ଆଜି ଚକ୍‌ଲେଟ୍‌ ଡେ’ : ପ୍ରପୋଜ୍‌ ଡେ’ରେ ଲୁଚାଛପା ପ୍ରେମ

ଭୁବନେଶ୍ୱର : ପ୍ରେମ ସପ୍ତାହର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ କୁହାଯାଉଥିବା ‘ପ୍ରପୋଜ୍‌ ଡେ’ ଆଜି ସରିଛି। ଏହା ସହ ଫେବ୍ରୁଆରି ୧୪ ଭାଲେଣ୍ଟାଇନ୍‌ ଡେ’ ଆଉ ଟିକେ ନିକଟତର ହୋଇଛି। ଅନ୍ୟ ଜଣଙ୍କ ପ୍ରତି ନିଜର ଭଲ ପାଇବା ଓ ମନର ଭାବନାକୁ ପରିପ୍ରକାଶ କରିବା ସବୁଠାରୁ କଷ୍ଟକର ବ୍ୟାପାର ବୋଲି କୁହାଯାଏ। ଭାଲେଣ୍ଟାଇନ୍‌ ସପ୍ତାହର ଦ୍ୱିତୀୟ ଦିନ ଏହି କଷ୍ଟକର କାମଟିକୁ କରିବା ପାଇଁ ହିଁ ସୁଯୋଗ ଦେଇଥାଏ। ପ୍ରଥମ ଦିନ କେବଳ ଲାଲ୍‌ ଗୋଲାପଟିଏ ଦେଇ ଆରମ୍ଭ ହୋଇଥିବା ସମ୍ପର୍କ ଆଜିର ଦିନରେ ଏକ ଭିନ୍ନ ମୋଡ଼ ନେଇଥିଲା। ନିଜ ଜୀବନର ମୋଡ଼ ବଦଳାଇବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ବିଭିନ୍ନ ସ୍ଥାନରେ ଲୁଚାଛପାରେ ଯୁବକ ଯୁବତୀମାନେ ନିଜ ମନର ମଣିଷକୁ ପ୍ରପୋଜ କରିଥିଲେ।

ଭାଲେଣ୍ଟାଇନ୍‌ ସପ୍ତାହର ତୃତୀୟ ଦିନ ଅର୍ଥାତ ଆସନ୍ତାକାଲି ହେଉଛି ଚକ୍‌ଲେଟ୍‌ ଡେ। ଚକ୍‌ଲେଟ୍‌ ହେଉଛି ଝିଅଙ୍କ ପ୍ରଥମ ପସନ୍ଦ। ପୁଣି ଚକ୍‌ଲେଟ୍‌କୁ ଖୁସିର ପ୍ରତୀକ ବୋଲି କୁହାଯାଏ। ସାଧାରଣତଃ ପ୍ରେମରେ ପୁଅମାନେ ନିଜ ପ୍ରେମିକାକୁ ଚକ୍‌ଲେଟ୍‌ ଦେବାର ଦେଖାଯାଏ। ତେଣୁ ପ୍ରପୋଜ୍‌ ଡେ’ ପରେ ନିଜ ଭଲ ପାଉଥିବା ମଣିଷକୁ ଖୁସି କରାଇବା ପାଇଁ ଚକ୍‌ଲେଟ୍‌ ଉପହାର ଭାବେ ଦିଆଯାଏ। ଚକ୍‌ଲେଟ୍‌ ଡେ’ ପାଇଁ ଆଜିଠାରୁ ବିଭିନ୍ନ ଦୋକାନରେ ବହୁ ପରିମାଣରେ ଚକ୍‌ଲେଟ୍‌ ବିକ୍ରି ହେଉଥିବା ଦେଖାଯାଇଥିଲା। ଆଜିଠାରୁ ଯୁବକ, ଯୁବତୀମାନେ ଚକ୍‌ଲେଟ୍‌ କିଣି ରଖିଛନ୍ତି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦୋକାନୀମାନେ ବହୁ ଭେରାଇଟିର ଚକ୍‌ଲେଟ୍‌ ପସରା ମେଲାଇଛନ୍ତି। ଖାଲି ପ୍ରେମୀଯୁଗଳ ନୁହଁନ୍ତି, ସାଙ୍ଗସାଥୀମାନେ ମଧ୍ୟ ପରସ୍ପର ମଧ୍ୟରେ ଚକଲେଟ ଦିଆନିଆ ହେଇ ବନ୍ଧୁତ୍ୱକୁ ଆଗକୁ ବଢ଼ାଇବା ପାଇଁ ଚାହି ଥାଆନ୍ତି।

ସମ୍ବନ୍ଧିତ ଖବର