ଭୁବନେଶ୍ବର: ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଯାତ୍ରାଦର୍ଶକଙ୍କ ମନମୋହିବା ଲାଗି ସଜବାଜ ହୋଇ ମଇଦାନକୁ ଓହ୍ଲାଇଛି ଇଷ୍ଟର୍ଣ୍ଣ ମିଡିଆ ପରିଚାଳିତ ଯାତ୍ରାନୁଷ୍ଠାନ ‘ଚକଲେଟ୍ ରଙ୍ଗମଞ୍ଚ’। ଚଳିତ ଯାତ୍ରା ସିଜିନର ପ୍ରଥମ ନାଟକ ପ୍ରଦର୍ଶନ ଯାଁଳା ଓଗାଳପଡ଼ାସ୍ଥିତ ବାଟ ଭୁଆସୁଣୀ ମନ୍ଦିର ପଡ଼ିଆରେ ଆରମ୍ଭ କରୁଛି ‘ଚକଲେଟ୍ ରଙ୍ଗମଞ୍ଚ’। ଅଗଷ୍ଟ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଏଠାରେ ଯାତ୍ରା ପରିବେଷଣ କରାଯିବ। ଏଥର ମୁଖ୍ୟ ଆକର୍ଷଣ ହେବ ଆଶୁତୋଷ ମହାପାତ୍ରଙ୍କ ନିର୍ଦ୍ଦେଶିତ ନାଟକ ‘ସରୁ ନାହିଁ ଜମା ଦୁଃଖର ଦିନ’ ଓ ତାପସ ସ୍ବାଇଁଙ୍କ ନିର୍ଦ୍ଦେଶିତ ‘ମୁଁ ଗାଉଁଲି ଟୋକା ଦେବିନି ଧୋକା’। ଏହାବାଦ ‘ଚକଲେଟ୍ ରଙ୍ଗମଞ୍ଚ’ କଳାକାରଙ୍କ ପ୍ରସ୍ତୁତ ସୁପରହିଟ୍ ନାଟକ ‘ବଞ୍ଚିପାରିବିନି ତୋ ବିନା’ ଓ ‘ଦେ ରେ ଧରା ମୋ ଦୁଃଖପାସୋରା’ ମଧ୍ୟ ଦର୍ଶକଙ୍କୁ ମଞ୍ଚକୁ ଟାଣିଆଣିବ ବୋଲି ଯାତ୍ରାନୁଷ୍ଠାନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
ନୂଆ ସିଜିନରେ ବାଜିମାତ୍ କରିବା ଲାଗି ‘ଚକଲେଟ୍ ରଙ୍ଗମଞ୍ଚ’ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ନୂଆ ନାଟକ ସହିତ ନୂଆ କଳାକାର ବି ସାମିଲ ହୋଇଛନ୍ତି। ରୋଜାଲିନ୍ ମହାନ୍ତି, ବେବି ମଣ୍ଡଳ, ମିଥିଳେଶ ଓ ଶ୍ରୀରାମଙ୍କ ଭଳି ଜଣାଶୁଣା ଟେଲି ଅଭିନେତାଅଭିନେତ୍ରୀଙ୍କ କମାଲ ଏଥର ଉପଭୋଗ କରିବେ ଦର୍ଶକ। ଏଥିସହ ସନ୍ତୋଷ ବେହେରା, ଲରେନ୍ସ ବେହେରା, ବାବୁଲି ପଣ୍ଡା, ଅକ୍ଷୟ ସାହୁ ଓ ଟୁନିଆ ମଲ୍ଲିକଙ୍କ ଭଳି ଅଭିଜ୍ଞ ତଥା ନାମୀ କଳାକାରଙ୍କୁ ଭିନ୍ନ ଭିନ୍ନ ନାଟକରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ପୁଣି ପହଲି ଓ ବିଜୁଙ୍କ ଭଳି ହାସ୍ୟାଭିନେତା ଦର୍ଶକଙ୍କୁ ହସେଇ ବେଦମ୍ କରିବେ।
ଯାତ୍ରାପ୍ରେମୀ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ଲାଗି ମନଛୁଆଁ ନାଟକ ସହ ଉପସ୍ଥାପନା ଓ ପରିପାଟୀ ଉପରେ ଗୁରୁତ୍ବ ଦେଇଛି ‘ଚକଲେଟ୍ ରଙ୍ଗମଞ୍ଚ’। ଏଥର ନୂଆ ଗେଟ୍, ନୂଆ ଲାଇଟ୍ ଓ ନୂଆ ସାଉଣ୍ଡ୍ ସିଷ୍ଟମ୍ ସହ ଦର୍ଶକଙ୍କ ପାଖକୁ ଆସୁଛି ପାର୍ଟି। ଗତବର୍ଷ ‘ଏଠି ଜିଇଁବା ମରିବା ସବୁ ସମାନ’, ‘ଦେ’ରେ ଧରା ମୋ’ ଦୁଃଖପାସୋରା’, ‘ବଞ୍ଚି ପାରିବିନି ତୋ ବିନା’ ଓ ‘ଟିକେ ପ୍ରେମ ଟିକେ ଧୋକା’ ଆଦି ନାଟକ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲା ‘ଚକଲେଟ୍ ରଙ୍ଗମଞ୍ଚ’।