦସ୍ୟ ପୁଣି ଖଟି ଜମାଇ ଆତଙ୍କ ଖେଳାଇବା ଆରମ୍ଭ କରିଛନ୍ତି। ଗତକାଲି ରାତିରେ ପୁଲିସ ସେମାନଙ୍କ ଖଟିରେ ଚଢ଼ଉ କରି ଜଣକୁ ଗିରଫ କରିବା ସହ ତା’ଠାରୁ ଏକ କଟୁରି ଜବତ କରିଛି। ଗିରଫ ସଦସ୍ୟ ହେଲା ନୂଆପଲ୍ଲୀ ଗଡ଼ସାହିର ଦେବାଶିଷ ମଙ୍ଗରାଜ ଓରଫ୍ ଚୋଚ। ଚୋଚ ନାଁରେ ହତ୍ୟା ଉଦ୍ୟମ ଭଳି ସଂଗିନ୍ ମାମଲା ରହିଛି।
ଏହି ଗ୍ୟାଙ୍ଗ୍ ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ଛକରେ ଓ ରାସ୍ତାରେ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଭିଡିଓ ସୁଟିଂ କରୁଥିଲେ। ଏହାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରି ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିଲେ ଓ ଗ୍ୟାଙ୍ଗ୍ର ପରିଚୟ ପ୍ରସାର କରି ବିଭିନ୍ନ ବାଟରେ ଅପରାଧ କରିଚାଲିଥିଲେ। ତେଣୁ କମିସନରେଟ୍ ପୁଲିସ ଖୋଜିଖୋଜି ଏହି ଗ୍ୟାଙ୍ଗ୍ର ମୁଖିଆ ବୁବୁ ଓ ଅନ୍ୟମାନଙ୍କୁ ଗିରଫ କରିଥିଲା। ଗତ ପ୍ରାୟ ସପ୍ତାହକ ପୂର୍ବେ କିଛି ସଦସ୍ୟ ଜାମିନ୍ରେ ଆସିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଚୋଚ ଓ ତାର ୪ ସହଯୋଗୀ ଡେଲ୍ଟା ଛକସ୍ଥିତ ଜଳେଶ୍ବର ମନ୍ଦିର ନିକଟରେ ଖଟି କରୁଥିଲେ। ବିଭିନ୍ନ ମାରଣାସ୍ତ୍ର ଧରି ଆତଙ୍କ ଖେଳାଉଥିଲେ। ନୂଆପଲ୍ଲୀ ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଘେରି ଯାଇଥିଲା। ମାତ୍ର ୪ଜଣ କାର୍ ଯୋଗେ ପୁଲିସକୁ ଚକ୍ମା ଦେଇ ଖସିଯାଇଥିଲେ। କେବଳ ଚୋଚ ଧରାପଡ଼ିଯାଇଥିଲା।
ରିଲ୍ସ ନାଁ ‘ଡର୍ କା ନାମ୍ ସୁନା ହୈ’
ଜାମିନ୍ରେ ଆସିବା ପରେ ଏହି ଗ୍ୟାଙ୍ଗ୍ର କିଛି ସଦସ୍ୟ ପୁଣି ସାମାଜିକ ଗଣମାଧ୍ୟମରେ ସକ୍ରିୟ ହୋଇଉଠିଛନ୍ତି। ସେମାନେ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଭୟଙ୍କର ଗୀତ ସୁଟିଂ କରି ରିଲ୍ସ ଜରିଆରେ ଛାଡ଼ୁଛନ୍ତି। ଏମିତି ଏକ ରିଲ୍ସ ନଜରକୁ ଆସିଛି ଓ ସେଥିରେ ସେମାନେ କହୁଛନ୍ତି ‘ଡର୍ କା ନାମ୍ ସୁନା ହୈ...’। ଲୋକଙ୍କୁ ଭୟଭୀତ କରାଇବା ପାଇଁ କେବିଏନ୍ ଗ୍ୟାଙ୍ଗ୍ ଏହା କରିଥିବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି।